• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ନିଟ୍ ପରୀକ୍ଷା ଉଠାଇ ଦେବା ଲାଗି ଦାବି ।

  • ଯୁକ୍ତ ଦୁଇ ମାର୍କ ଆଧାରରେ ମେଡିକାଲ ଆଡ୍‌ମିଶନ ଦାବି ।

  • ନବୀନଙ୍କୁ ଭେଟିଲେ ଡିଏମ୍‌କେ ନେତ୍ରୀ କାନିମୋଇ ।

ଭୁବନେଶ୍ୱର: ମେଧା ବନାମ ସାମାଜିକ ନ୍ୟାୟ । ଉଠିଯିବା ଉଚିତ୍ କି ମେଡିକାଲ ପଢିବା ଲାଗି ଉଦ୍ଦିଷ୍ଟ ନ୍ୟାସନାଲ ଏଲିଜିବିଲିଟି ଇଣ୍ଟ୍ରାନ୍ସ ଟେଷ୍ଟ ବା ନିଟ୍ ? ଏହାକୁ ନେଇ ବିତର୍କ ଭିତରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ । ନିଟ୍ ପରୀକ୍ଷାକୁ ଗରୀବ ଓ ପଛୁଆବର୍ଗଙ୍କ ସ୍ୱାର୍ଥ ବିରୋଧୀ ଦର୍ଶାଇ ଏହାକୁ ଉଠାଇ ଦେବା ଲାଗି ତାମିଲନାଡୁ ଦାବି କରୁଥିବା ବେଳେ ଏଠାରେ ଶାସନ ଦାୟିତ୍ୱରେ ଥିବା ଡିଏମ୍‌କେ ଉପନେତା କାନିମୋଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ନିଟ୍, UPSC ଓ IIT ଭଳି ଜାତୀୟସ୍ତରର ଏଣ୍ଟ୍ରାନ୍ସର ଢାଞ୍ଚା ବଦଳାଇ ଏହାକୁ ଅଧିକ ଇନ୍‌କ୍ଲୁସିଭ୍ କରିବାକୁ ପୂର୍ବରୁ ନବୀନ ମଧ୍ୟ କେନ୍ଦ୍ରକୁ ପ୍ରସ୍ତାବ ଦେଇଥିଲେ ।

ମେଡିକାଲ ପାଠ୍ୟକ୍ରମ ଲାଗି ଉଦ୍ଦିଷ୍ଟ ସର୍ବଭାରତୀୟ ନିଟ୍ ପରୀକ୍ଷାକୁ ଉଠାଇ ଦେବା ଲାଗି ନିଜ ଦାବି ସପକ୍ଷରେ ସମର୍ଥନ ଜୁଟାଇବାକୁ ତାମିଲନାଡୁ ସରକାରଙ୍କ ଅଭିଯାନ । ଏନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ତାମିଲନାଡୁରେ ଶାସନ ଦାୟିତ୍ୱରେ ଥିବା ଡିଏମକେର ଉପନେତା କାନିମୋଇ । ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍‌ଙ୍କ ଚିଠି ସେ ନବୀନଙ୍କୁ ଦେଇଛନ୍ତି । ଗରିବ ଓ ଗାଁ ଗହଳିର ମେଧାବୀ ପିଲା ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେବା ଲାଗି ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ ଷ୍ଟାଲିନ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ନିଟ୍, ଆଇଆଇଟି ଓ ୟୁପିଏସ୍‌ସି ଏଣ୍ଟ୍ରାନ୍ସର ଢାଞ୍ଚା ବଦଳାଇବାକୁ ପୂର୍ବରୁ ନବୀନ ମଧ୍ୟ କେନ୍ଦ୍ର ନିକଟରେ ଦାବି ରଖିଥିଲେ । ଏସବୁ ପରୀକ୍ଷାର ପାଟର୍ଣ୍ଣ, ଟ୍ୟୁସନ ଓ କୋଚିଂ କେନ୍ଦ୍ରିକ ହୋଇଥିବାରୁ ଗ୍ରାମାଞ୍ଚଳ ଓ ଗରୀବ ପରିବାରର ମେଧାବୀ ପିଲା ସେମାନଙ୍କ ଅଧିକାରରୁ ବଞ୍ଚିତ ହେଉଥିବା ନବୀନ ଦର୍ଶାଇଥିଲେ । ତେଣୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ପରୀକ୍ଷାକୁ ଇନକ୍ଲୁସିଭ୍ କରିବା ଲାଗି ନବୀନ ପ୍ରସ୍ତାବ ଦେଇଥିଲେ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଏଣ୍ଟ୍ରାନ୍ସ ପରୀକ୍ଷାଗୁଡିକ ବ୍ୟୟବହୁଳ ହୋଇଥିବାରୁ ଗ୍ରାମାଞ୍ଚଳ ଓ ଗରୀବ ମେଧାବୀ ପିଲାମାନେ ପଛରେ ପଡିଯାଉଥିବା ଅଭିଯୋଗ ହୋଇଆସୁଛି । ସାମାଜିକ ନ୍ୟାୟ ଓ ସମାନତା ଦିଗରେ ଏହା ବଡ଼ ପ୍ରତିବନ୍ଧକ ବୋଲି ଯୁକ୍ତି ହେଉଛି । 

ଯୁକ୍ତ ଦୁଇ ମାର୍କ ଆଧାରରେ ମେଡିକାଲ କୋର୍ସରେ ଆଡମିଶନ ଲାଗି ଦେଶର ଏକମାତ୍ର ରାଜ୍ୟଭାବେ ତାମିଲନାଡୁ ଦାବି କରିଆସୁଛି । ନିଟ୍ ଏଣ୍ଟ୍ରାନ୍ସ ଉଠାଇ ଦେବା ଦାବିରେ ୨୦୧୭ରେ ମେଡିକାଲ ପଢିବାକୁ ଆଗ୍ରହୀ ତାମିଲନାଡୁର ଜଣେ ଛାତ୍ରୀ ଅନୀତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ବି ହୋଇଥିଲେ । ଅନ୍ୟପକ୍ଷରେ ଯୁକ୍ତ ଦୁଇରେ ୧୨ଶହରୁ ୧୧୭୬ ନମ୍ବର ରଖି ମଧ୍ୟ ନିଟ୍‌ରେ ଅକୃତକାର୍ଯ୍ୟ ହେବା କାରଣରୁ ସେ ଆତ୍ମହତ୍ୟା କରିଥିଲେ । ଏହାକୁ ନେଇ ତାମିଲନାଡୁରେ ରାଜନୈତିକ ଝଡ଼ ସୃଷ୍ଟି ହୋଇଥିଲା ।

ସେହିପରି ଗତମାସ ୧୪ ତାରିଖରେ ମଧ୍ୟ ଧନୁଷ ନାମକ ଅନ୍ୟ ଜଣେ ମେଡିକାଲ ଆଶାୟୀ ଆତ୍ମହତ୍ୟା କରିଥିଲେ । ଏହାପରେ ତାମିଲନାଡୁକୁ ନିଟ୍‌କୁ ବାଦ୍ ଦେବା ନେଇ ରାଜ୍ୟ ବିଧାନସଭାରେ ଏକ ବିଲ୍ ବି ପାରିତ ହୋଇଥିଲା । ତେବେ ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ରାଷ୍ଟ୍ରପତିଙ୍କ ଅନୁମୋଦନ ଦରକାର ଅନ୍ୟପକ୍ଷରେ ଦେଶର ଅନ୍ୟ ସମସ୍ତ ରାଜ୍ୟ କେନ୍ଦ୍ରୀୟ ଢାଞ୍ଚାକୁ ଗ୍ରହଣ କରିଥିବାରୁ ଡିଏମ୍‌କେ ନିଜ ଦାବି ସପକ୍ଷରେ ସମର୍ଥନ ଜୁଟାଇବାକୁ ଉଦ୍ୟମ ଆରମ୍ଭ କରିଛି ।