• translate
Prangyan Parimita

କାମାକ୍ଷାନଗର(ବିଦ୍ୟାଧର ବରାଳ) ବଦଳୁଛି କ୍ୟାଲେଣ୍ଡରର ତାରିଖ,ମାସ ଆଉ ବର୍ଷ । କିନ୍ତୁ ବଦଳି ପାରୁନି ଅପହଞ୍ଚ ଇଲାକାର ଚିତ୍ର । ବଦଳି ଯାଇଛି ମାଓ ସଙ୍ଗଠନର ମୋଷ୍ଟ ୱାଣ୍ଟେଡ଼ ସଦସ୍ୟଙ୍କ ମାଓ କାର୍ଯ୍ୟକଳାପ କିନ୍ତୁ ବଦଳି ପାରୁନି ପ୍ରଶାସନର ପୋଥି ପେଡି ଭିତରେ ଚାପି ହୋଇ ରହିଥିବା ନିରୀହ ଆଦିବାସୀଙ୍କ ଭାଗ୍ୟ । ପରାଧୀନ ଭାରତ ବର୍ଷର ଛାପ ଆଜିବି ୭୫ ବର୍ଷ ପରେ ଜଳ ଜଳ ହୋଇ ଦୃଶ୍ୟପଟରେ ଦୃଶ୍ୟମାନ ହେଉଛି ।

ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ । ଏହି ବ୍ଲକର ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି ଅନେକ ଛୋଟ, ବଡ଼ ଗାଁ । ଅନେକ ଅଂଚଳ ଆଜିବି ଅପହଞ୍ଚ । ବାଲିକୁମା ପଂଚାୟତରେ ରହିଛି କଳସପୁର ଗାଁ । ଆଉ ଏହି ଗାଁର ଦୁଇଟି ବସ୍ତି ହେଉଛି କଇଁଆସାହି ଓ ବାଲିସାହି । ଏଠାକାର ଲୋକ ସ୍ୱାଧୀନତା ପାଇଛନ୍ତି ସତ କିନ୍ତୁ ସ୍ୱାଧୀନତାର ବାସ୍ତବ ଦୁନିଆଁର ସ୍ୱାଦକୁ ଉପଭୋଗ କରିନାହାନ୍ତି । ବିଜ୍ଞାନ ,ପ୍ରଯୁକ୍ତିବିଦ୍ୟା ଓ ବୈଷୟିକ ଜ୍ଞାନରେ ବେଶ ଉଚ୍ଚରେ ରହି ପାରଙ୍ଗମ ଥିବା ଭାରତ ବର୍ଷର କୋଣ ଅନୁକୋଣର ଚିତ୍ର ବଦଳି ଯାଇଛି । କିନ୍ତୁ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ଅବତୀର୍ଣ୍ଣ ଏହି ଅପହଞ୍ଚ ଇଲାକାର ଭାଗ୍ୟ ସରକାରଙ୍କ ପୋଥି ଆଉ ପେଡି ଭିତରେ ଚାପି ହୋଇ ଯାଇଛି ।

ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ବାସିନ୍ଦା । କିଛି ବର୍ଷ ପୂର୍ବରୁ ଛାତି ଥରା, ହୃଦୟରେ ଆଲୋଡନ ସୃଷ୍ଟି କରୁଥିବା ଅଞ୍ଚଳ ଥିଲା କଇଁଆସାହି ଓ ବାଲିସାହି । ମାଓବାଦୀଙ୍କ ଗୁଳିର ଶବ୍ଦରେ ଥର ହର ହେଉଥିଲା ରଞ୍ଜାଗଡ଼ର ଘଞ୍ଚ କିଟି କିଟି ଜଙ୍ଗଲ । କେତେ ଯେ ଘଟଣା ଓ ଅଘଟଣ ଦେଖିଛି ଏହି ଅଂଚଳ । ସରକାରଙ୍କ କଥାରେ ରାଜି ହୋଇ ମାଓ ସଂଗଠନ ଛାଡିଥିଲେ ଅନେକ ନିରୀହ ଆଦିବାସୀ । ଏବଂ ସାଧାରଣ ଭାବରେ ଜୀବିକା ନିର୍ବାହ କରିବା ପାଇଁ ନେଇଥିଲେ ପ୍ରତିଶ୍ରୁତି । ୨୦୦୭ ମସିହାରେ ମାଓ ନେତା ରଥ ତିରିଆ ,ବାବୁଲି ଦରେଇ ,ବରୀ ଦରେଇ ଓ ବଜେୟା ହେମ୍ବ୍ରମଙ୍କ ପରି ମାଓ ନେତା ସଙ୍ଗଠନକୁ କରିଥଲେ ଆଲବିଦା । ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ ଏହି ଆଦିବାସୀ ।

ଏକ ଦଶନ୍ଧିରୁ ଅଧିକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଯଥା ପୂର୍ବଂ ତଥା ପରଂ ସ୍ଥିତ । ଏବେ ବି ସେମାନଙ୍କ ପରିସ୍ଥିତି ଭୟଙ୍କର । ସତେ ଯେମିତି ଗୋରା ସାହେବଙ୍କ ସାମ୍ରାଜ୍ୟ ଭିତରେ ତାଡନା ପାଇ ବନରେ ଏମାନେ ଗୁପ୍ତରେ ଲୁଚି ରହିଛନ୍ତି । ଗମନାଗମନ ଓ ଯାତାୟତ ସମ୍ପୂର୍ଣ୍ଣ ଠପ । ରୋଗୀଙ୍କ ଭାଗ୍ୟ ଖଟିଆରେ ଥିବା ପ୍ରତିଟି ଖିଅର ବୁଣା ହୋଇଥିବା ଝୋଟ ଦଉଡି ଭିତରେ । ଭଗବାନଙ୍କ ଆଶୀର୍ବାଦ ଥିଲେ ସେମାନେ ନୂଆଁ ଜନ୍ମ ପାଇଥାନ୍ତି । ନଚେତ ସେହି ଖଟିଆ ଶ୍ମଶାନକୁ ଯାଇଥାଏ । ଏଠାରେ ସରକାରଙ୍କ ଆମ୍ବୁଲାନ୍ସ ସେବା ସମ୍ପୂର୍ଣ୍ଣ ଠପ ।

ରୋଗୀକୁ ଖଟିଆରେ ବୋହା ହୋଇ ପ୍ରାୟ ୨ ରୁ ୩ କିଲୋମିଟର ବାଟ ଆଣିଲା ପରେ ଆମ୍ବୁଲାନ୍ସରେ ମେଡ଼ିକାଲକୁ ନିଆ ଯାଇଥାଏ । ତେବେ ଗାଁ ପାଖାପାଖି କୌଣସି ମେଡ଼ିକାଲ ନାହିଁ । ପ୍ରାୟ ୨୦ ରୁ ୨୫ କିଲୋମିଟର ଆସିଲା ପରେ କଙ୍କଡ଼ାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ହିଁ ଏକମାତ୍ର ସାହା ଭରସା । ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏଠାକାର ଲୋକ । ଲୋକଙ୍କ ଚାଷ ଜମି ପାଇଁ ଜଳର କୌଣସି ସୁବିଧା ନାହିଁ । ବର୍ଷାଜଳ ହିଁ ଏକମାତ୍ର ସାହା ଭରଷା । ବର୍ଷା ନହେଲେ ଜଙ୍ଗଲରେ ଥିବା ଜଙ୍ଗଲୀ ଜାତ ଖାଦ୍ୟକୁ ଖାଇ ଜୀବନ ଅତିବାହିତ କରନ୍ତି । ପାଖରେ ଦଣ୍ଡାଧାର ଡ୍ୟାମ ଓ ଏହାର ଶାଖା କେନାଲ ଗୁଡିକ ଥିଲେ ମଧ୍ୟ କଳସପୁରର ଏହି ଅଞ୍ଚଳରେ ଜଳସେଚନର କୌଣସି ସୁବିଧା ନାହିଁ । ଆଜି ପର୍ଯ୍ୟନ୍ତ କୌଣସି ରାଜନେତା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଏ ଅଂଚଳ ଉପରେ ପଡ଼ିନାହିଁ । କେବଳ ନିର୍ବାଚନ ଆସିଲେ ପାହାଡ଼ ପରି ପ୍ରତିଶ୍ରୁତି ଆଉ ପ୍ରତିଶ୍ରୁତି ଦିଆ ଯାଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମୌଳିକ ସୁବିଧା କେବଳ ସରକାରୀ ବାବୁଙ୍କ ଫାଇଲ ଭିତରେ ଚାପି ହୋଇ ଯାଇଛି । ଏହି ଅପହଞ୍ଚ ଇଲାକାରେ ଶିକ୍ଷା ,ସ୍ୱାସ୍ଥ୍ୟ ,ପାନୀୟ ଜଳ ଓ ଗମନାଗମନର ସୁବିଧା ସମ୍ପୂର୍ଣ୍ଣ ଅପହଞ୍ଚ ହୋଇ ରହିଛି ।

୨୦୦୭ ମସିହାରେ ମାଓ ସଙ୍ଗଠନରୁ ଆଲବିଦା ନେବା ପରେ ଶେଷ ଥର ପାଇଁ ଲୋକ ମାନଙ୍କ ପାଇଁ ବିକାଶର ପାଦ ଚିହ୍ନ ୨୦୧୩ ମସିହାରେ ପଡିଥିଲା । ତତ୍କାଳୀନ ଜିଲ୍ଲାପାଳ ରୂପାରୋଶନ ସାହୁଙ୍କ କରକମଳ ଦ୍ୱାରା ଫାଉଣ୍ଡେସନ ଫର ଇକୋଲୋଜିକଲ ସିକ୍ୟୁରିଟି ,ଅନୁଗୁଳ ଏବଂ ନାବାର୍ଡ ପକ୍ଷରୁ ପାନୀୟ ଜଳର ଏକ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଯାହା ଝରଣା ପାଣିରୁ ନଳ ଯୋଗେ ଲୋକଙ୍କ ପାଖରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ପ୍ରକଳ୍ପଟି ଆରମ୍ଭ ହେବାର କିଛି ଦିନ ପରେ ଅଚଳ ହୋଇ ଗଲା । ଲୋକଙ୍କ ପାନୀୟ ଜଳ ପାଇବାର ଆଶା କେବଳ ଆଶା ମଧ୍ୟରେ ରହିଗଲା । ବହୁ କଷ୍ଟରେ ସରକାର ସେଠାକୁ ବିଦ୍ୟୁତ ସଂଯୋଗର ବ୍ୟବସ୍ଥା କରିଛନ୍ତି ଏବଂ ଏକ ଟ୍ରାନ୍ସଫର୍ମର ବସେଇଛନ୍ତି । କିନ୍ତୁ ବିଜୁଳି ଆଲୁଅର ଲୁଚକାଳି ଭିତରେ ଲୋକମାନେ କେବଳ ବିଜୁଳି ଆଲୋକକୁ ଦେଖୁଛନ୍ତି କିନ୍ତୁ ଉପଭୋଗ କରି ପାରୁନାହାନ୍ତି ।

ଏହି ସବୁ ମୌଳିକ ସୁବିଧାର ଲଢେ଼ଇ ଭିତରେ ପିଲାଙ୍କ ପାଠ ପଢାରେ ଡୋରି ଲାଗି ଯାଇଛି । ପିଲାମାନେ ପାଠ କଣ ଜାଣି ନାହାଁନ୍ତି । କୁନି କୁନି କଅଁଳ ଆଖିରେ ସେମାନେ ଜଙ୍ଗଲର ପଶୁ ପକ୍ଷୀଙ୍କୁ ଦେଖୁଛନ୍ତି । କହରା ଆଖିକୁ ପୁଙ୍ଗୁଳା ଦେହ ସ୍ୱାସ୍ଥ୍ୟତାର ଝଲକର ଏକ ନମୁନା । ଏ ନେଇ ଆମେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ତେବେ ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ସେ ମତବ୍ୟକ୍ତ କରିଛନ୍ତି ।

ମାଓ ସଙ୍ଗଠନ ତ୍ୟାଗ କରି ସାଧାରଣ ଜୀବନ କାଟୁଥିବା ଆଦିବାସୀଙ୍କ ପାଇଁ ସରକାରଙ୍କର କେବେ ପଡୁଛି ଦୃଷ୍ଟି ? କେବେ ବଦଳିବ ଏହି ଅପହଞ୍ଚ ଇଲାକାର ଭାଗ୍ୟ । କେବେ ମିଳିବ ସେମାନଙ୍କୁ ସେମାନଙ୍କ ମୌଳିକ ସୁବିଧା । ଏ ସବୁକୁ ହିଁ ଅପେକ୍ଷା ।

Other Stories