• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନାଳନର୍ଦ୍ଦମା ସଫା ନହେବାରୁ ମଶା ସଂଖ୍ୟା ବଢୁଥିବା ଅଭିଯୋଗ

  • ଏପଟେ ଡେଙ୍ଗୁକୁ ନେଇ ରାଜଧାନୀରେ ବି ଭୟର ବାତାବରଣ

ଭୁବନେଶ୍ୱର, କଟକ (ସୌମ୍ୟରଞ୍ଜନ ସାହୁ, ସୁବାସ) : ରାଜଧାନୀ ଭୁବନେଶ୍ୱର ପରେ କଟକ ସହରରେ ବୃଦ୍ଧି ପାଇବାରେ ଲାଗିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସହରର ୨୩ ଓ ୨୪ ନମ୍ବର ଓ୍ୱାର୍ଡଠାରୁ ଆରମ୍ଭ କରି ବିଡାନାସି, ଥୋରିଆ ସାହିରେ ଚିହ୍ନଟ ହେଲେଣି ଡେଙ୍ଗୁ ରୋଗୀ । ଏଥିପାଇଁ ସହରର ଅସ୍ୱାସ୍ଥ୍ୟକର ପରିବେଶକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେହିପରି ଭୁବନେଶ୍ୱରରେ ବି କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଟ୍ୱିନ୍ ସିଟିରେ ମଶା ମାରିବା ପାଇଁ କୌଣସି ପଦକ୍ଷେପ ନିଆ ଯାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

କଟକ ଥୋରିଆ ସାହି ଅଞ୍ଚଳରେ ଚାରିଆଡେ ପଡ଼ି ରହିଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପୁରା ଅଞ୍ଚଳ । ଗୋଟେ ପଟେ କରୋନା ସଂକ୍ରମଣ ଭୟ, ଅନ୍ୟପଟେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ସେପଟେ ଗୋଟିଏ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି ଡେଙ୍ଗୁ । ସହରର ତୁଳସୀପୁର ଓ ଥୋରିଆ ସାହିରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଅଭିଯୋଗ କରିଛନ୍ତି ସହରବାସୀ ।

ଏସବୁ ଅଞ୍ଚଳରେ ସିଏମସି ପକ୍ଷରୁ ସଫେଇ କରାଯାଉନାହିଁ, କି ମଶା ତେଲ ପକାଯାଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସିଏମସି କମମିଶନର କହିଛନ୍ତି, ଡେଙ୍ଗୁ ବ୍ୟାପୁଥିବା ଯୋଗୁଁ ଲୋକଙ୍କୁ ସଚେତନତା କରାଯାଉଛି । ଅଙ୍ଗନବାଡ଼ି ଓ ଆଶାକର୍ମୀ ଘରେ ଘରେ ବୁଲି ସ୍କ୍ରିନିଂ କରିବା ସହ ଏନେଇ ସଚେତନତା କରାଯାଉଥିବା କହିଛନ୍ତି ସିଏମସି କମିଶନର ।

ରାଜଧାନୀ ଭୁବନେଶ୍ୱରରେ ବି କାୟା ବିସ୍ତାର କଲାଣି ଡେଙ୍ଗୁ । ତଥ୍ୟ ଅନୁସାରେ କେବଳ ନିଳାଦ୍ରୀବିହାର ଅଞ୍ଚଳରୁ ୨୦ରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି । ରାଜଧାନୀର ଅନେକ ଲୋକେ ଘରୋଇ ମେଡିକାଲରେ ଟେଷ୍ଟ କରୁଥିବାରୁ ଏନେଇ ସଠିକ ତଥ୍ୟ ବିଏମସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ପାଖରେ ନାହିଁ । ଟେଷ୍ଟିଂ ଏବଂ ସଫେଇ କାଯର୍ୟକ୍ରମକୁ ଗୁରୁତ୍ୱ ଦିଆ ଯାଉଥିବା କହିଛନ୍ତି ବିଏମସି ଜୋନାଲ ଡେପୁଟି କମିଶନର । ଅନ୍ୟପଟେ ପ୍ରତିଶ୍ରୁତି ଅନୁଯାୟୀ, ସଫେଇ କିମ୍ବା ଧୂଆଁ କେଉଁଠି ଦିଆଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ରାଜଧାନୀ ବାସିନ୍ଦା କରୋନା ସଂକ୍ରମଣ ଭୟ କମି ନଥିବା ବେଳେ ଡେଙ୍ଗୁକୁ ନେଇ ଆତଙ୍କିତ ହୋଇପଡିଛନ୍ତି ଟ୍ୱିନ ସିଟି ବାସିନ୍ଦା ।