• translate
Pramod Behera

ପଚସ୍ତରୀ ବୟସ ତାତିପାରୁଛି ପଚିଶ୍ ବର୍ଷ ମାତିପାରୁନି? ସବୁ ବିପଦରୁ ବିପ୍ଲବ। ବିବାଦ ଭିତରୁ ବିପ୍ଲବ। ବିପ୍ଲବରୁ ଏଇ ଧରାରେ ମହାମହା ରଥୀ ମହାରଥୀଙ୍କର ଆବିର୍ଭାବ। ଇତିହାସର ସେମାନେ ସ୍ୱର୍ଣ୍ଣାକ୍ଷରରେ ବର୍ଣ୍ଣିତ। ଆମେ ସବୁ ଯୁଗଯୁଗ ଧରି ହେଉଛେ ଉତ୍ସାହିତ। ଗାଉଛେ ବିପ୍ଲବର ଜୟଗାନ। ବିପ୍ଲବ ଦୀର୍ଘାୟୁ ହେଉ।

ଏଇ ଭାରତରେ ଦଳଭିତ୍ତିକ ରାଜନୀତି ଦେଶ ପାଇଁ ଅମଙ୍ଗଳ ହୋଇପଡିଛି। ଏବେ ବ୍ୟକ୍ତିତ୍ୱଭିତ୍ତିକ ରାଜନୀତିର ଆବାହନ। ଗାନ୍ଧୀ, ଜୟପ୍ରକାଶ, ଆନ୍ନା ଏମାନେ ବ୍ୟକ୍ତି, କୌଣସି ଦଳ ଏମାନଙ୍କୁ ବାନ୍ଧି ରଖିପାରିନି। ବରଂ ଦଳ, ସଂଗଠନମାନେ ଏମାନଙ୍କୁ ଢାଲ କରି ନିଜ ନିଜର ଫାଇଦା ହାସଲ କରିଛନ୍ତି, ଏବେ ମଧ୍ୟ କରୁଛନ୍ତି। ଜୟପ୍ରକାଶ, ଆନ୍ନା ଜୀବନର ଶେଷ ପର୍ଯ୍ୟାୟ ୭୫ ବର୍ଷରେ ମଇଦାନକୁ ଓହ୍ଲାଇ ସମଗ୍ର ଦେଶକୁ ଥରହର କରିଦେଲେ। ଏକମାତ୍ର ବ୍ୟତିକ୍ରମ ଗାନ୍ଧୀ, ନେତାଜୀ। ଏ ଦୁଇ ଜଣ ଯୌବନାବସ୍ଥାରେ ବିପ୍ଲବକୁ ଡେଇଁଥିଲେ। ଏମାନଙ୍କ ବ୍ୟତୀତ ବହୁ ବାମପନ୍ଥୀ, ମଧ୍ୟମପନ୍ଥୀ, ଦକ୍ଷିଣପନ୍ଥୀ ଯୌବନରେ ବିପଦ, ବିବାଦ, ବିପ୍ଲବ ଭିତରକୁ ଲମ୍ଫ ଦେଇଥିଲେ। କିନ୍ତୁ ଆଜିର ଯୁବ ସମାଜ ଶୁପ୍ତ ହେବେ କାହିଁକି? ଏମାନଙ୍କୁ ଶୁପ୍ତ କରୁଛି କିଏ? ଏମାନେ କେବେ ଜାଗିବେ, ମାତିବେ, ତାତିବେ, ବିପ୍ଲବର ଅଗ୍ନିକୁ ପ୍ରଜ୍ଜ୍ୱଳିତ କରିବେ?

ବିପ୍ଲବର ବୟସ

ସ୍ୱାଧୀନତା ବିପ୍ଲବ ବେଳେ ଶତ୍ରୁ ଥିଲା ଗୋଟିଏ। ବ୍ରିଟିଶ୍ ସାମ୍ରାଜ୍ୟବାଦୀ। ଭାରତର ସବୁଲୋକ, ଦଳ, ସଂଗଠନ, ଯେଝା ଯେଝା ଉପାୟରେ ବ୍ରିଟିଶ୍ ବିରୋଧରେ ସ୍ୱାଧୀନତା ଆନ୍ଦୋଳନ ଚଳାଇଥିଲେ। ଲକ୍ଷ୍ୟ ଥିଲା ସ୍ୱାଧୀନତା। କିନ୍ତୁ ୧୯୪୭ ଅଗଷ୍ଟ ୧୫ରେ ସ୍ୱାଧୀନତା ଆପୋଷରେ ମିଳିଗଲା ପରେ ଏଇ ୭୫ ବର୍ଷ ଭିତରେ ଦେଶକୁ ବିଦେଶୀ ଓ ଦେଶୀ ଶତ୍ରୁଙ୍କ ସଂଖ୍ୟା ହଜାରଗୁଣରେ ବୃଦ୍ଧି ପାଇଛି। ଚିହ୍ନିତ ଶତ୍ରୁଙ୍କୁ ସେ ଯେତେ ବଳୀୟାନ ହେଉ ନା କାହିଁକି ମୁକାବିଲା କରିବା ସହଜ କିନ୍ତୁ ଛଦ୍ମବେଶୀ ମିତ୍ରରୂପୀ ଶତ୍ରୁ ଦେଶଦ୍ରୋହୀମାନଙ୍କୁ ଚିହ୍ନଟକରି ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର।

ଅଗଷ୍ଟ ୧୫... ମଶାଲ ଲିଭିଯିବା ପରେ ଘଣ୍ଟାର କଣ୍ଟା ପାଖରେ କିନ୍ତୁ ଅଣ୍ଟା ନୁଆଁଇ ଦେଇଛି ମୁକ୍ତିର ମିନିଟ୍। ଘଣ୍ଟାକଣ୍ଟାର ଘାଏଲ ହୋଇଛି ସ୍ୱପ୍ନର ସେକେଣ୍ଡ୍।

ସବୁ ବିପ୍ଲବରେ, ସବୁ ବିବାଦରେ, ସବୁ ଦଳ ଓ ସଂଗଠନରେ ଦୁଇଟି ଧାରାରେ ଲୋକ ଅଛନ୍ତି। ଦଳେ ପ୍ରଗତିଶୀଳ ଆଉ ଦଳେ ପ୍ରତିକ୍ରିୟାଶୀଳ। ଏମାନଙ୍କ ଅନ୍ତର୍ଦ୍ୱନ୍ଦ୍ୱ ବିପ୍ଲବକୁ ମନ୍ଥର କରିଦିଏ, ବେଳେବେଳେ ବିପ୍ଲବ ବିପର୍ଯ୍ୟୟର ସମ୍ମୁଖୀନ ହୁଏ, ବହୁ ସମୟ ବରବାଦ ହୁଏ। ଇତିହାସ କିନ୍ତୁ ନିଷ୍ଠୁର। ସେ କାହାକୁ ଛାଡ଼େନା। ସତ୍ୟକୁ ଯେଭଳି ଉଜ୍ଜ୍ୱଳମୟ କରେ ମିଥ୍ୟାକୁ ସେଇଭଳି କଳଙ୍କମୟ, କର୍ଦ୍ଦମାକ୍ତ କରି ଲିପିବଦ୍ଧ କରେ।

ସ୍ୱାଧୀନତା ଆନ୍ଦୋଳନ ବେଳେ ଦୁଇଟି ଧାରା ଥିଲା, ରାଜନୈତିକ ନେତୃତ୍ୱ ହେଲା ଦୁଇଭାଗ- ଆପୋଷକାମୀ ଓ ଆପୋଷହୀନ, ନରମପନ୍ଥୀ ଓ ଚରମପନ୍ଥୀ। ପ୍ରଥମ ଧାରା ହେଲା- ଆପୋଷରେ, ଅହିଂସାରେ, ସଂସ୍କାରପଥରେ ଆବେଦନ ନିବେଦନ କରି ଦର କଷାକଷି କରି ଦରଖାସ୍ତ ଦେଇ ସ୍ୱାଧୀନତା ଅର୍ଜନ। ଅନ୍ୟଟି ହେଲା, ଭିକ୍ଷାମାଗି ସ୍ୱାଧୀନତା ଅର୍ଜନ କରାଯାଏନା, ଆବେଦନ ନିବେଦନ ଆପୋଷ ରାସ୍ତାରେ ବାଟ ଚାଲି ପରାଧୀନତାର ବନ୍ଧନ ଛିନ୍ନ କରାଯାଏନା, ସଶସ୍ତ୍ର ସଂଗ୍ରାମ – ରକ୍ତାକ୍ତ ବିପ୍ଳବ ପଥରେ ସ୍ୱାଧୀନତା ଅର୍ଜନ। ନରମପନ୍ଥୀ ଗାନ୍ଧିଜୀ ଚରମପନ୍ଥୀ ସୁଭାଷଙ୍କ ମଧ୍ୟରେ ମତପାର୍ଥକ୍ୟ, ଦ୍ୱନ୍ଦ୍ୱ ସଂଘାତ ତୀବ୍ରରୂପ ଧାରଣ କଲା।

ବିପ୍ଲବର ବୟସ

ସ୍ୱାଧୀନତା ସଂଗ୍ରାମର ଏହି କଳଙ୍କମୟ ଅଧ୍ୟାୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା। ଅକ୍ଷଶକ୍ତି ଜର୍ମାନୀ, ଇଟାଲୀ, ଜାପାନ ବିରୋଧରେ ମିତ୍ରଶକ୍ତି ସୋଭିଏତ୍ ରୁଷ୍‌, ବ୍ରିଟେନ୍, ଆମେରିକା ମଧ୍ୟରେ। ନେତାଜୀ ଏହି ଅପୂର୍ବ ସୁଯୋଗକୁ ହାତଛଡ଼ା ନ କରିବା ପାଇଁ ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କୁ ଆଘାତ ଦେବା - ପୂର୍ଣ୍ଣ ସ୍ୱାଧୀନତା ପାଇଁ ଦୁର୍ବାର ଗଣ ଅଭ୍ୟୁତ୍ଥାନ ଗଢ଼ି ତୋଳିବାକୁ ଆହ୍ୱାନ ଦେଲେ। “ଦିଲ୍ଲୀ ଚଲୋ” । ଦିଲ୍ଲୀମାନେ ଭୂଗୋଳ ନୁହେଁ, ଇତିହାସ। ଭାରତୀୟ ସଂସ୍କୃତିର ସନ୍ତକ। ଦିଲ୍ଲୀ ଦଖଲ ଅର୍ଥ ସ୍ୱାଧୀନତା। ସେହି ଉଦ୍ଦାମ ବଜ୍ରକଠିନ କଣ୍ଠସ୍ୱର ବ୍ରିଟିଶ୍ ସାମ୍ରାଜ୍ୟବାଦୀଙ୍କୁ ଆତଙ୍କିତ କରିଦେଲା।

ଇତିହାସର ଚରମ ବିଡ଼ମ୍ବନା! ସ୍ୱାଧୀନତା ଆନ୍ଦୋଳନର ଚାବିକାଠି ଦେଶର ପୁଞ୍ଜିପତି ଟାଟା-ବିରଳା ପ୍ରମୁଖଙ୍କ ହାତରେ ରହିଲା। ସାମ୍ରାଜ୍ୟବାଦୀ ବ୍ରିଟିଶ୍ ଖୁସି ହେଲେ। ବିରଳା ଘରେ ଗାନ୍ଧିଜୀ ରହି ସ୍ୱାଧୀନତା ସଂଗ୍ରାମ ପରିଚାଳନା କଲେ। ସେତେବେଳେ ଓଡ଼ିଶାରୁ ଉତ୍କଳମଣି ଗୋପବନ୍ଧୁ ଦାସ, ବଙ୍ଗଳାରୁ ଦେଶବନ୍ଧୁ ଚିତରଞ୍ଜନ ଦାସ, ପଞ୍ଜାବ କେଶରୀ ଲାଲା ଲଜପତରାୟ ପ୍ରସ୍ତାବ ଦେଲେ, ସ୍ୱାଧୀନତା ଆନ୍ଦୋଳନକୁ ପରିଚାଳନା କରିବା ପାଇଁ ଭାରତର ଘରୁ ଘରୁ ଟଙ୍କାଏ ଲେଖା ଚାନ୍ଦା ଆଦାୟ ହେଉ। ଉଦ୍ଦେଶ୍ୟ, ଯେଉଁମାନେ ସ୍ୱାଧୀନତାର ସ୍ୱାଦ ଚାଖିବେ ସେମାନଙ୍କର ସାହାଯ୍ୟ ସହଯୋଗ ଆବଶ୍ୟକ। କିନ୍ତୁ ଗାନ୍ଧୀଙ୍କ ଅନୁଗତମାନେ ପ୍ରତ୍ୟକ୍ଷ ଭାବେ ପ୍ରସ୍ତାବକୁ ବିରୋଧ କଲେ। ଟାଟା-ବିରଳାଙ୍କ ଟଙ୍କାରେ କଂଗ୍ରେସ ନେତୃତ୍ୱ ସଂଗଠନ ଆନ୍ଦୋଳନ ଚାଲିଲା। ଆଜି ସ୍ୱାଧୀନତାର ସ୍ୱାଦ ସେହି ପୁଞ୍ଜିପତିମାନେ ଚାଖୁଛନ୍ତି, ଭାରତର କୋଟି କୋଟି ଲୋକ ବେକାରୀ ଅର୍ଦ୍ଧାହାର ଅନାହାରରେ ସଢୁଛନ୍ତି।

ବିପ୍ଲବର ବୟସ

କେତେ କ’ଣ ସ୍ୱପ୍ନ ଥିଲା ଭାରତବାସୀଙ୍କର। ସ୍ୱାଧୀନତା ମିଳିବ, ରାମରାଜ୍ୟ ପ୍ରତିଷ୍ଠା ହେବ। ସମସ୍ତେ ଖାଦ୍ୟ, ବସ୍ତ୍ର, ବାସଗୃହ ଶିକ୍ଷା ସ୍ୱାସ୍ଥ୍ୟର ସମାନ ସୁଯୋଗ ପାଇବେ। କିନ୍ତୁ ବିଦେଶୀ ପୁଞ୍ଜିପତିଙ୍କ ଗୋଲାମର ଜଞ୍ଜିର ଛିଡାଇ ଆମେ ସିନା ସ୍ୱାଧୀନତା ପାଇଲେ ଏଣେ ଦେଶୀ ପୁଞ୍ଜିପତିଙ୍କ ଜାଲିଆତି ଜାଲରେ ପଡ଼ି ଛଟପଟ ହେଉଛେ। ଖାସ ସେଇଥିପାଇଁ ଜନନାୟକ ଜୟ ପ୍ରକାଶ ନାରାୟଣ ସଂପୂର୍ଣ୍ଣ ବିପ୍ଲବର ଡାକରା ଦେଲେ। ଶାସକ ଦଳ ଏକଘରକିଆ ହେଲେ ସବୁ ବାଁ ଡାହାଣ ଦଳ ଜୟପ୍ରକାଶଙ୍କ ପଛରେ ଠିଆହେଲେ। ଶାସନ ବଦଳିଲା କିନ୍ତୁ ଶୋଷଣ ଦ୍ୱିଗୁଣିତ ହେଲା। ଛ’ ଦଳରୁ ବାର ଦଳ ହେଲେ।

ବିପ୍ଲବର ବୟସ

ସ୍ୱାଧୀନତାର ବର୍ଷକ ପରେ ମହାତ୍ମାଗାନ୍ଧୀଙ୍କୁ ଗୁଳି କରାଗଲା। ନେତାଜୀଙ୍କ ଖୋଜଖବର ଏବେ ବି ମିଳିଲାନି। ଠିକ୍ ସେଇଭଳି ଶାସନ ବଦଳାଇଥିବା ମହାପୁରୁଷ ଜୟପ୍ରକାଶ ନାରାୟଣ ମଧ୍ୟ ରହିଲେ ନାହିଁ। ପୁଣି ଚାଲିଲା ଶୋଷଣ, କଷଣ, ଦୁର୍ନୀତି, ଅନୀତି, ବ୍ୟଭିଚାର, ଅତ୍ୟାଚାର, ଦମନ। ଜନଗଣ ଅସ୍ତବ୍ୟସ୍ତ।

ସବୁ ଯୁଗରେ ଯୁବସମାଜ ହିଁ ବିପ୍ଲବର କାଣ୍ଡାରୀ। ଆଜି ସେଇ କାଣ୍ଡାରୀ ସମାଜକୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ ଦଳମାନେ ବୋଲକରା କରିଦେଉଛନ୍ତି ଯାହାଫଳରେ ବିପ୍ଲବର ଦେଖାଦେଇଛି ଅନ୍ତର୍ଦ୍ୱନ୍ଦ୍ୱ।

ସବୁ ବାଦ-ବିବାଦ, ଅନ୍ତର୍ଦ୍ୱନ୍ଦ୍ୱକୁ ପଛରେ ପକାଇ ପରିବର୍ତ୍ତନ ବିପ୍ଲବର ଆଜି ଜନଗଣଙ୍କୁ ପାନିପଥକୁ ଓହ୍ଲାଇ ଆସିବାର ବେଳ ପହଞ୍ଚିଯାଇଛି। ପାନିପଥ - ମେହନତି ମଣିଷର ମୁହାଁମୁହିଁ ମଇଦାନ ଇଏ। ସଂକଟ-ସଂକୁଳ। ପ୍ରତିଟି ମୋଡରେ ମୃତ୍ୟୁର ମୁଚାଲିକା... ପଦେ ପଦେ ବିପଦର ବିଭୀଷିକା... ବାରୁଦର ବିସ୍ଫୋରଣ... ଗୁଳିର ଗର୍ଜନ... ବହ୍ନିମାନ ବିପ୍ଳବର ଆତନ୍ଦ୍ର ଆହ୍ୱାନ। ସଂଗ୍ରାମର ଶାଣିତ ସଂକଳ୍ପ ବିନା ଏଠି ପଥଯାତ୍ରୀ ହେବା ଅସମ୍ଭବ।

ବିପ୍ଲବର ବୟସ

ନିର୍ଝରିଣୀର ନୀଳ ନୂପୁର ବାଜେନା ଏ ପଥରେ... ଶୁଭେନା ମଳୟର ମଦିର ମୂର୍ଚ୍ଛନା। ପ୍ରଳୟର ପ୍ରଳାପ, ଝଞ୍ଜାର ଝଣତକାର, ବତାସର ବିକ୍ଷୋଭରେ ନିତ୍ୟ ମୁଖରିତ ଏ ପାନିପଥ। ଏଠି ଶୁଣାଯାଏ ଅଗ୍ନିର ଓଁକାର... ଅଙ୍ଗୀକାରର ଇସ୍ତାହାର। ଘାଟୀରୁ ମାଟିକୁ ମୁହାଁଉଥିବା ମୁକ୍ତିକାମୀ ମଣିଷର ମାର୍ଗ ଇଏ। ମଣିଷର ମୁକ୍ତି ପାଇଁ ଏଠି ରକ୍ତ ଚିତା ଘେନିବାକୁ ପଡ଼େ ତାରୁଣ୍ୟକୁ। ପଚମାନ ସମାଜ ବ୍ୟବସ୍ଥାର ଧୂସର ଦୁର୍ଗକୁ ଧୂଳିସାତ୍ କରିବା ପାଇଁ ଯୌବନକୁ ଏଠି ତୋଳିବାକୁ ପଡେ କ୍ରୋଧିତ କ୍ରାନ୍ତିର ସ୍ପର୍ଦ୍ଧିତ ପାଶୁପତ!

ସବୁ ବୟସ ଭୁଲ। କେବଳ ବିପ୍ଲବର ବୟସ ଠିକ।

ସମୟ, ଜୁଆର, ବୟସ, ଯୌବନ କାହାକୁ ଅପେକ୍ଷା କରେନା। ଆମ ସମସ୍ତଙ୍କୁ ସମୟ ସାଙ୍ଗରେ ଦୌଡ଼ିବାକୁ ହେବ। ହେ ଭଙ୍ଗା ହାଣ୍ଡିର ଭାରତବର୍ଷ! ସତରେ କ’ଣ ସରିଯାଇଛି ସବୁ ସଂକଳ୍ପ? ସବୁ ସଂଘର୍ଷ? ବାକି ଅଛି ଆଜି ବି ନେତାର ନକ୍ସା ଆରପଟେ ଜୀବନ ସଂଗ୍ରାମର ସ୍ୱାଧୀନତା ପାଇଁ ଜନତାର ଜୟଯାତ୍ରା।

ମାୟାଧର ନାୟକ

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୩

Other Stories