• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ

  • ଦେବାଦେବୀଙ୍କ ପ୍ରତିଛବିଠୁ ଆରମ୍ଭ କରି ଘରସଜା ସାମଗ୍ରୀରେ  ଟ୍ରାଇବାଲ୍ ଆର୍ଟର ଝଲକ 

  • ସ୍ଥାନୀୟ ଅଞ୍ଚଳରେ ଭାଗ୍ୟଶ୍ରୀଙ୍କ କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି

ସାଲେପୁର(ମନୋଜ ଆଚାର୍ଯ୍ୟ) : ନୂଆ ରୂପ ପାଉଛି ଅଦରକାରୀ ସାମଗ୍ରୀ । ସମସ୍ତଙ୍କ ପାଇଁ ଅଦରକାରୀ, ହେଲେ ତାଙ୍କ ପାଇଁ ଅତି ଦରକାରୀ ।  ଫିଙ୍ଗି ଦେଉଥିବା ସାମଗ୍ରୀରେ ଭାଗ୍ୟଶ୍ରୀ ତିଆରି କରୁଛନ୍ତି ମନଲୋଭା ଘରସଜା ସାମଗ୍ରୀ । ତାଙ୍କ  ହାତର ସ୍ପର୍ଶ ପାଇ  ଜୀବନ୍ତ ହୋଇପଡେ ପ୍ରତିଛବି । କେବଳ ଏତିକି ନୁହେଁ ଧୀରେ ଧୀରେ ଭାଗ୍ୟଶ୍ରୀଙ୍କ  ହାତ ତିଆରି କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ତାଙ୍କ ଘରସଜା ସାମଗ୍ରୀ ଦେଖିଲେ ଯେ କେହି ଆକର୍ଷିତ ହେବ ।

ଭଳିକି ଭଳି ରଙ୍ଗବେରଙ୍ଗ ଫ୍ଲାଉଆର୍ ବେସ୍ । ଦେବାଦେବୀଙ୍କ ପ୍ରତିଛବିଠୁ ଆରମ୍ଭ କରି ଘରସଜା ସାମଗ୍ରୀରେ ଟ୍ରାଇବାଲ୍ ଆର୍ଟର ଝଲକ । ଅଦରକାରୀ ସାମଗ୍ରୀରୁ ତିଆରି ଏସବୁ ଘରସଜା ସାମଗ୍ରୀକୁ ଜୀବନ୍ତ ସ୍ପର୍ଶ ଦେଇଛନ୍ତି କଟକ ମହାଜନପୁର ଗାଁର ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଭାଗ୍ୟଶ୍ରୀ ସିଂ । ଅଦରକାରୀ ବୋତଲ, ଲଣ୍ଠନ, ଡିବିରି ବତୀ, କାଠ ଓ ମାଟି ପାତ୍ରରୁ ପ୍ରସ୍ତୁତ କରୁଛନ୍ତି ସୌଖିନ ଘର ସଜା ସାମଗ୍ରୀ । କୋରନା କଟକଣା ପାଇଁ କଲେଜ ବନ୍ଦ ଥିବାବେଳେ କଳା ପ୍ରତି ଭାଗ୍ୟଶ୍ରୀଙ୍କ ଏ ଆଗ୍ରହ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ସଫଳ ଶିଳ୍ପୀର ପରିଚୟ ଦେଇଛି ।

ଭାଗ୍ୟଶ୍ରୀଙ୍କ ଜେଜେବାପା ମଧ୍ୟ ଏହି କଳାରେ ନିପୁଣ ଥିଲେ । ମାତ୍ର ୫ ରୁ ୬ ବର୍ଷ ବୟସ ବେଳୁ ସେ ଜେଜେଙ୍କ ପାଖରେ ବସି ତାଙ୍କ କାମକୁ ନିରେଖି ଦେଖୁଥିଲେ । ତେବେ ଜେଜେବାପା ଚାଲିଯିବା ପରେ ଏଥରୁ ଦୂରେଇ ଯାଇଥିଲେ ଭାଗ୍ୟଶ୍ରୀ । କିନ୍ତୁ ଲକଡାଉନ୍ ତାଙ୍କ ପାଇଁ ସୁଯୋଗ ଆଣିଲା । ଘରେ ବସିବା ଅପେକ୍ଷା କିଛି କରିବା ଭଲ ଚିନ୍ତା କରି ଘରସଜା ସାମଗ୍ରୀ ତିଆରି ଆରମ୍ଭ କରିଥିଲେ ।

ସ୍ଥାନୀୟ ଅଞ୍ଚଳରେ ଏବେ ଭାଗ୍ୟଶ୍ରୀଙ୍କ ଏ କଳାକୃତି ସାମଗ୍ରୀର ଚାହିଦା ବି ବଢୁଛି । ଆଖପାଖ ଲୋକ ବେଶ୍ ଖୁସରେ ଏସବୁ ସାମଗ୍ରୀ କିଣି ନେଉଛନ୍ତି । ଏହାସହ ଅନଲାଇନ ଅର୍ଡରରେ ବି ମିଳୁଛି ଭାଗ୍ୟଶ୍ରୀଙ୍କ ଘରସଜ୍ଜା ସାମଗ୍ରୀ । ବଜାର ଚାହିଦା ଥିବାରୁ ଆଗକୁ ଆହୁରି ଅଧିକ ସାମଗ୍ରୀ ତିଆରି କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ।