• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍ । 

  • ନିଆଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିଥିଲା ବୈଠକ ।

  • ରାଜ୍ୟର ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି । 

ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ନେଇ ପ୍ରସ୍ତୁତ ହେଲା ଆକ୍ସନ ପ୍ଲାନ୍ । ନିଆଣ୍ଟିଆ ବର୍ଷା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ କୃଷି ସଚିବ ସୁରେଶ କୁମାର ବଶିଷ୍ଠ ପ୍ରତିକ୍ରିୟା ରଖିଛନ୍ତି ଯେ, ରାଜ୍ୟର ୧୫ ଜିଲ୍ଲାର ୩୦ ବ୍ଲକରେ ସ୍ୱାଭାବିକଠାରୁ କମ ବର୍ଷା ହୋଇଛି । ଆଗାମୀ ୧୦ ଦିନ ମଧ୍ୟରେ ବର୍ଷା ନହେଲେ କଣ କରାଯିବ । ସେ ନେଇ ବୈଠକରେ ଆଲୋଚନା ହୋଇଛି ।

ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଯେଉଁଠି କମ ବର୍ଷା ହୋଇଛି ସେଠି ଉଠା ଜଳସେଚନ ପଏଣ୍ଟ ସକ୍ରିୟ କରାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ପାଣି ପଞ୍ଚାୟତରେ ଜଳସେଚନକୁ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଅନ୍ୟ ଜଳସେଚନ ସୁବିଧାକୁ ଆହୁରି ସକ୍ରିୟ କରାଯିବ । କୃଷି ଶ୍ରମିକ ମାନଙ୍କୁ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ସାମିଲ କରାଯାଇ କାମ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେପଟେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ BJP ସଭାପତି ସମୀର ମହାନ୍ତି ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ସେ କହିଛନ୍ତି ତୁରନ୍ତ ରାଜ୍ୟ ସରକାର ସଚିବ ମାନଙ୍କୁ ମରୁଡ଼ି ଅଞ୍ଚଳକୁ ପଠାଇ ସମୀକ୍ଷା କରନ୍ତୁ । ଏହାସହ ସେ ଆହୁରି କହିଛନ୍ତି ମରୁଡ଼ି ପ୍ରବଣ ଅଞ୍ଚଳକୁ ଯାଇ ସମୀକ୍ଷା କରିବେ ବିଜେପି ନେତା । ଏଥିପାଇଁ ୪ଟି କମିଟି ଗଠନ କରାଯାଇଛି । ବସନ୍ତ ପଣ୍ଡା, ପ୍ରଦୀପ ପୁରୋହିତ, ମନମୋହନ ସାମଲ, ମୋହନ ମାଝୀଙ୍କ ନେତୃତ୍ୱରେ ଏହି ଟିମ୍‌ ମରୁଡ଼ି ଅଞ୍ଚଳକୁ ଯିବ । 

ସୂଚନାଯୋଗ୍ୟ, ବର୍ଷା ଅଭାବରୁ ପୁଣି ଏକ ପ୍ରାକୃତିକ ଦୁର୍ବିପାକର ସାମ୍ନା କରିବାକୁ ଯାଉଛି ଓଡ଼ିଶା । ୩୦ ଜିଲ୍ଲାରୁ ୨୭ ଜିଲ୍ଲାରେ ଆସନ୍ନ ମରୁଡ଼ିର ପଦଧ୍ୱନି ବୋଲି ଚାଷୀମାନେ ଆଶଙ୍କା କଲେଣି । ରାଜ୍ୟରେ ସ୍ୱାଭାବିକଠାରୁ ୩୦ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଯାଜପୁର, ଭଦ୍ରକ, ଅନୁଗୁଳ, ବଲାଙ୍ଗୀରର ଓ କେନ୍ଦୁଝରରେ ସାଙ୍ଘାତିକ ସ୍ଥିତି । 

ଚାଷୀ ମୁହଁ ଶୁଖିଯାଇଥିବା ବେଳେ ଆହୁରି ସଂଗୀନ ହୋଇପଡ଼ିଛି ଚାଷ ଜମିର ଅବସ୍ଥା । ଯେଉଁ ସମୟରେ ସବୁଜ ଧାନ କ୍ଷେତ ପବନରେ ଲହଡ଼ି ମାରିବା କଥା ସେହି ସମୟରେ ବର୍ଷା ଅଭାବରୁ ମାଟି ଫାଟିଗଲାଣି, ମରିବାକୁ ବସିଲାଣି ଧାନ ଗଛ । ବର୍ଷାକୁ ଅନେଇ ଅନେଇ ରୁଆ ବେଉଷଣରେ ତ ଡେରିହେଲା, ହେଲେ ବିଳମ୍ବରେ ଯେଉଁଠି ବି ଚାଷ କାମ ହେଲା, ପରବର୍ତ୍ତୀ ଅବସ୍ଥାରେ ସେଠି ପୁଣି ମୌସୁମୀର ଲୁଚକାଳି, ଚାଷୀ ପାଇଁ କାଳ ସାଜିଛି । ଶ୍ରାବଣ ମାସରେ ବି ନିଦାଘ ଖରାରୁ, କେଉଁଠି କେଉଁଠି ଧାନ ଗଛରେ ଉଈ ବି ଚରିଗଲେଣି ।