• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ପାଣି ଭିତରେ ଆନ୍ଦୋଳନ ।

  • ଡଙ୍ଗାରେ ଉଦ୍ଧାର କଲା ପ୍ରଶାସନ ।

  • ଚିଲିକାର ଏକ କିଲୋମିଟର ଭିତରକୁ ଯାଇ ଲୋକଙ୍କ ଆନ୍ଦୋଳନ ।

ଚିଲିକା: ପାଣି ଭିତରେ ପଶି ଆନ୍ଦୋଳନ କଲେ ଲୋକେ । ବାରମ୍ବାର ସରକାରଙ୍କୁ ତଥା ସ୍ଥାନୀୟ ପ୍ରଶାସନକୁ ନେହୁରା ହେବା ପରେ ମଧ୍ୟ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଏକ ନିଆରା ଆନ୍ଦୋଳନ ପନ୍ଥା ଆପଣାଇଲେ ଗ୍ରାମବାସୀ । ପ୍ରଶାସନ ନଶୁଣିବାରୁ ସେମାନେ ଚିଲିକାରେ ଏକ କିଲୋମିଟର ପାଣି ଭିତରକୁ ଯାଇ ଆନ୍ଦୋଳନ କରିଥିଲେ । 

ବାତ୍ୟା ବନ୍ୟା ନିରୋଧକ ବାସଗୃହ ପାଇବା ପାଇଁ ଚିଲିକାରେ ପଶିଲେ ହିତାଧିକାରୀ । ନିଜର ଦାବି ପାଇଁ ଚିଲିକା ପାଣିରେ ପଶି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ କୃଷ୍ଣପ୍ରସାଦ ବ୍ଲକ୍‌ର ହିତାଧିକାରୀମାନେ । ତେବେ ପାଣି ଭିତରେ ୧ କିଲୋମିଟର ଯିବା ପରେ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲା ପ୍ରଶାସନ । ଜୋର ଜବରଦସ୍ତ ଡଙ୍ଗା ସାହାଯ୍ୟରେ ଓ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଆନ୍ଦୋଳନକାରୀଙ୍କୁ ପାଣି ବାହାରକୁ ଅଣାଯାଇଥିଲା । ସମସ୍ତଙ୍କୁ ଜହ୍ନିକୁଦା ନିକଟକୁ ଅଣାଯାଯିବା ପରେ ପ୍ରଶାସନ ପକ୍ଷରୁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରାଯାଇଥିଲା ।

କୃଷ୍ଣପ୍ରସାଦ ବିଡିଓ ଓ କୃଷ୍ଣପ୍ରସାଦ ଆଇଆଇସି ସମସ୍ତଙ୍କୁ ବୁଝାସୁଝା କରିଛନ୍ତି । ୧୦ ଦିନ ଭିତରେ ଘଟଣାର ତଦନ୍ତ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବାତ୍ୟା ନିରୋଧକ ଗୃହ ପାଇବା ଲାଗି ହିତାଧିକାରୀମାନେ କିଛି ଦିନ ତଳେ କୃଷ୍ଣପ୍ରସାଦ ବ୍ଲକ ସମୁଖରେ ଧାରଣାରେ ବସିଥିଲେ । ହେଲେ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ନହେବାରୁ ଆଜି ଶତାଧିକ ହିତାଧିକାରୀ ଚିଲିକାର ଜହ୍ନିକୁଦା ଘାଟରେ ଏକାଠି ହୋଇ ପୁରୀ ଅଭିମୁଖେ ବାହାରିଥିଲେ ।