• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭଦ୍ରକ( ପାର୍ଥ ସାରଥୀ ନାୟକ) : ୨୦ ବର୍ଷର ଦୃଷ୍ଟିବାଧିତ ପିଲାଟିଏ । କିନ୍ତୁ ପ୍ରଚଣ୍ଡ ସ୍ୱାଭିମାନୀ । ଜନ୍ମରୁ ଶତ ପ୍ରତିଶତ ଦୃଷ୍ଟିବାଧିତ ହୋଇ ମଧ୍ୟ ଜୀବନ ଯୁଦ୍ଧରେ ହାରିନାହାନ୍ତି । ସମାଜକୁ କିଛି ସକାରାତ୍ମକ ବାର୍ତ୍ତା ଦେବାକୁ ସାହସ ଜୁଟାଇଛନ୍ତି । ଆଲୋକର ପର୍ବ ଦୀପାବଳିର ଆଲୋକ କେବେ ଦେଖିବାର ସୁଯୋଗ ତାଙ୍କ ଭାଗ୍ୟରେ ଆସିନାହିଁ । ଭବିଷ୍ୟତରେ ମଧ୍ୟ ଏପରି ଘଟିବାର ସମ୍ଭାବନା ନାହିଁ । ତଥାପି ପ୍ରତ୍ୟେକ ମୁହୂର୍ତ୍ତରେ ଅନ୍ଧକାରକୁ ଦେଖି ଆସିଥିବା ଦୃଷ୍ଟିବାଧିତ ମେଧାବୀ ଛାତ୍ର କଳ୍ପତରୁ ଦାସ ଆଲୋକର ପର୍ବ ପାଇଁ ଦୀପ ଓ କ୍ୟାଣ୍ଡେଲ ବିକ୍ରି କରି ନିଜ ଆର୍ଥିକ ଆବଶ୍ୟକତାକୁ ପୂରଣ ସହ ଅନ୍ୟଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ।

ଭଦ୍ରକ ବ୍ଲକ କୋରକୋରା ପଞ୍ଚାୟତ ରାଜପୁର ତିହିଡ଼ି ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁତ୍ର କଳ୍ପତରୁ । ଜନ୍ମରୁ ସେ ଶତପ୍ରତିଶତ ଦୃଷ୍ଟିବାଧିତ । କେବଳ ସେ ନୁହନ୍ତି; ମା’ ସରୋଜିନୀ ଦାସଙ୍କ ସମେତ ପରିବାରର ମାମୁ, ଆଈ ମଧ୍ୟ ଶତ ପ୍ରତିଶତ ଦୃଷ୍ଟିବାଧିତ । ପୁଅର ଏପରି ଅବସ୍ଥା ଦେଖିବା ପରେ ବାପା ପୂର୍ଣ୍ଣଚନ୍ଦ୍ର ତାଙ୍କୁ ଆରଏନ ବେତରା ସ୍ଥିତ ଅଭିନ୍ନ ସୁନ୍ଦର ଦୃଷ୍ଟିହୀନ ବିଦ୍ୟାଳୟରେ ନାମ ଲେଖାଇଥିଲେ । ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କଳ୍ପତରୁଙ୍କ ନିକଟରେ ଭରି ରହିଥିଲା ଦୃଢ଼ ଇଚ୍ଛାଶକ୍ତି, ଗଭୀର ଆତ୍ମବିଶ୍ଵାସ ।

ମାଟ୍ରିକ ପରୀକ୍ଷାରେ ଉକ୍ତ ବିଦ୍ୟାଳୟରୁ ୫୧ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଭଦ୍ରକ କନିଷ୍ଠ ମହାବିଦ୍ୟାଳୟ + ୨ କଳାରେ ୫୬ ପ୍ରତିଶତ ନମ୍ବର ରଖ୍ କୃତକାର୍ଯ୍ୟ ହୋଇଥିଲେ । ଚାହିଁଥିଲେ ସେ ନିକଟବର୍ତ୍ତୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ସ୍ନାତକ ଶିକ୍ଷା ଲାଭ କରି ପାରିଥାଆନ୍ତେ। ମାତ୍ର ତାଙ୍କର ଇଚ୍ଛା ଥିଲା ରାଜ୍ୟର ଗୌରବମୟ ବିଜେବି ମହାବିଦ୍ୟାଳୟରେ ପାଠ ପଢ଼ିବେ । କଳ୍ପତରୁଙ୍କ ଆଗ୍ରହ ସାମ୍ନାରେ ପ୍ରତିକୂଳ ପରିସ୍ଥିତି ମୁଣ୍ଡ ନୁଆଁଇଥିଲା । ଏବେ ସେ ବିଜେବି କଲେଜରେ + ୩ ରାଜନୀତି ବିଜ୍ଞାନ ପ୍ରଥମ ବର୍ଷ(ରଜନୀତବିଜ୍ଞାନ)ର ଛାତ୍ର । ସରକାରଙ୍କ ପକ୍ଷରୁ ତାଙ୍କୁ ବର୍ଷରେ ୩ହଜାର ଟଙ୍କା ଷ୍ଟାଇପେଣ୍ଡ୍ ଓ ମଧୁବାବୁ ପେନସନ ଯୋଜନାରେ ୭ଶହ ଟଙ୍କା ମାସିକ ଭତ୍ତା । କୌଣସି ସମୟରେ କଳ୍ପତରୁ ପରିବାର ଉପରେ ବୋଝ ହେବାକୁ ଚାହିଁ ନାହାନ୍ତି ।

ସୋମବାର ଗେଲପୁର ବାପୁଜୀ ଉଚ୍ଚ ବିଦ୍ୟାଳୟ ଛକ ସ୍ଥିତ ମାର୍କେଟ କମ୍ପ୍ଲେକ୍ସ ସମ୍ମୁଖରେ କଳ୍ପତରୁ ଦୀପ ଓ କ୍ୟାଣ୍ଡେଲ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । କୌଣସି ହୋଲସେଲ ଦୋକାନରୁ ଆଣି ସେ ଏହା ବିକ୍ରି କରୁନଥିଲେ । ଦୃଷ୍ଟିହୀନ ବିଦ୍ୟାଳୟରେ ପଢ଼ିବା ସମୟରେ ଆତ୍ମନିର୍ଭରଶୀଳ ହେବା ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଯେଉଁ ତାଲିମ ଦିଆଯାଇଥିଲା, ସେଥୁରୁ ସେ ସମସ୍ତ କଳାତ୍ମକ ଜ୍ଞାନ ଆହରଣ କରିଥିଲେ । ନିଜେ ଦୀପ ଓ କ୍ୟାଣ୍ଡେଲ ତିଆରି କରି ଏବେ ଦୀପାବଳି ପୂର୍ବରୁ ବଜାରରେ ବିକ୍ରି କରୁଛନ୍ତି । ବିଜେବି କଲେଜରେ ନାମ ଲେଖାଇବାକୁ ଯାଇଥିବା ବେଳେ କଳ୍ପତରୁ ଏକ ମହମବତୀ ତିଆରି ମେସିନ ନିଜ ସ୍କଲାରସିପ୍ ଅର୍ଥରେ କିଣି ଆଣିଥିଲେ । ନିଜ ସମ୍ପର୍କୀୟଙ୍କ ସହ ଭଦ୍ରକ ମାର୍କେଟରୁ କ୍ୟାଣ୍ଡେଲ ତିଆରି ସରଞ୍ଜାମ କିଣି ଏହାକୁ ନିର୍ମାଣ କରୁଛନ୍ତି ଓ ନିଜ ଗାଁ ଛକରେ ବିକ୍ରି କରୁଛନ୍ତି।

ଦୀପାବଳି ଅବସରରେ ଲୋକମାନେ ନିଜ ଘରକୁ କ୍ୟାଣ୍ଡେଲ, ଦୀପ, ଏଲଇଡି ଲାଇଟରେ ସଜାଇ ଆନନ୍ଦ ଉଠାଇବେ । କଳ୍ପତରୁ ସେମାନଙ୍କ ଆନନ୍ଦର ଏକ ଅଂଶ ବିଶେଷ ହୋଇ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି କହିଛନ୍ତି । କଲେଜ ଯିବା ପାଇଁ ସେ କପଡ଼ା କିଣି ସାରିଛନ୍ତି । ସିଲେଇ ପାଇଁ ତାଙ୍କ ନିକଟରେ ଅର୍ଥ ନାହିଁ । କାରଣ ସ୍କଲାରସିପ ପଇସାରେ ମହମବତୀ ଛାଞ୍ଚ କିଣି ଦେଇଛନ୍ତି ।

୧୦ ଦିନ ପୂର୍ବରୁ ଆରମ୍ଭ କରିଥିବା ଏହି ଉଦ୍ୟମର ଲାଭାଂଶ ଅର୍ଥରେ ସେ ନିଜ କଲେଜ ୟୁନିଫର୍ମ ସିଲେଇ କରିବା ସହ ବଳକା ଅର୍ଥ ପାଠ ପଢ଼ା ପାଇଁ ଖର୍ଚ୍ଚ କରିବେ ବୋଲି କଳ୍ପତରୁ କହିଛନ୍ତି । ତେବେ କଳ୍ପତରୁଙ୍କ ପରି ଜଣେ ଦୃଷ୍ଟିବାଧିତଙ୍କ ଦୋକାନ '', ଆଗରେ ଏବେ ଭିଡ଼ ଲାଗୁଛି । ସେ ଏବେ ସମଗ୍ର ଯୁବ ଓ ଛାତ୍ର ସମାଜ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ବୋଲି କୁହାଯାଇ ପାରିବ।