• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଣାର୍କ(ସଞ୍ଜୟ ପତି) : ବୟସ ମାତ୍ର ୪ବର୍ଷ, ହେଲେ ପାଠ ସାଙ୍ଗକୁ ଅନେକ ପ୍ରତିଭାର ଅଧିକାରୀ “ପ୍ରଥମେଶ” । ତୁଳସୀ ଦୁଇ ପତ୍ରରୁ ବାସେ ପରି ପାଠରେ ଯେମିତି ପାରଙ୍ଗମ ବାଦ୍ୟ ,ସଙ୍ଗୀତ , ଗୀତିନାଟ୍ୟ ଓ ଅଭିନୟରେ ସେତିକି ପାରଙ୍ଗମ । କୁନି ବୟସରେ ତାଙ୍କ ସୁର, ଲୟ ,ତାଳ ସମସ୍ତଙ୍କୁ କରୁଛି ମନ୍ତ୍ରମୁଗ୍ଧ । ପୁରୀ ଜିଲ୍ଲା ନିମାପଡା ଭାଟବନ୍ଧ ଗାଁ କୁନି ପୁଅ “ଭବିଷ୍ୟତ ପାଇଁ ନୂଆ ସମ୍ଭାବନା” ସୃଷ୍ଟି କରିଛି ।

ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ଭାଟବନ୍ଧ ଗାଁର ଅମିୟ ମହାନ୍ତି ଓ ମା ପୁଷ୍ପିତା ଘଟୁଆରିଙ୍କର ଏକ ମାତ୍ର ପୁଅ ପ୍ରଥମେଶ । ଏକ ଯୌଥ ପରିବାରରେ ତାଙ୍କର ଜନ୍ମ । ପ୍ରଥମେଶଙ୍କୁ ମାତ୍ର ଦୁଇ ବର୍ଷ ହୋଇଥିବା ବେଳେ ଘରେ ବାପା ,ବଡବାପା ସବୁବେଳେ ପ୍ରାର୍ଥନା ଚ୍ୟାନେଲ ଦେଖିଥିଲେ । ଆଉ ତାହା ଦେଖି ପ୍ରଥମେଶ ଭଜନ ଗାଇବା ସହ ତାବଲା ବଜାଇ ବିଭିନ୍ନ ପ୍ରକାର ଭାବଭଙ୍ଗୀ କରୁଥିଲା । ଶୈଶବରୁ ତା’ର କଳା ପ୍ରତି ଆଗ୍ରହ ଥିବା ପରିବାର ଲୋକେ ଜାଣିପାରିଥିଲେ । ତାଙ୍କର ଆଗ୍ରହ ଦେଖି ବାପା ,ବଡବାପା ଅକ୍ଷୟ ମହାନ୍ତି, ଅଜା, ମାମୁଙ୍କ ସହ ପରିବାରର ସମସ୍ତ ସଦସ୍ୟ ତାଙ୍କୁ ପ୍ରେରଣା ଦେଇଥିଲେ ।

ମା ପୁଷ୍ପିତା ପୁରୀରେ ଅଙ୍ଗନବାଡି କର୍ମୀଭାବେ କାର୍ଯ୍ୟ କରୁଥିବା ଯୋଗୁଁ ପ୍ରଥମେଶ ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ଶିଶୁ ବିହାରରେ ୟୁ କେଜିରେ ପାଠ ପଢ଼ନ୍ତି । ତାଙ୍କର ଅଧିକାଂଶ ସମୟ ମାମୁଘରେ ବିତେ । ଅଜା ଅଭିମନ୍ୟୁ ଘଟୁଆରି ଓ ମାମୁ ଶ୍ରୀନିବାସ ଘଟୁଆରିଙ୍କ ପ୍ରେରଣା ପାଇ କୁନି ବୟସରେ ମହାପ୍ରଭୁଙ୍କ ଭଜନକୁ ଅତ୍ୟନ୍ତ ସ୍ପଷ୍ଟ ଭାବେ ଉଚ୍ଚାରଣ କରିପାରୁଛନ୍ତି ପ୍ରଥମେଶ । ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିବା ଭଳି ସଂଗୀତ, ତାଙ୍କ କୁନି କୁନି ଆଙ୍ଗୁଠିରେ ହାରମୋନିୟମ ବାଦନ, ତବଲା ବାଦନର ଝୁଙ୍କ, ତାଳ ଓ ତାଙ୍କ ମୁଖ ନିସୃତ ଗୀତିନାଟ୍ୟ ଶୁଣି କେହି ବି ମନ୍ତ୍ରମୁଗ୍ଧ ହୋଇଯିବ । କେବଳ ଏତିକି ନୁହେଁ ଗୀତିନାଟୀରେ ଭିନ୍ନ ଭିନ୍ନ ଚରିତ୍ରରେ ତାଙ୍କ ଚମତ୍କାର ଅଭିନୟ ଦେଖଲେ ଯେ କେହି ଆଚମ୍ବିତ ହୋଇଯିବ ।

ଏତେ କୁନି ବୟସରେ ପ୍ରଥମେଶ ପାଠପଢା ସହ ଭିନ୍ନ ଭିନ୍ନ କଳା କ୍ଷେତ୍ରରେ ନୈପୁଣ୍ୟତା ପ୍ରଦର୍ଶନ କରି ନିଜ ଗାଁ ତଥା ନିମାପଡା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ତାଙ୍କ ଠାରେ ବହୁମୂଖୀ ପ୍ରତିଭା ଦେଖି ଭବିଷ୍ୟତରେ କଳା କ୍ଷେତ୍ରରେ ନାଁ ରଖିବେ ବୋଲି ଗାଁ ଲୋକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର କଳା ଶିକ୍ଷକ ମାନେ ଆଶା ରଖିଛନ୍ତି ।