• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋନପୁର (ରବିନ୍ଦ୍ର ହୋତା): ପୁଅର କର୍ତ୍ତବ୍ୟ କଲା ଝିଅ । ମା’ ମୁହଁରେ ମୁଖାଗ୍ନି ଦେଲେ ସୀମା । ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ । ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଗୁଡଭେଲି ପଦର ଗ୍ରାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ବାସ କରୁଥିବା ଅସହାୟ ମହିଳା ମୁକ୍ତା ସାହୁଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କର ଝିଅ ଗାଁ ମଶାଣୀକୁ ଯାଇ ମାଆଙ୍କୁ ମୁଖାଗ୍ନି ଦେଇଛନ୍ତି ।

ପିଲାଟି ଦିନରୁ ବାପାଙ୍କୁ ହରାଇ ମାଙ୍କ ସହ ଗୁଦଭେଲିପଦର ଗାଁରେ ରହୁଥିଲେ ସୀମା । ଏତେ ବଡ଼ ଦୁନିଆରେ କେହି ନାହିଁ, ପରିବାର କହିଲେ କେବଳ ମା’ ହିଁ ଥିଲା । ମା’ ମୁକ୍ତା ସାହୁ ଗାଁ ସ୍କୁଲରେ ରୋଷେୟା କରି ଉଭୟଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରୁଥିଲେ । ହେଲେ ବର୍ତ୍ତମାନ ମୁକ୍ତାଙ୍କ ମୃତ୍ୟୁ ପରେ ସୀମା ପୂରା ଏକୁଟିଆ l ନା ଆଗକୁ କିଏ ଅଛି ନା ପଛକୁ । ଭଲମନ୍ଦ ପଚାରିବାକୁ କେହି ନାହାନ୍ତି ।

ଗତକାଲି ମା’ଙ୍କ ମୃତ୍ୟୁ ହେବା ପରେ ଗାଁ ଓ ଜାତି ଲୋକଙ୍କ ସହଯୋଗରେ ସୀମା ମା’ର ଶେଷକୃତ୍ୟୁ ସମ୍ପନ୍ନ କରିଛନ୍ତି । ଅନ୍ୟପଟେ ମା’ଙ୍କ ମୃତ୍ୟୁ ପରେ ସାମାଜିକ ନୀତିନିୟମ ଅନୁସାରେ ତାଙ୍କୁ ଶୁଦ୍ଧିକ୍ରିୟା କରିବାକୁ ପଡିବ । ଆଉ ସେଥିପାଇଁ ଅର୍ଥ ଆସିବ କେଉଁ ଠାରୁ ଓ ସାରା ଜୀବନ ଚଲିବେ କେମିତି ଏ ପ୍ରଶ୍ନର ଉତ୍ତର ଖୋଜି ପାଉନାହାନ୍ତି ସୀମା l ଜିଲ୍ଲା ପ୍ରଶାସନ ଅସହାୟ ଓ ଏକାକିନୀ ଜୀବନ ବିତାଉଥିବା ପିତୃ ମାତୃହରା ସୀମାକୁ ସହାୟତାର ହାତ ବଢାଇବାକୁ ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

ଅନ୍ୟପଟେ କେବଳ ପୁଅ ମାନେ ହିଁ ବାପା ମାଆଙ୍କ ଶୁଦ୍ଧି ସଂସ୍କାରର ଅଧିକାରୀ ହେବେ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ସୀମା । ସମାଜରେ ଥିବା ନିୟମକୁ ନମାନି ନିଜ ଜନ୍ମ କଲା ମାଙ୍କ ଚିତାରେ ଜୁଇ ସଂଯୋଗ କରି ବାସ୍ତବରେ ଉଦାହରଣ ସୃଷ୍ଟି କରିଛନ୍ତି ।