• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ସୈନିକର ସାହସ ଓ ବଳିଦାନର ଆଦର୍ଶ କୁଆଡ଼େ ଗଲା ?

  • ଇସ୍ତଫା ପ୍ରସଙ୍ଗରେ ଦୁଇ ପ୍ରକାର ମାନଦଣ୍ଡ କଥା ଉଠାଇବା ସହ ଅତନୁଙ୍କ ଉଦାହରଣ ଦେଇ ଦିବ୍ୟଶଙ୍କରଙ୍କୁ ଟାର୍ଗେଟ

  • କହିଲେ, ଗଣମାଧ୍ୟମ ଶାସକ ଦଳର ଶତ୍ରୁ ନୁହଁନ୍ତି ବରଂ ମିତ୍ର

ଭୁବନେଶ୍ୱର : ସୌମ୍ୟଙ୍କ ସମ୍ପାଦକୀୟ ବାଣ । ମମିତା ମେହେର ପ୍ରସଙ୍ଗରେ ବିଜେଡି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ଦ୍ୱାରା ପ୍ରକାଶିତ ଏକ ଦୈନିକ ଖବରକାଗଜର ସ୍ୱତନ୍ତ୍ର ସ୍ତମ୍ଭ ଆମ ଘରର ହାଲଚାଲରେ ବୃତ୍ତି, ପାର୍ଟି ଓ ମାଟି ଶୀର୍ଷକ ସମ୍ପାଦକୀୟ ଲେଖିଛନ୍ତି । ଏଥିରେ ମମିତା ହତ୍ୟାକାଣ୍ଡକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୂମିକା ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଦର୍ଶାଇଛନ୍ତି । ହତ୍ୟାକାଣ୍ଡର ପ୍ରାୟ ତିନି ସପ୍ତାହ ପରେ ଏକ ପ୍ରେସ ବିବୃତ୍ତି ଦେଇ ଦ୍ୱନ୍ଦ୍ୱକୁ ଆହୁରି ବଢାଇ ଦେଇଥିବା ଉଲ୍ଲେଖ କରିଛନ୍ତି ।

ବୃତ୍ତି, ପାର୍ଟି, ମାଟିର ସ୍ୱାର୍ଥ କଥା ପୁଣି ମନକୁ ଆସୁଛି । ହତ୍ୟାପରି ଏକ ସମ୍ବେଦନଶୀଳ ଓ ଜଘନ୍ୟ ଅପରାଧରେ ଆଇନ ତା’ବାଟରେ ଯିବ ସେଥିପାଇଁ ସେ ଏତେ ଦିନ ନିରବ ଥିଲେ । କିନ୍ତୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଓ ବିରୋଧୀ ରାଜନୈତିକ ଦଳ ଗୁଡିକ ତାଙ୍କୁ ବଦନାମ କରିବା ପାଇଁ ରୀତିମତ ଏକ ଅଭିଯାନ ଆରମ୍ଭ କରିଥିବା ପରି ମନେ ହେବାରୁ ସେ ମୁହଁ ଖୋଲିବାର ଆବଶ୍ୟକତା ଅନୁଭବ କଲେ । କିନ୍ତୁ ସେ କଣ ଭୁଲିଗଲେ କି, ସେ ଗୃହରାଷ୍ଟ୍ରମନ୍ତ୍ରୀ ଥିଲା ପର୍ଯ୍ୟନ୍ତ ତାଙ୍କର କଥିତ ସଂପୃକ୍ତି ଅଭିଯୋଗର ମୁକ୍ତ ଓ ନିରପେକ୍ଷ ତଦନ୍ତ ହୋଇପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟରଞ୍ଜନ ।

 

ସମ୍ ହସ୍ପିଟାଲରେ ନିଆଁ ଲାଗିଯିବା ଘଟଣାରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁବାବୁଙ୍କ କୌଣସି ଭୂମିକା ନଥିଲା । ତଥାପି ମୂଲ୍ୟବୋଧ, ଦଳ ଓ ସରକାରଙ୍କ ଭାବମୂର୍ତ୍ତି ଦୃଷ୍ଟିରୁ ତାଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏହାଦ୍ୱାରା ଦୁଇପ୍ରକାର ମାପଦଣ୍ଡ ଲାଗୁ କରାଯାଇଛି ବୋଲି ଅଭିଯୋଗ ହେଲେ ଆମେ କି ଉତ୍ତର ଦେବା ବୋଲି ସୌମ୍ୟ ରଂଜନ ପଟ୍ଟନାୟକ ତାଙ୍କ ସମ୍ପାଦକୀୟରେ ପ୍ରଶ୍ନ କରିଛନ୍ତି ।

ସାଧାରଣ ମଣିଷ ଅତ୍ୟନ୍ତ ଅସହାୟ ଅନୁଭବ କଲେ ଯେ ଇଶ୍ୱରଙ୍କ ନିକଟରେ ଶରଣାପନ୍ନ ହୁଏ । ତାହା ସହଜରେ ବୁଝି ହେଉଛି । ତେବେ ମାନ୍ୟବର ମନ୍ତ୍ରୀ ଏପରି ଅସହାୟ ଅନୁଭବ କରୁଛନ୍ତି କାହିଁକି ? ଏଥିସହ ଅଞ୍ଜନା ମିଶ୍ର ବଳତ୍କାର ଅଭିଯୋଗ ଘଟଣାରେ ଆଡଭୋକେଟ ଜେନେରାଲ ଇନ୍ଦ୍ରଜିତ ରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରବର୍ତ୍ତୀ ଅବସ୍ଥାରେ କଣ ହେଲା ତାହା ସମସ୍ତଙ୍କୁ ଜଣା ବୋଲି ସେ ଉଲ୍ଲେଖ କରିଛନ୍ତି ।

ଗଣମାଧ୍ୟମ ତାର ବୃତ୍ତିଗତ କୌଳୀନ୍ୟ ରକ୍ଷା କରିବା ସଙ୍ଗେ ସଙ୍ଗେ ଆବଶ୍ୟକ ସତ୍ୟ ଖବର ଦେଇ ସୁଶାସନ ପାଇଁ ସହାୟକ ହୋଇଥାଏ । ସତ୍ୟାଗ୍ରହୀ ଗଣମାଧ୍ୟମଗୁଡିକ ବିରୋଧୀ ଦଳମାନଙ୍କ ଭଳି ଶାସକ ଦଳର ଶତ୍ରୁ ନୁହଁନ୍ତି, ବରଂ ମିତ୍ର ହୋଇପାରନ୍ତି । ଏହାଦ୍ୱାରା ପାର୍ଟିର ଭାବମୂର୍ତ୍ତି ଉଜ୍ଜ୍ୱଳ ହେବ ସିନା ମଳିନ ପଡିବ ନାହିଁ  ଓଲଟା ଭାବମୂର୍ତ୍ତିକୁ ମଳିନ କରୁଥିବା ତଥାକଥିତ ପ୍ରଭାବଶାଳୀ ନେତୃବୃନ୍ଦଙ୍କ କବଳରୁ ପାର୍ଟିକୁ ମୁକ୍ତ କରିହେବ ବୋଲି ସୌମ୍ୟରଂଜନ ତାଙ୍କ ସମ୍ପାଦକୀୟରେ ଲେଖିଛନ୍ତି ।