• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୁବନେଶ୍ୱର: କରୋନା ମାଡ଼ରେ ଧରାଶାୟୀ ରାଜ୍ୟ ପଯର୍ୟଟନ କ୍ଷେତ୍ର । ଏହି କ୍ଷେତ୍ର ଉପରେ ନିର୍ଭର କରୁଥିବା ପରିବାରଙ୍କ ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇ ପଡିଛି । ହୋଟେଲ ହେଉ କି, ଟୁର୍ସ ଆଣ୍ଡ ଟ୍ରାଭେଲ୍ସ ଅବା ପଯର୍ୟଟନସ୍ଥଳୀ ନିକଟରେ ଛୋଟମୋଟ ଦୋକାନ ଖୋଲି ପେଟ ପୋଷୁଥିବା ବ୍ୟବସାୟୀଙ୍କ ହାତ ବନ୍ଦ କହିଲେ ଚଳେ । ଆଗକୁ ଯଦି ସଂକ୍ରମଣ ସ୍ଥିତିରେ ସୁଧାର ନଆସେ ତେବେ ଏମାନଙ୍କ ଅବସ୍ଥା ଆହୁରି ଖରାପ ହେବାର ଆଶଙ୍କା ରହିଛି । ତେବେ ପଯର୍ୟଟନ ଶିଳ୍ପକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଅନେକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ପଯର୍ୟଟକ ଆସିଲେ, ଏମାନଙ୍କୁ ଦିପଇସା ମିଳେ । ଘରେ ଚୁଲି ଜଳେ ହେଲେ ଏମାନଙ୍କ ପେଟରେ ଲାତ ମାରିଛି କରୋନା ମହାମାରୀ । ଧଉଳିଗିରି ହେଉ କି ଅର୍କକ୍ଷେତ୍ର କୋଣାର୍କ ପଯର୍ୟଟକ ଆସୁନଥିବାରୁ ଏଠି ନାହିଁ ଆଗ ଭଳି ଗହଳିଚହଳି ନାହିଁ । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ପଯର୍ୟଟନ ଶିଳ୍ପ ସହ ଜଡ଼ିତ ପ୍ରତିଟି ପରିବାର ଉପରେ । ଏଇ ଯେମିତି, ଧଉଳିଗିରି ଅଞ୍ଚଳର ଗଗନ ବିହାରୀ ପେସାରେ ଜଣେ ଫଟୋଗ୍ରାଫର, ଶାନ୍ତିସ୍ତୁପ ପରିଦର୍ଶନରେ ଆସୁଥିବା ପଯର୍ୟଟକଙ୍କ ଫଟୋ ଉଠାଇ ଗତ ଦୁଇ ଦଶଦ୍ଧି ହେଲା ପରିବାର ଚଳାଇ ଆସୁଥିଲେ ଗଗନ । ହେଲେ ମହାମାରୀ ଲକଡାଉନ୍ ଓ ସଟଡାଉନକୁ ନେଇ ଧରାଶାୟୀ ପଯର୍ୟଟନ ଶିଳ୍ପ । ଯେଉଁ କାଁ ଭାଁ ପଯର୍ୟଟକ ଆସୁଛନ୍ତି, ନିଜ ମୋବାଇଲରେ ଫଟୋ ଉଠାଇବାକରୁ ବେଶୀ ପସନ୍ଦ କରୁଛନ୍ତି । ଫଳରେ ଗଗନଙ୍କ ଆୟରେ ଲାଗିଯାଇଛି ଗ୍ରହଣ । ସେହିଭଳି ଧଉଳିର ଚଷମା ଦୋକାନୀ ଅଶୋକ ହୁଅନ୍ତୁ ବା କୋଣାର୍କର ଟୁରିଷ୍ଟ ଗାଇଡ୍ ଆଭାସ, ପୂର୍ବରୁ ଦୈନିକ ୫ଶହରୁ ହଜାରେ ଟଙ୍କା ଯାଏଁ ରୋଜଗାର କରୁଥିଲା ବେଳେ ଏବେ ଦୁଇ ଶହ ଛୁଇଁବା ଭାରି ମୁସ୍କିଲ ହୋଇପଡିଛି ।

 

କରୋନାର କୋପ କମିବା ପରେ ପଯର୍ୟଟନ ସ୍ଥାନଗୁଡିକ ଖୋଲିବା ଆରମ୍ଭ ହୋଇଛି । ହେଲେ ସ୍ଥିତି ସଂପୂର୍ଣ୍ଣ ସ୍ୱାଭାବିକ ହୋଇନି । କରୋନା ପୂର୍ବରୁ ରାଜ୍ୟ ହସ୍ପିଟାଲିଟି ଇଣ୍ଡଷ୍ଟ୍ରୀ ମାସକୁ ୧୫୦ କୋଟି ଟଙ୍କା ଆୟ କରୁଥିଲା । ହେଲେ କରୋନା ଯୋଗୁ ଗଲା ୨୦ ମାସ ଭିତରେ ଅଢ଼େଇରୁ ତିନି ହଜାର କୋଟି ଟଙ୍କା କ୍ଷତି ହେଳାଣି । ତେବେ ମହାମାରୀ ଯଦି ଆଉ ଉଗ୍ର ନହୁଏ ତେବେ ଆଗାମୀ ଦିନରେ ସ୍ଥିତି ସୁଧୁରିବା ଆଶା କରାଯାଉଛି ।

ଏପଟେ ପଯର୍ୟଟନ କ୍ଷେତ୍ରକୁ ଟ୍ରାକ୍‌କୁ ଫେରାଇବା ଲାଗି ଉଦ୍ୟମ ଆରମ୍ଭ କରିଛି ରାଜ୍ୟ ପଯର୍ୟଟନ ବିଭାଗ । ଆଗାମୀ ଦିନରେ ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ ଖୋଲିବାକୁ ସ୍ଥିର ହୋକରାଯାଇଛି । ଏହାସହ ‘ଓଡ଼ିଶା ବାଏ ରୋଡ’ର ଦ୍ୱିତୀୟ ସଂସ୍କରଣରେ ଆରମ୍ଭ ହେବ କାରାଭାନ୍ ପଯର୍ୟଟନ ବୋଲି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ।

ରିପୋର୍ଟର- ସଞ୍ଜୟ ପତି, ସୌମ୍ୟରଞ୍ଜନ ସାହୁ, କପିଳେନ୍ଦ୍ର ପ୍ରଧାନଙ୍କ