• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦୁଝର: କେନ୍ଦୁଝରରେ ଆୟୂଷ ଡାକ୍ତରଙ୍କ ଅସହଯୋଗ ଆନ୍ଦୋଳନ । ସରକାର ନିଯୁକ୍ତିର ୬ ବର୍ଷ ପରେ ନିୟମିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ବି ୧୪ ବର୍ଷ ହେଲା ପ୍ରତିଶ୍ରୁତି ପାଳନ ହେଉନଥିବା ଆୟୂଷ ଡାକ୍ତର ସଂଘ ଅଭିଯୋଗ କରିଛି । ଚାକିରି ସ୍ଥାୟୀ ନହେବାରୁ ଆୟୂଷ ଡାକ୍ତର ସଂଘ ଏବେ ଆନ୍ଦୋଳନକୁ ଓହ୍ଲାଇଛି । ପାହାଡ଼ିଆ ତଥା ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ ଜିଲ୍ଲାରେ ୬୧ ଜଣ ଆୟୂଷ ଡାକ୍ତର ଠିକା ଭାବେ ନିଯୁକ୍ତି ପାଇଥିଲେ ।

ଏମାନେ ସମସ୍ତେ ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସେବା ଯୋଗାଇ ଆସୁଛନ୍ତି । ତେବେ ଏଭଳି ନିଯୁକ୍ତିକୁ ୧୪ ବର୍ଷ ବିତି ଯାଇଥିଲେ ବି ଏଯାଏଁ ସେମାନଙ୍କୁ ନିୟମିତ କରାଯାଇ ନାହିଁ । ଫଳରେ ସେମାନେ ଅସହଯୋଗ ଆନ୍ଦୋଳନ କରିଛନ୍ତି । ବିଭିନ୍ନ ଡାକ୍ତରଖାନାରେ ଆନ୍ଦୋଳନ ଚାଲିଥିବାରୁ ଚିକିତ୍ସା ନପାଇ ରୋଗୀ ଫେରିଯାଉଥିବା ଦେଖିବାକୁ ମିଳିଛି । ତେବେ ଡାକ୍ତରଙ୍କ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଗୋଟିଏ ପଟେ କାରୋନା ପାଇଁ ଆଗ ଧାଡ଼ିର ଯୋଦ୍ଧା ତଥା ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରମାନଙ୍କୁ କେନ୍ଦ୍ର ସରକାର ବାହାବାହା ଦେଉଥିବା ବେଳେ ଓଡ଼ିଶାରେ ଡାକ୍ତରଙ୍କୁ ହେୟଜ୍ଞାନ କରାଯାଉଥିବା ଅଭିଯୋଗ ହୋଇଛି । ଦୁର୍ଗମ ଅଞ୍ଚଳରେ ତଥା ଯେଉଁଁଠିକି ଚାଲିକି ଯିବା ବି ସମ୍ଭବ ନୁହେଁ ସେହି ସ୍ଥାନକୁ ଏହି ଡାକ୍ତରମାନେ ଯାଇ ଲୋକଙ୍କ ସେବା କରୁଛନ୍ତି । ହେଲେ ସେମାନଙ୍କୁ ଆଜି ଯାଏଁ ସ୍ଥାୟୀ ନିଯୁକ୍ତି ମିଳିନାହିଁ ।

କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା ଯେ, ଏଣିକି ଆଉ କେହି କଣ୍ଟ୍ରାକ୍‌ଚୁଆଲ୍‌ ନିଯୁକ୍ତିରେ ରହିବେନି । ସେମାନଙ୍କୁ ଇନିସିଆଲ ଆପୋଇଣ୍ଟିସ୍‌ ଭାବେ ଗ୍ରହଣ କରାଯିବ । ସେମାନଙ୍କ  ଦରମା ମଧ୍ୟ ବୃଦ୍ଧି କରାଯିବ । ଆଉ ୬ ବର୍ଷରେ ସେମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯିବ । ହେଲେ କେନ୍ଦୁଝରରେ ଆୟୁଷ ଡାକ୍ତରଙ୍କ ଅଭିଯୋଗ ଶୁଣିଲେ ଲାଗୁଛି ସରକାରଙ୍କ ଯୋଜନା କେବଳ ଘୋଷଣାରେ ହିଁ ରହିଯାଉଛି । ଯେଉଁଠି ଡାକ୍ତରଙ୍କୁ ଗୁରତ୍ୱ ଦିଆଯାଉନି ସେଠାରେ ଅନ୍ୟ ସାଧାରଣ ଚାକିରିଆଙ୍କୁ କିଭଳି ଗୁରୁତ୍ୱ ଦେଉଥିବେ ସରକାର, ତାହା ସ୍ପଷ୍ଟ ଅନୁମେୟ ।