• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ପରିବେଶ ସୁରକ୍ଷା ସହ ଚାଲିଛି ସହରର ଉନ୍ନତିକରଣ କାମ

  • ୨ ବର୍ଷରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନର ଲକ୍ଷ୍ୟ

ଅନୁଗୁଳ(ବିରଜା ପ୍ରସାଦ ଦାଶ) :  ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଠାରୁ ପର୍ଯ୍ୟଟନ ବୁଠି ଲାଗିବ ଉନ୍ନତିର ଛାପ । ଅଦରକାରୀ ଜିନିଷରୁ ତିଆରି ହେଉଛି ସୁନ୍ଦର ପ୍ରତିମୂର୍ତ୍ତି । ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଆଗାମୀ ୨ବର୍ଷ ମଧ୍ୟରେ ଜିଲ୍ଳାର ସର୍ବାଙ୍ଗୀନ ଉନ୍ନତି କରାଯିବାନେଇ ରହିଛି କାର୍ଯ୍ୟକ୍ରମ । ସେହିକ୍ରମରେ ଅନୁଗୋଳ ସହରକୁ ସ୍ମାର୍ଟ ସିଟି ରୂପେ ସଜେଇବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ଚାଲିଛି ଜୋରସୋରରେ ପ୍ରସ୍ତୁତି ।  ସହରରୁ ବାହାରୁ ଥିବା ବିଭିନ୍ନ ଲୁହାର ଅଦରକାରୀ ଜିନିଷରୁ ଭଳିକି ଭଳି ଆକର୍ଷଣୀୟ ପ୍ରତିମୂର୍ତ୍ତି ତିଆରି ହେଉଛି । ଏହାଦ୍ୱାରା କେବଳ ଅଦରକାରୀ ବସ୍ତୁ ଯେ ନୂଆ ପରିଚୟ ପାଉଛି ତା ନୁହେଁ, ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକାଯାଇପାରୁଛି ।

ଶିଳ୍ପ ସମୃଦ୍ଧ ଅନୁଗୋଳ ଜିଲ୍ଲାରେ ରହିଛି ଅନେକ ଶିଳ୍ପାନୁଷ୍ଠାନ। ସେସବୁରୁ ବାହାରୁଥିବା ଅଦରକାରୀ ପଦାର୍ଥକୁ ବ୍ୟବହାର କରି ପ୍ରସ୍ତୁତ ହେଉଛି ସୌନ୍ଦର୍ଯ୍ୟର ନୂଆ ନମୂନା । ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟିକୁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ କରାଯାଇ ଅନୁଗୋଳକୁ ସ୍ମାର୍ଟ ଲୁକ ଦେବାର ରହିଛି ଯୋଜନା । ଏହାଦ୍ୱାରା ଶିଳ୍ପାନୁଷ୍ଠାନରୁ ବାହାରୁଥିବା ଅଦରକାରୀ ପଦାର୍ଥର ଯେ କେବଳ ସଠିକ ପରିଚାଳନା ହୋଇପାରୁଛି ତାହାନୁହେଁ ପରିବେଶ ସୁରକ୍ଷାର ବାର୍ତ୍ତା  ଦିଆଯାଉଛି।

ଅଦରକାରୀ ଲୁହାକୁ ମିଳିଛି ନୂଆ ପରିଚୟ । ପୁରୁଣା ଓ ଅଦରକାରୀ ଲୁହାକୁ ଦିଆଯାଇଛି ନୂଆ ରୂପ । ବଳକା ରହିଯାଉଥିବା ଲୁହାରୁ ତିଆରି ହୋଇଛି ବିଭିନ୍ନ ପ୍ରକାର ପ୍ରତିମୂର୍ତ୍ତି । ଏସବୁ ଏତେ ସୁନ୍ଦର ଭାବେ ତିଆରି ହୋଇଛି ଯେ ଯିଏ ଦେଖିବ ସେ ଘଡ଼ିଏ ଅଟକି ଯିବ । ଶିଳ୍ପୀଙ୍କ ପରିଶ୍ରମ ବଳରେ ଜୀବନ୍ତ ହୋଇଛି ଅଦରକାରୀ ସାମଗ୍ରୀ  ଏହା ସହ ଭଗ୍ନ ଯନ୍ତ୍ରପାତିରେ ନିର୍ମିତ ହସ୍ତୀ, ବୀରତ୍ୱକୁ ପ୍ରଦର୍ଶନ କରୁଥିବା ସିଂହ,ସଙ୍ଗୀତ ବାଦ୍ୟଯନ୍ତ୍ର ଓ ପୁରାତନ ସଂସ୍କୃତିକୁ ଉଜ୍ଜୀବିତ କରି ରଖିଥିବା ଆଦିବାସୀ ପରମ୍ପରାକୁ ଚିତ୍ରଣ କଲାଭଳି ତିଆରି ହେଉଛି ପ୍ରତିକୃତି । କେବଳ ଯେ ସହରର ସୌନ୍ଦର୍ଯ୍ୟକରଣ କରାଯାଉଛି ତାହାନୁହେଁ ଭିଜନ-୨୦୨୩ ଯୋଜନା ମାଧ୍ୟମରେ ଶିକ୍ଷା,ସ୍ୱାସ୍ଥ୍ୟ, ଗମନାଗମନ, କ୍ରୀଡ଼ା, କୃଷି,ବ୍ୟବସାୟ,ପର୍ଯ୍ୟଟନ ଓ ରୋଜଗାର ବୃଦ୍ଧି ଦିଗରେ ଏକ ବଡ଼ ଧରଣର ଉନ୍ନତି ନିମନ୍ତେ ରହିଛି ଯୋଜନା । । ସହରକୁ ସରସ ସୁନ୍ଦର ଭାବେ ଗଢ଼ି ତୋଳିବା ପାଇଁ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମ ।

କରୋନା ସମୟରେ ଲୋକେ ଜୀବିକାକୁ ନେଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜିଲ୍ଲା ପ୍ରଶାସନର ଉଦ୍ୟମ ଯୋଗୁଁ ଅନେକ ଶିଳ୍ପୀ ଓ ଶ୍ରମିକମାନେ ରୋଜଗାରକ୍ଷମ ହୋଇପାରିଛନ୍ତି । ଏଥିଯୋଗୁଁ ଶିଳ୍ପାନୁଷ୍ଠାନରୁ ଆସୁଥିବା ବର୍ଯବସ୍ତୁର ସଠିକ ପରିଚାଳନା ହେବା ସହ ପରିବେଶକୁ ପ୍ରଦୂଷିତ ହେବାରୁ ରକ୍ଷା କରାଯାଇ ପାରୁଛି । ଖାଲି ଅଦରକାରୀ ପଦାର୍ଥର ସୁପରିଚାଳନା ନୁହେଁ, ୨ ବର୍ଷ ଭିତରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଅନୁଗୋଳ ସହରକୁ ସ୍ମାର୍ଟସିଟି ରୂପେ ସଜେଇବାକୁ ଜିଲ୍ଳା ପ୍ରଶାସନର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ସହରର ଜନସାଧାରଣ ।