• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କେନ୍ଦ୍ରାପଡ଼ା: ଜୀବନ ଦେବୁ ପଛେ ଖରସ୍ରୋତା ପାଣି ଛାଡିବୁ ନାହିଁ । କେନ୍ଦ୍ରାପଡା ଜିଲ୍ଲା ରାଜକନିକାରେ ମେଗା ପାନୀୟ ଜଳ ପ୍ରକଳ୍ପ ବିରୋଧରେ ତେଜିଛି ଆନ୍ଦୋଳନ । ସ୍ଥାନୀୟ ଅଂଚଳରେ ୧୪୪ ଧାରି ଜାରି କରି ଆଜି ଜିଲ୍ଲା ପ୍ରଶାସନ କାମ ଆରମ୍ଭ କରୁଥିବା ବେଳେ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଛି । ପ୍ରକଳ୍ପ କାମକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ତିନିଟି ପଞ୍ଚାୟତର ଶହ ଶହ ଲୋକ । ରାସ୍ତା ଉପରେ ଟାୟାର ଜାଳି ସକାଳୁ ସଞ୍ଜ ଯାଏଁ ଜଣାଇଛନ୍ତି ପ୍ରତିବାଦ । ସେପଟେ ୧୫ ପ୍ଲାଟୁନ୍ ଫୋର୍ସ ସହ କାମ ଜାରି ରଖିଛି ପ୍ରଶାସନ ।

କେନ୍ଦ୍ରାପଡା ଜିଲ୍ଲା ରାଜକନିକାର ଭାରିଗଦାରେ ଖରସ୍ରୋତା ନଦୀରେ ପ୍ରସ୍ତାବିତ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଜାରି ହେଲା ୧୪୪ ଧାରା । ପ୍ରକଳ୍ପ ଅଂଚଳର ଭାରିଗଦା, ବାଳକାଟି ଓ ବରୁଣାଡିଆ ପଞ୍ଚାୟତରେ ୨ ମାସ ପାଇଁ କଟକଣା ଲଗାଇଛି ପ୍ରଶାସନ । ଆଉ ପ୍ରଶାସନ ବିରୋଧରେ ଜନତାଙ୍କ କ୍ଷୋଭ ନକହିଲେ ଭଲ । ପ୍ରକଳ୍ପ ବିରୋଧରେ ମେଳି ବାନ୍ଧି ରାସ୍ତାକୁ ଓହ୍ଲାଇଛନ୍ତି ଶହ ଶହ ଗ୍ରାମବାସୀ । ନାରା ଦେଇଛନ୍ତି, ଜୀବନ ଦେବେ ପଛେ ଖରସ୍ରୋତା ପାଣି ଛାଡିବେ ନାହିଁ । ବ୍ୟାପକ ବିରୋଧ ଭିତରେ ପ୍ରକଳ୍ପ ସ୍ଥଳରୁ ବିପକ୍ଷବାଦୀଙ୍କୁ ବାନ୍ଧି ନେଇଛି ପୋଲିସ ।

ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୮୬୮ କୋଟି ଟଙ୍କା । ପ୍ରକଳ୍ପ ଜରିଆରେ ଭଦ୍ରକର ୪ଟି ବ୍ଳକ୍ ବାସୁଦେବପୁର, ଚାନ୍ଦବାଲି, ତିହିଡି ଏବଂ ଧାମନଗରକୁ ପିଇବା ପାଣି ଯୋଗାଇ ଦିଆଯିବ । ପ୍ରକଳ୍ପ ପାଇଁ ୨ ବର୍ଷ ତଳୁ ଟେଣ୍ଡର ହୋଇସାରିଲାଣି । ତେବେ ଇଞ୍ଚେ କାମ ବି ଆରମ୍ଭ ହୋଇପାରିନି ।  ଧାରଣା, ମାନବ ଶୃଙ୍ଖଳ ଏବଂ ମଶାଲ ଶୋଭାଯାତ୍ରା କରି ପ୍ରକଳ୍ପକୁ ଲଗାତର ବିରୋଧ କରିଆସୁଛି ଖରସ୍ରୋତା ବଞ୍ଚାଅ ସଂଗ୍ରାମ ସମିିତି । ପ୍ରକଳ୍ପ ହେଲେ ସ୍ଥାନୀୟ ଅଂଚଳରେ ନଦୀ ଶୁଖିଯିବ ଏବଂ ଲୁଣା ପାଣି ମାଡିଆସିବ । ଫଳରେ ଚାଷ କାମ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।

ଏହାରି ଭିତରେ ୨ ବର୍ଷ ପରେ ଆରମ୍ଭ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ କାମ । ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ କରି ପ୍ରକଳ୍ପ କାମ ଜାରି ରଖିଛି ଜିଲ୍ଲା ପ୍ରଶାସନ ।