• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଦିଲ୍ଲୀରେ ପାଗ ପରିବର୍ତ୍ତନ ପରେ ବର୍ଷାରେ ବେହାଲ ରାଜଧାନୀ ।

  • ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ବର୍ଷା । 

  • ହେଲେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଏବେ ବେହାଲ ।

ନୂଆଦିଲ୍ଲୀ: ଦିଲ୍ଲୀରେ ପାଗ ପରିବର୍ତ୍ତନ ପରେ ବର୍ଷାରେ ବେହାଲ ରାଜଧାନୀ । ଦୀର୍ଘ ଦିନ ହେବ ଗରମ ଯୋଗୁଁ ତ୍ରାହି ତ୍ରାହି ଡାକୁଥିବା ଦିଲ୍ଲୀବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଦେଇଛି ବର୍ଷା । ହେଲେ ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ, ଏନସିଆର ଏବଂ ଏହାର ଉପକଣ୍ଠରେ ଥିବା ଅନେକ ଅଞ୍ଚଳ ଜଳମଗ୍ନ ହୋଇଯାଇଥିଲା ।ରାସ୍ତାରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା । ଲଗାଣ ବର୍ଷା ଯୋଗୁ ଅନେକ ସ୍ଥାନରେ ରାସ୍ତା ଉପରେ ପାଣି ଜମା ହୋଇ ରହିଥିବା ଦେଖାଯାଇଥିଲା ।

ତେବେ ରାସ୍ତା ଉପରେ ପାଣି ଜମି ରହିବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଟ୍ରାଫିକ ଜାମ ଭଳି ସମସ୍ୟା ସୃଷ୍ଟି ହୋଇଛି । ରାସ୍ତାରେ ଗାଡିଗୁଡିକର ଲମ୍ବା ଲାଇନ୍ ଲାଗିଥିଲା । ଦିଲ୍ଲୀ ଏନ୍ସିଆର୍ ସମତେ ଦିଲ୍ଲୀ ଓ ୟୁପିକୁ ଯୋଡୁଥିବା ସଡ଼କରେ ମଧ୍ୟ ପାଣି ଭର୍ତ୍ତି ହୋଇଛି । ବିଭିନ୍ନ ସ୍ଥାନରେ ବସ ଓ କାର ବର୍ଷା ଜଳରେ ଫସି ରହିଯାଇଥିବା ଦେଖାଦେଇଥିଲା ।

ଗତକାଲି ରାତିରୁ ଦିଲ୍ଲୀରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଥିଲା । ଆଜି ସକାଳ ଯାଏଁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଥିଲା । ରାସ୍ତା ଉପରେ ପାଣି ଜମିରହିବା ଫଳରେ ଅନେକ ସ୍ଥାନରେ ମୁନିସିପାଲିଟି ପକ୍ଷରୁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିଲା । ଗାଡି ଆଣି ମୋଟର ସାହାଯ୍ୟରେ ବିଭିନ୍ନ ସ୍ଥାନରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିଲା । ଆଗାମୀ ୭୨ ଘଣ୍ଟା ଯାଏଁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି ।

କେବଳ ଦିଲ୍ଲୀ ନୁହେଁ ଗୁଜରାଟରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ପ୍ରବଳ ଜୋରରେ ପବନ ବହିବା ସହ ଜୋରଦାର ବର୍ଷା ହୋଇଛି । ଗୁଜରାଟର ଭାଲସାଡ ଅଞ୍ଚଳର ଅନେକ ସ୍ଥାନ ଜଳମଗ୍ନ ହୋଇଯାଇଛି । ବର୍ଷାକୁ ଦେଖି ହାଇଅଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୨୧ ତାରିଖ ଯାଏଁ ସମୁଦ୍ର ଭିତରକୁ ନଯିବା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ ।

ସେହିଭଳି ଉତ୍ତରାଖଣ୍ଡର ଉତ୍ତରକାଶୀରେ ପ୍ରକୃତିର ତାଣ୍ଡବ । ବାଦଲଫଟା ବର୍ଷା ଯୋଗୁଁ ଏଠାକାର ମଣ୍ଡୋ ଗାଁରେ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଏଥିସହ ୪ ଜଣ ନିଖୋଜ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । ରିପୋର୍ଟ ମୁତାବକ, ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଅଛନ୍ତି । ଏମାନଙ୍କ ବ୍ୟତୀତ ଏକ ୬ ବର୍ଷୀୟା ଶିଶୁର ମଧ୍ୟ ମୃତ୍ୟୁ ଘଟିଛି । SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

ଉତ୍ତରକାଶୀ ଓ ଏହାର ଆଖପାଖ ଅଞ୍ଚଲରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇ ବହୁ କ୍ଷୟକ୍ଷତି ଘଟିଛି । ଉତ୍ତରକାଶୀ ଜିଲ୍ଲାପାଳ ଆଜି ଘଟଣାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି । ବହୁ ଘର ପାଣି ମଧ୍ୟରେ ବୁଡ଼ି ରହିଥିବା ବେଳେ ଅନେକ ସ୍ଥାନରେ ପାଣି ଜମି ରହି ଯାତାୟତ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଛି । ରାଜ୍ୟରେ ପ୍ରବଳ ବର୍ଷା ହେତୁ ଅଧିକାଂଶ ନଦୀ ଜଳସ୍ତର ବଢିଛି । ଗଙ୍ଗା, ଯମୁନା, ଭାଗୀରଥୀ, ଅଲାକାନନ୍ଦା ସମେତ ଅନେକ ନଦୀଗୁଡ଼ିକ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ।