• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ରୋଗ ଅଛି ତ ଚିକିତ୍ସା ଅଛି। କିନ୍ତୁ ଏ ଦୁନିଆରେ ଭିନ୍ନ ଭିନ୍ନ ରୋଗକୁ ନେଇ ଭିନ୍ନ ଭିନ୍ନ ଚିକିତ୍ସା ମଧ୍ୟ ରହିଛି। କେଉଁଠି ନିଆଁରେ ଚିକିତ୍ସା କରାଯାଏ ତ ପୁଣି କେଉଁଠି ମାଟି ଦ୍ୱାରା। କିନ୍ତୁ ଏବେ ସୋସିଆଲ ମିଡିଆରେ ଚିକିତ୍ସାକୁ ନେଇ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ଡାକ୍ତର ଜଣେ ବୃଦ୍ଧଙ୍କୁ ଯେଉଁଭଳି ଭାବେ ଚିକିତ୍ସା କରୁଛନ୍ତି ତାହା ଅତ୍ୟନ୍ତ ବିପଜ୍ଜନକ। ସେ ଏହି ବୃଦ୍ଧଙ୍କ ବେକରେ ଗୁରୁତର ଆଘାତ ଦେଉଥିବା ଦେଖାଯାଏ।

ଏହି ଭିଡିଓରେ ଆପଣ ସ୍ପଷ୍ଟ ଦେଖିପାରିବେ ଯେ ଚିକିତ୍ସା ସମୟରେ ବୃଦ୍ଧ ଜଣକ କିପରି ବିକଳ ହୋଇ କାନ୍ଦୁଛନ୍ତି। ଏହି ଭିଡିଓରେ ଜଣେ ବୃଦ୍ଧ ଅସୁସ୍ଥ ହେବାପରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦେଖାଯାଇଛି। ଭିଡିଓଟି ଦେଖି ଲାଗୁଛି ଯେ ମେରୁଦଣ୍ଡରେ ଯନ୍ତ୍ରଣା ହେତୁ ବୃଦ୍ଧ ଜଣକ ଚିକିତ୍ସା ପାଇଁ ଆସିଛନ୍ତି। ବୃଦ୍ଧ ଜଣକ ଡାକ୍ତରଙ୍କୁ ଅପେକ୍ଷା କରିଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ଚିକିତ୍ସା ପାଇଁ ଆସିଛନ୍ତି। କିନ୍ତୁ ଏହି ବ୍ୟକ୍ତିଙ୍କ ବେଶଭୁସାରୁ ସେ କୌଣସି ଗୁଣରେ ଜଣେ ଡାକ୍ତରଙ୍କ ପରି ଲାଗୁ ନାହାନ୍ତି, କିନ୍ତୁ ଜଣେ କୁସ୍ତିଯୋଦ୍ଧା ଭଳି ଲାଗନ୍ତି।

ଏହି ବ୍ୟକ୍ତି ଜଣକ ତାଙ୍କ ହାତରେ ଏକ ଛେଣୀ ଓ ହାତୁଡ଼ି ଧରିଛନ୍ତି। ଉଭୟ ଉପକରଣ କାଠରେ ତିଆରି। ସେ ପ୍ରଥମେ ବୃଦ୍ଧ ବ୍ୟକ୍ତିଙ୍କୁ ବେକକୁ ସିଧାକରି ବେଞ୍ଚ୍‌ରେ ବସିବାକୁ କହିଲେ। ତା’ପରେ ବେକରେ ଛେଣୀ ରଖିବା ସହ ଏକ ହାତୁଡ଼ିରେ ଶକ୍ତ ପ୍ରହାର କରୁଥିବା ଦେଖାଯାଏ। ଏହା ପରେ ବୃଦ୍ଧଙ୍କ ପ୍ରତିକ୍ରିୟାରୁ ଦେଖି ଜଣାଯାଏ ଯେ ଏହା ତାଙ୍କୁ ଖୁବ ଯନ୍ତ୍ରଣା ଦେଇଛି। ଏହି ପ୍ରହାରରେ ତାଙ୍କ ପାଟିରୁ ଆଉ କଥା ବାହାରୁ ନାହିଁ। ସେ ଯନ୍ତ୍ରଣାରେ ବିକଳ ହେଉଥିବା ଦେଖାଯାଆନ୍ତି।

ଏହା ପରେ ସେ କିଛି କ୍ଷଣ ରହିଯାଆନ୍ତି, ତା’ ପରେ ଆଉଥରେ ବୃଦ୍ଧଙ୍କ ବେକରେ ଏକ ଛେଳି ଥୋଇ ହାତୁଡ଼ିରେ ଶକ୍ତ ପ୍ରହାର ଦିଅନ୍ତି। ଏଥର ବୃଦ୍ଧ ଜଣଙ୍କ ଶ୍ୱାସରୁଦ୍ଧ ହୋଇଯାଉଥିବା ନଜର ଆସନ୍ତି। ଏହା ପରେ ଡାକ୍ତର ବୃଦ୍ଧଙ୍କୁ ମସାଜ୍ କରିବା ଆରମ୍ଭ କରନ୍ତି। ଏହି ପ୍ରକାରର ମସାଜ ପ୍ରାୟତଃ କୁସ୍ତିଯୋଦ୍ଧାମାନଙ୍କ କ୍ଷେତ୍ରରେ କରାଯାଇଥାଏ। ଏହି ପ୍ରକ୍ରିୟା ବୃଦ୍ଧଙ୍କୁ ଏତେ ଯନ୍ତ୍ରଣା ଦିଏ ଯେ ସେ ତାଙ୍କ କାନ୍ଦକୁ ରୋକି ପାରନ୍ତି ନାହିଁ।

ଦେହର ସମସ୍ୟା ବେଳେ ଚିକିତ୍ସା ତ ଜରୁରୀ ଆବଶ୍ୟକ, କିନ୍ତୁ ଏପରି ଚିକିତ୍ସା ଶରୀର ପକ୍ଷେ ହାନିକାରକ ମଧ୍ୟ ହୋଇପାରେ। ଏହି ଭିଡିଓକୁ ଅଙ୍କଲ ରାଣ୍ଡୋମ(UncleRandom) ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆ ଟ୍ୱିଟର୍‌ରେ ଶେୟାର କରିଛନ୍ତି। ଏହି ଖବର ଲେଖିବା ପର୍ଯ୍ୟନ୍ତ ଏହି ଭିଡିଓକୁ ଶହ ଶହ ଥର ଦେଖାଯାଇଛି। ଜଣେ ଉପଭୋକ୍ତା ମନ୍ତବ୍ୟରେ ଲେଖିଛନ୍ତି – ଚାଇନିଜ୍‌ମାନଙ୍କୁ ସବୁବେଳେ ଏଭଳି କାମ କରୁଥିବା ଦେଖିବାକୁ ମିଳେ, କିନ୍ତୁ ଏଠାରେ ତ ଚାଇନିଜ୍ ବ୍ୟକ୍ତି ହିଁ ରୋଗୀ।