• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆପଡା ( ମାୟାଧର ସରାଫ ) : ଚାରି ବାନ୍ଧବୀଙ୍କ ନିଆରା ପ୍ରୟାସ । ପିଲାମାନଙ୍କର ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ପାଇଁ ଏକ ଆର୍ଟ ସେଂଟର ଖୋଳି ପ୍ରୟାସ ଚଳାଇଛନ୍ତି । କୁନି କୁନି ପିଲାଙ୍କୁ ଡ୍ରଇଂ, ପେଣ୍ଟିଙ୍ଗ, ପେପର ଆର୍ଟ ଓ କ୍ରାଫ୍ଟ ଆଦି ଶିଖାଉଛନ୍ତି । କୁନି କୁନି ପିଲାଙ୍କ ରଙ୍ଗ ତୂଳୀରେ ଜୀବନ୍ତ ହୋଇ ପାରୁଛି ତାଙ୍କ ଚିତ୍ର ସବୁ । ନୂଆପଡା ଜିଲ୍ଲା ଖଡିଆଳ ସହରର ୪ ସାଙ୍ଗଙ୍କ ପ୍ରୟାସକୁ ନେଇ ଆମର ସ୍ୱତନ୍ର ରିପୋର୍ଟ ।

କୁନି କୁନି ହାତର ରଙ୍ଗ ତୂଳୀରେ ଜୀବନ୍ତ ହୋଇ ଉଠୁଛି କ୍ୟାନଭାସର ଚିତ୍ର । ଜୀବନ୍ତ ହୋଇ ପାରିଛି ହିନ୍ଦୁ ଦେବାଦେବୀ, ଗଛ, ଜୀବଜନ୍ତୁ, ପାହାଡ,ଝରଣା । ଆଉ ଏ କୁନି କୁନି ହାତର ସ୍ପର୍ଶରେ ଯେଉଁ ଚିତ୍ର ସବୁ ଜୀବନ୍ତ ହୋଇ ପାରିଛି ତା ପଛରେ ଅଛନ୍ତି ନୂଆପଡା ଜିଲ୍ଲା ଖଡିଆଳ ଉଆଡ ନଂ ୧୨ର ୪ ସାଙ୍ଗ । ରୂପଶ୍ରୀ ବାରିକ, ଅବନ୍ତିକା ପ୍ରଧାନ ,ଦୀପାଞ୍ଜଳୀ କୁଅଁର ଓ ଲିଜା କୁଅଁରଙ୍କ ପ୍ରୟାସରେ ଖଡିଆଳ ତଥା ଆଖ ପାଖ ଅଂଚଳର ୩୦ରୁ ଉର୍ଦ୍ଧ୍ୱ ପିଲା ଏ ଚିତ୍ର କଳା କରି ପାରୁଛନ୍ତି । ପିଲାମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ସେମାନଙ୍କୁ ଏକ ନମ୍ବରର ଚିତ୍ରକର କରିବା ଆଶା ରଖିଛନ୍ତି ୪ ବାନ୍ଧବୀ ।

ଖଡିଆଳ ବ୍ରାହ୍ମଣପଡାର ରୂପଶ୍ରୀ ବାରିକ ଜଣେ ଚିତ୍ରଶିଳ୍ପୀ ଏବଂ ମୂର୍ତ୍ତି ନିର୍ମାତା । ତାଙ୍କ ଜେଜେ ବାପା ଜଣେ ପ୍ରସିଦ୍ଧ ଚିତ୍ର ଶିଳ୍ପୀ ଥିଲେ । ତାଙ୍କର ପଥକୁ ଅନୁସରଣ କରିବା ସହ ଆଗାମୀ ଦିନର ଭବିଷ୍ୟତ ଛୁଆମାନଙ୍କୁ ଚିତ୍ର କଳା ତଥା, ପେଂଟିଂ, ପେପର ଆର୍ଟ, କ୍ରାଫ୍ଟକୁ ଶିକ୍ଷା ଦେବା ପାଇଁ ଯୋଜନା କରିଥଇଲେ । ସେ ତାଙ୍କ ଅନ୍ୟ ସାଙ୍ଗଙ୍କୁ ଏ ବିଷୟରେ ଜଣାଇଲେ । ପ୍ରାୟ ମାସେ ହେବ, ନିଜ ଘରେ ରୁଦ୍ର ସାରଙ୍ଗ ଆର୍ଟ ସେଂଟର ଖୋଲି ଖଡିଆଳ ତଥା ଆଖପାଖର ୩୦ରୁ ଅଧିକ ପିଲାଙ୍କୁ ଡ୍ରଇଂ, ପେଂଟିଙ୍ଗ, ପେପର ଆର୍ଟ ଓ କ୍ରାଫ୍ଟ ଆଦି ଶିଖାଉଛନ୍ତି ।

ପୁଣି ଅଦରକାରୀ ସାମଗ୍ରୀରୁ ଅନେକ ଘରକରଣା ସୌଖୀନ ସାମଗ୍ରୀ ମଧ୍ୟ ତିଆରି କରିବା ଶିଖାଉଛନ୍ତି । ପିଲାମାନେ ବି ଏସବୁ ଶିଖି ବେଶ୍ ଖୁସ ଥିବା ବେଳେ ଅବିଭାବକମାନେ ବି ଏ ଉଦ୍ୟମକୁ ନେଇ ୪ ସାଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବାସ୍ତବିକ ମହାନ ଉଦ୍ଦେଶ୍ୟ ନେଇ କୁନି କୁନି ପିଲାଙ୍କୁ ଚିତ୍ର କଳା ସଂପର୍କରେ ଶିକ୍ଷା ଦେଉଛନ୍ତି ୪ ବାନ୍ଧବୀ । ଆଗାମୀ ଦିନରେ ନୂଆପଡା ଜିଲ୍ଲା ଅନେକ ଚିତ୍ରକରଙ୍କୁ ପାଇବ ।