• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ୧୮ ବର୍ଷ ଧରି ବାଉଁଶ ପୋଲ ଦେଇ ଯାଉଛନ୍ତି ଲୋକେ

  • ପିଲାଠୁ ବୃଦ୍ଧ ସମସ୍ତେ ଦେଶୀ ଡଙ୍ଗା ଉପରେ ଭରସା

  • ଅଢ଼େଇ ବର୍ଷ ତଳେ ଭିର୍ତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ

ଯାଜପୁର (ସଞ୍ଜୀବ ନାୟକ) : ବିପଦପୂର୍ଣ୍ଣ ନଦୀ ଯାତ୍ରା । ଗତ ୧୮ ବର୍ଷ ଧରି ଯାଜପୁର ଦଶରଥପୁରର ଦତ୍ତପୁର ବାସିନ୍ଦା ଲେକେ ବୈତରଣୀ ନଦୀ ପାର ହେବା ପାଇଁ ଏକ ବାଉଁଶ ପୋଲ ଉପରେ ନିର୍ଭର କରୁଛନ୍ତି । ବାଉଁଶ ପୋଲ ବ୍ୟତୀତ ପ୍ରାୟ ଲୋକେ ଦେଶୀ ଡଙ୍ଗା ଉପରେ ମଧ୍ୟ ଭରସା କରି ରହୁଛନ୍ତି । ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ସୂଚନା ଅନୁସାରେ, ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ ଆସୁଥିବା ଦତ୍ତପୁର ବାସିନ୍ଦାଙ୍କ ଦାବି ପରେ ୨୦୧୯ ନିର୍ବାଚନ ପୂର୍ବରୁ ଫେବୃଆରୀ ୧୯ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଏଠି ସ୍ଥାୟୀ ପୋଲର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ହେଲେ ଆଜିକୁ ପ୍ରାୟ ଅଢ଼େଇ ବର୍ଷ ହେଲାଣି ପୋଲ ତ ଦୂରର କଥା ପଥର ଖଣ୍ଡେ ବି ରଖାଯାଇନି । ଫଳରେ ଲୋକମାନଙ୍କ ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗୁଛି । କିଏ ସାଇକେଲ ତ କିଏ ମୋଟର ସାଇକେଲ ଗଡ଼େଇ ଗଡ଼େଇ ନଦୀ ପାର୍ ହେଉଥିବା ବେଳେ ଅନ୍ୟ କିଏ ବୋଝ ମୁଣ୍ଡେଇ ଚାଲିଛି ।

ଉକ୍ତ ପଞ୍ଚାୟତ ଓ ଏହାର ପଡ଼ୋଶୀ ଗ୍ରାମବାସୀ, ଯାଜପୁର ସୀମାନ୍ତରେ ଥିବାରୁ ଏମାନେ ଭଦ୍ରକ ବେତାଳି ଗାଁରେ ଥିବା ସ୍କୁଲ, କଲେଜ, ମେଡିକାଲ୍ ଓ ବଜାର ଘାଟ ଉପରେ ଅଧିକ ନିର୍ଭର କରନ୍ତି । କିନ୍ତୁ ଯିବାଆସିବା ପାଇଁ ଦୀର୍ଘଦିନ ଧରି ଏହି ଦୁଃସ୍ଥିତି ଲାଗି ରହିଛି । ଗତ ୧୮ ବର୍ଷ ହେଲାଣି ନିଜସ୍ୱ ଉଦ୍ୟମରେ ତିଆରି କରିଆସୁଥିବା ବାଉଁଶ ପୋଲ ସେମାନଙ୍କ ସାହା ପାଲଟିଗଲାଣି ।

ପୂର୍ବରୁ ଗାଁ ଲୋକେ ଦେଶୀ ଡଙ୍ଗା ଉପରେ ଭରସା କରି ରହିଥିଲେ । ହେଲେ ଡଙ୍ଗା ବୁଡ଼ି ହୋଇ ଅନେକ ଜୀବନ ଯିବାରୁ ସ୍ଥାନୀୟ ବାସିନ୍ଦା ବାଧ୍ୟ ହୋଇ ବାଉଁଶ ପୋଲଟି ତିଆରି କରିଛନ୍ତି । ହେଲେ ସେଟା ବି କେତେ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିବ । ତେଣୁ ଏବେ ସେଠାକାର ଲୋକେ ସରକାରୀ ପ୍ରତିଶ୍ରୃତିର ପ୍ରହେଳିକା ଭିତରେ ହିଁ ଦିନ କାଟୁଛନ୍ତି । ଭିତ୍ତି ପ୍ରସ୍ତର ସ୍ଥାପନ ପରେ ବି ପୋଲ ନିର୍ମାଣ ହେଉନି ଯାହାର ଦୋଷ ଲୋକମାନେ ସିଧାସଳଖ ପ୍ରଶାସନ ଓ ରାଜନେତାଙ୍କୁ ଦେଇଛନ୍ତି । ସେମାନଙ୍କ ଅବହେଳା ହେତୁ ଏହିପରି ସମସ୍ୟା ଉପୁଜିଥିବାର ଗାଁ ଲୋକେ ଅଭିଯୋଗ କରିଛନ୍ତି ।

ସେପଟେ ଏନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର କହିଛନ୍ତି, ଜମି ଅଧିଗ୍ରହଣରେ ବିଳମ୍ବ କାରଣରୁ ହିଁ ସେତୁ ନିର୍ମାଣରେ ବିଳମ୍ବ ହୋଇଛି । ହେଲେ ଖୁବ୍‌ଶୀଘ୍ର ଏ ସମସ୍ୟାର ସମାଧାନ କରାଯିବ ।