• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଣାର୍କ(ସଞ୍ଜୟ ପତି) : ଅଶାନ୍ତ ହେଉଛି, କୂଳ ଖାଉଛି । ବେଳକୁ ବେଳ ଭୟଙ୍କର ହେଉଛି ସମୁଦ୍ର । କୂଳ ଲଙ୍ଘି ସମୁଦ୍ର ଜୁଆର ମାଡରେ ଉପକୂଳ ପ୍ରାଚୀର ସଦୃଶ ପ୍ରାକୃତିକ ବାଲିବନ୍ତ ଓ ଝାଉଁ ବଣ ସମୁଦ୍ର ଗର୍ଭରେ ଚାଲିଯିବା ପରେ ଏବେ ସମୁଦ୍ର ଢେଉ ସିଧାସଳଖ ମାଡ ହେଉଛି ପୁରୀ କୋଣାର୍କ ବେଳାମାର୍ଗର ସୁରକ୍ଷା ପ୍ରାଚୀରରେ । ଏକଦା ଏହି ବେଳାମାର୍ଗର ଅନେକ ଦୂରରେ ଥିବା ସମୁଦ୍ର ଏବେ ବେଳମାର୍ଗ ନିକଟସ୍ଥ ହେଲାଣି । ଲଘୁଚାପ ଜନିତ ଜୁଆର କିମ୍ବା ଅମାବାସ୍ୟା ଓ ପୂର୍ଣ୍ଣିମା ଜୁଆର ଏହି ବେଳାମାର୍ଗ ପ୍ରତି ବିପଦ ସୃଷ୍ଟି କରିଛି । ଏଭଳି ସ୍ଥିତି ଜାରି ରହିଲେ ଖୁବ ଶୀଘ୍ର ପୁରୀ କୋଣାର୍କ ବେଳାମାର୍ଗ ସମୁଦ୍ରରେ ଲୀନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।

ପୁରୀ କୋଣାର୍କ ଭୁବନେଶ୍ୱର ଗୋଲ୍ଡେନ ଟ୍ରାଙ୍ଗଲର ଗୋଟିଏ ପାର୍ଶ୍ଵ ହେଉଛି କୋଣାର୍କ ପୁରୀ ବେଳାମାର୍ଗ । ଦୁଇ ପାର୍ଶ୍ଵର ସବୁଜିମା ଓ ଗୋଟିଏ ପାର୍ଶ୍ଵରେ ସମୁଦ୍ରର ନୀଳଜଳ ରାଶି ସବୁବେଳେ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । କୋଣାର୍କ ପୁରୀ ପରି ଦୁଇ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀକୁ ଯୋଡୁଥିବା ଏହି ରାସ୍ତା ପ୍ରତି ଏବେ ବିପଦ ଦେଖାଦେଇଛି । ସାମୁଦ୍ରକ ଜୁଆର ପ୍ରଭାବରେ ମା ରାମଚଣ୍ଡୀ ପୀଠ କୁଶଭଦ୍ରା ମୁହାଣଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ୩ କିଲୋମିଟର ବ୍ୟାପୀ ବେଳାମାର୍ଗର ଗୋଟିଏ ପାର୍ଶ୍ଵରେ ଥିବା ତିନି କିଲୋମିଟର ବ୍ୟାପୀ ପ୍ରାକୃତିକ ବାଲି ବନ୍ଧ ଓ ଜଙ୍ଗଲ ଏବେ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲାଣି । ଅନେକ ସ୍ଥାନରେ ସମୁଦ୍ର କୁଳ ଲଙ୍ଘି ଏହି ବେଳାମାର୍ଗାକୁ ଖାଇବାକୁ ବସିଲାଣି । ଏଭଳି ସ୍ଥିତି ଜାରି ରହିଲେ ଖୁବ କମ ଦିନରେ ଏହି ବେଳାମାର୍ଗ ସମୁଦ୍ରରେ ନିଶ୍ଚିହ୍ନ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ।

ଗ୍ଲୋବାଲ ୱାର୍ମିଂ ପ୍ରଭାବ ଯୋଗୁଁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କୁ ବେଶ ଆକର୍ଷିତ କରୁଥିବା ଏହି ବେଳାମାର୍ଗ ଓ ଏଠାର ବିସ୍ତିର୍ଣ୍ଣ ବେଳାଭୂମି ଅବକ୍ଷୟ ହେଉଥିବା ବିଶେଷଜ୍ଞ ମାନେ କହିଛନ୍ତି । ଏହି ବେଲାମାର୍ଗର ସୁରକ୍ଷା ପାଇଁ ଅଧିକ ଅନୁସନ୍ଧାନ କରି ସରକାର ତୁରନ୍ତ ପଦକ୍ଷେପ ନେବାକୁ ଆଇଆଇଟି ଖଡ଼କପୁରର ଅବସରପ୍ରାପ୍ତ ପ୍ରଫେସର ଶରତଚନ୍ଦ୍ର ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି । ଅନ୍ୟ ପକ୍ଷରେ ଉପକୂଳ ଅବକ୍ଷୟ ପାଇଁ ସ୍ଵତନ୍ତ୍ର ଅନୁସନ୍ଧାନ କରିବାକୁ ଏକ ଯୋଜନା ପ୍ରସ୍ତୁତ କରାଯାଉଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।