• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • କୋରାପୁଟ ସୁଙ୍କି ଘାଟିରେ ଭୂସ୍ଖଳନ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ ।

  • ରେସ୍କ୍ୟୁ କାର୍ଯ୍ୟ ଜୋରାଦାର ଆରମ୍ଭ ହୋଇଛି ।

କୋରାପୁଟ: କୋରାପୁଟ ସୁଙ୍କି ଘାଟିରେ ଭୂସ୍ଖଳନ ପରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଏନ୍‌ଡିଆର୍‌ଏଫ୍‌ ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ପରେ ରେସ୍କ୍ୟୁ କାର୍ଯ୍ୟ ଜୋରାଦାର ଆରମ୍ଭ ହୋଇଛି । ଆଜି ଅପରାହ୍ନ ସୁଦ୍ଧା ସମ୍ପୂର୍ଣ୍ଣ ରାସ୍ତାରୁ ଅବରୋଧ ହଟାଇ ଚଳାଚଳକୁ ସ୍ୱାଭାବିକ କରିବାକୁ ଯୋଜନା ରଖାଯାଇଛି । ବାତ୍ୟା ଗୁଲାବର ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ସୁଙ୍କି ଘାଟିରେ ଭୂସ୍ଖଳନ ହୋଇଛି । ଏଥିଯୋଗୁଁ ଘାଟି ଦେଇ ଗମନାଗମନ ବ୍ୟାହତ ହୋଇଛି । ବିଭିନ୍ନ ରାସ୍ତାରେ ପାଣି ଚାଲିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସ୍ଥାନୀୟ ଲୋକଙ୍କୁ ନିକଟସ୍ଥ ଲ୍ୟାମ୍ପ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ସ୍ଥିତିକୁ ସମୀକ୍ଷା କରିଥିଲେ ।

ବାତ୍ୟା ପ୍ରଭାବରେ କୋରାପୁଟ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଯାଇଛି । ଅନେକ ଘରର ଆଜବେଷ୍ଟସ ଉଡି ଯାଇଛି । ବଡ ବଡ ଗଛ ଉପୁଡ଼ି ରାସ୍ତା ଉପରେ ପଡିରହିଛି । ବାତ୍ୟା ଗୁଲାବ ଲ୍ୟାଣ୍ଡଫଲ ପୂର୍ବରୁ ଗଜପତି ଜିଲ୍ଲା ଗୁମ୍ମା ବ୍ଳକରେ ରାସ୍ତା ଉପରକୁ ମାଟି ଅତଡ଼ା ଧସିଥିଲା । ଭୂସ୍ଖଳନ ଫଳରେ ନାମନଗଡରୁ ଅଜୟଗଡ଼ ମଧ୍ୟରେ ଯାତାୟାତରେ ସମସ୍ୟା ଉପୁଜିଥିଲା । ଜିଲ୍ଲା ପ୍ରଶାସନ ଓ ରେସ୍କ୍ୟୁ ଟିମ୍ ଅପରେସନ୍ ପରେ ସ୍ଥିତି ସ୍ୱାଭାବିକକୁ ଆସିଥିଲା । ସେପଟେ ବାତ୍ୟା ସହ ଭୁସ୍ଖଳନ ବିପଦ ଏଡ଼ାଇବାକୁ ରାଇପାଙ୍କା ଅଞ୍ଚଳର ପାହାଡ଼ ତଳେ ବସବାସ କରୁଥିବା ଲୋକଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ।

ସେହିପରି ମଧ୍ୟରାତ୍ରିରୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିରହିଛି  ବର୍ଷା ସହ ପବନ। ପଟ୍ଟାଙ୍ଗି ଓ କୁନ୍ଦୁଲି ମଧ୍ୟରେ ଜାତୀୟ ରାଜପଥ ଉପରେ ଏକ ବିଶାଳ ଗଛ ଭାଙ୍ଗି ପଡ଼ି ରହିଥିବାରୁ ଭୁବନେଶ୍ୱର-କୋରାପୁଟ ମଧ୍ୟରେ ଗମନାଗମନ ପ୍ରଭାବିତ ରହିଛି। ଉଭୟ ପଟେ ବସ ଗୁଡିକ ଅଟକି ରହିଛି। ତେବେ ପଟ୍ଟାଙ୍ଗିରେ ଅବସ୍ଥାପିତ NDRF ଟିମ ଘଟଣାସ୍ଥଳକୁ ଯାଇଛନ୍ତି। ସେପଟେ କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ରାଳେଗାଡ଼ା ପଞ୍ଚାୟତର ୩ଟି ଗାଁର ୫ଟି ଘରର ଛାତ ଉଡିଯାଇଛି ।

ନାରାୟଣପାଟଣା ଓ ବନ୍ଧୁଗାଁରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ଯାଇଛି । ରାସ୍ତା ଓ ଲୋକଙ୍କ ଘର ଉପରେ ଗଛ ଡାଳ ଭାଙ୍ଗି ପଡ଼ିଥିବାରୁ ଲୋକେ ହଇରାଣ ହୋଇଛନ୍ତି । କଚ୍ଚା ଘର ଗୁଡ଼ିକ ବିଶେଷ ଭାବେ ପ୍ରଭାବିତ ହୋଇଛି । ଅପ୍ରୀତିକର ପରିସ୍ଥିତିକୁ ନଜରରେ ରଖି ବିଦ୍ୟୁତ୍ ସରବରାହକୁ ବନ୍ଦ କରାଯାଇଥିଲା ।

ସେହିପରି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବି ବାତ୍ୟା ଗୁଲାବର ପଡ଼ିଛି ଜବରଦସ୍ତ ପ୍ରଭାବ । ପବନ ଯୋଗୁଁ ଲମତାପୁଟ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତା ଉପରେ ଗଛପଡି ରାସ୍ତା ଅବରୋଧ ହୋଇଥିଲା । ଏପଟେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦ୍ୱାରା ରାସ୍ତା ଉପରେ ପଡିଥିବା ଗଛକୁ କାଟି ସଫା କରାଯାଇଥିଲା । ସେହିପରି ଜିଲ୍ଲାର ବନ୍ଧୁଗାଁ, ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡ଼ା, ପଟାଙ୍ଗିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା । ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଥିଲା । ସେହିପରି ଶୁଙ୍କି ମେଡିକାଲ ନିକଟରେ ପଥର ଧସି ରାସ୍ତା ଅବରୋଧ ମଧ୍ୟ ହୋଇଥିଲା ।