• translate
Pramod Behera

ଆମ ଦେଶ ଅନେକ ବୀରଙ୍କର ପବିତ୍ର ରକ୍ତରେ ସ୍ୱାଧୀନତା ହାସଲ କରିଛି । ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ମୁକ୍ତ ହୋଇଛି। ଭାରତର ଏହି ମୁକ୍ତି ସଂଗ୍ରାମରେ ଝାସ ଦେଇ ଅନେକ ବୀର କାଳ କାଳ ପାଇଁ ଅମର ହୋଇ ରହିଯାଇଛନ୍ତି । ମାତୃଭୂମିର ସ୍ୱାଧୀନତା ପାଇଁ ହସି ହସି ପ୍ରାଣ ବଳୀ ଦେଇଛନ୍ତି । ଆଉ ଏହା ମଧ୍ୟରୁ ଆମେ ବି ଗର୍ବ କରୁ କାରଣ ଅନେକ ଓଡିଆ ସ୍ୱାଧୀନତା ସଂଗ୍ରାମୀ ଏଥିରେ ସାମିଲ ରହିଥିଲେ । ଏହି ମହାନ ଆତ୍ମାମାନେ ନିଜର ସବୁକିଛି ତ୍ୟାଗକରି ଦେଶର ସ୍ୱାଧୀନତା ପାଇଁ ଆଗେଇଆସିଥିଲେ । ସେମାନେ ତାଙ୍କ ପରିବାର, ଘର-ଦ୍ୱାର, ଦୁଃଖ-ସୁଖକୁ ଭୁଲି ନିଜର ପ୍ରାଣକୁ ଦେଶର ସ୍ୱାଧୀନତା ପାଇଁ ହରାଇଥିଲେ । ଆଉ ସେମାନଙ୍କ ନାଁ ବି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।

ତେବେ ସ୍ୱତନ୍ତ୍ରତାର ଏହି ଆନ୍ଦୋଳନରେ ଆମ ସମାଜର ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । ସ୍ୱାଧୀନତା ସଂଗ୍ରାମରେ କେବଳ ପୁରୁଷ ଯେ ସାମିଲ ହୋଇଥିଲେ ତାହା ନୁହେଁ ବରଂ ଅନେକ ମହିଳା ମଧ୍ୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଦେଶର ସ୍ୱାଧୀନତାରେ ଯୋଗ ଦେଇ ଥିଲେ । ଓଡିଶାର ସେହି ମହିଳା ସ୍ୱାଧୀନତା ସଂଗ୍ରାମୀଙ୍କୁ ଶତକୋଟି ପ୍ରଣାମ, ଯେଉଁମାନେ ଏଥିରେ ସାମିଲ ହୋଇଥିଲେ ।

କୁନ୍ତଳା କୁମାରୀ ସାବତ :

କୁନ୍ତଳା କୁମାରୀ ସାବତ

କୁନ୍ତଳା କୁମାରୀ ସାବତ ଜଣେ ଓଡ଼ିଆ କବି ଥିଲେ । ଓଡ଼ିଶାରେ ସ୍ୱାଧୀନତା କାଳରେ ଯେଉଁ କେତେଜଣ ନାରୀ କବି ଓ ଲେଖିକାଙ୍କର ଆବିର୍ଭାବ ହୋଇଥିଲା ସେମାନଙ୍କ ଭିତରୁ କୁନ୍ତଳା କୁମାରୀ ଅନ୍ୟତମ । ସେ ଏକାଧାରରେ ଡାକ୍ତର, ଲେଖିକା, କବୟିତ୍ରୀ, ଜାତୀୟ ଆନ୍ଦୋଳନର ପୁରୋଧା ଓ ସମାଜସେବୀ ଥିଲେ। ସେ ୧୯୦୧ ମସିହା ଫେବୃଆରି ୮ ତାରିଖରେ ବର୍ତ୍ତମାନ ଛତିଶଗଡ଼ର ବସ୍ତର ଜିଲ୍ଲାର ଜଗଦଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଡାନିଏଲ ସାବତ, ସେ ପେଶାରେ ଡାକ୍ତର ଥିଲେ । ତାଙ୍କର ମାତାଙ୍କ ନାମ ମୋନିକା ସାବତ ଥିଲା । ତାଙ୍କ ପିତାମହ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରର ବାସିନ୍ଦା ଥିଲେ । କୌଣସି କାରଣବଶତଃ ତାଙ୍କ ପିତା ବସ୍ତର ଜିଲ୍ଲାକୁ ଚାଲି ଯାଇଥିଲେ ଓ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମର ଅଳ୍ପଦିନ ପରେ ତାଙ୍କ ପରିବାର ବର୍ମା ଚାଲି ଯାଇଥିଲେ ଓ କୁନ୍ତଳାଙ୍କୁ ୧୪ ବର୍ଷ ହେବା ପର୍ଯ୍ୟନ୍ତ ସେଠାରେ ଥିଲେ । ସେଠାରେ ତାଙ୍କ ପିତା ପୁନର୍ବିବାହ କରିବାରୁ ସେ ନିଜ ମାତାଙ୍କ ସହ ଓଡ଼ିଶାକୁ ଫେରିଆସିଥିଲେ । ଘୃଣ୍ୟ ଜାତିପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ ।

କୁନ୍ତଳା କୁମାରୀ ଅନେକ କାଳଜୟୀ କବିତା ଲେଖିଯାଇଛନ୍ତି । ସେ ଦେଶାତ୍ମବୋଧକ କବିତା ମଧ୍ୟ ଲେଖୁଥିଲେ । କବିତା ମାଧ୍ୟମରେ ଲୋକମାନଙ୍କ ଭିତରେ ଦେଶପ୍ରୀତି ଜାଗ୍ରତ କରିବା ତାଙ୍କର ମୁଖ୍ୟ ଲକ୍ଷ ଥିଲା। ପରଦା ପ୍ରଥା, ବାଲ୍ୟ ବିବାହ ଓ ମହିଳା ପ୍ରଭେଦ ବିରୁଦ୍ଧରେ ଲେଖୁଥିଲେ । ଏହା ବ୍ୟତୀତ ବିଧବା ବିବାହ ଓ ନାରୀ ସଶକ୍ତିକରଣ ନିମନ୍ତେ କାମ କରୁଥିଲେ । ଜାତୀୟ ସ୍ୱାଧୀନତା ଆନ୍ଦୋଳନରେ ସେ ଜଣେ ଉଜ୍ଜ୍ୱଳ ତାରକା ଥିଲେ । ସେ ୨୩ ଅଗଷ୍ଟ ୧୯୩୮ ମସିହାରେ ମାତ୍ର ୩୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।

ରମା ଦେବୀ :

ରମା ଦେବୀ

ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ। ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ। ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ ପ୍ରଜାମାନଙ୍କ ନିକଟତର ହୋଇ ପାରିଥିଲେ। ରମାଦେବୀ ହେଉଛନ୍ତି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ।କୌଣସି ବିଦ୍ୟାଳୟକୁ ନ ଯାଇ ମଧ୍ୟ ରମାଦେବୀ ଓଡ଼ିଆ, ସଂସ୍କୃତ, ହିନ୍ଦୀ, ବଙ୍ଗଳା ଭାଷାକୁ ଆୟତ୍ତ କରିଥିଲେ ।

୧୯୨୧ ମାର୍ଚ୍ଚ ୨୪ ତାରିଖ ଦିନ ମହାତ୍ମା ଗାନ୍ଧୀ କଟକ କାଠଯୋଡି ବାଲି ଓ ବିନୋଦ ବିହାରୀ ପରିସରରେ ଦୁଇଗୋଟି ସାଧାରଣ ସମାବେଶରେ ଯୋଗ ଦେଇ ହରିଜନ, ଦଳିତମାନଙ୍କ ସୁରକ୍ଷା ଓ ସ୍ୱଦେଶୀ ଆନ୍ଦୋଳନର ଆବଶ୍ୟକତା ବୁଝାଇଥିଲେ । ନିଜ ଭାଷଣରେ ମହିଳାମାନଙ୍କୁ ଗହଣା ନ ପିନ୍ଧି ଦେଶ ସେବା ପାଇଁ ତାହାକୁ ଦାନ କରନ୍ତୁ ବୋଲି ନିବେଦନ କରିଥିଲେ । ଉକ୍ତ ସଭାରେ ଉପସ୍ଥିତ ଥିବା ରମାଦେବୀ ଗାନ୍ଧୀଜୀଙ୍କ ଭାଷଣରେ ପ୍ରଭାବିତ ହୋଇ ନିଜର ବହୁମୂଲ୍ୟ ୨୦୦ ଭରି ସ୍ୱର୍ଣ୍ଣ ଅଳଙ୍କାର ଓ ଅନେକ ମୂଲ୍ୟବାନ ଦ୍ରବ୍ୟ ଗାନ୍ଧୀଙ୍କ ସ୍ୱରାଜ ପାଣ୍ଠିକୁ ଦାନ କରିବା ସହିତ ଶସ୍ତା ଶାଢ଼ୀ ପିନ୍ଧିବା ଆରମ୍ଭ କରିଥିଲେ ଓ ଖଦୀବସ୍ତ୍ର ଆଜୀବନ ପରିଧାନ କରିବା ପାଇଁ ସଂକଳ୍ପ କରିଥିଲେ ।

୧୯୩୦ର ଆଇନ ଅମାନ୍ୟ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ୧୯୩୪ ଅଗଷ୍ଟ ୮ ଗାନ୍ଧିଜୀଙ୍କ ଶ୍ରୀକ୍ଷେତ୍ର ହରିଜନ ସମାବେଶ ସହ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ମୁଖ୍ୟ ଦାୟିତ୍ୱ ରମାଦେବୀଙ୍କୁ ଦିଆଯାଇଥିଲା । ୧୯୨୫ ଅଗଷ୍ଟ ୧୯ ଓ ୨୦ ଦୁଇଦିନ ଧରି ମହାତ୍ମା ଗାନ୍ଧୀ ଉତ୍କଳଗୌରବ ମଧୁସୂଦନଙ୍କ କଟକ ବାସଭବନରେ ରହିବା ବେଳେ ତାଙ୍କଠାରୁ ସ୍ୱଦେଶ ଜାଗରଣ କାର୍ଯ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଗ୍ରହଣ କରିଥିଲେ । କଟକ ରହଣି ସମୟରେ ମଧୁସୂଦନଙ୍କ ସଞ୍ଚାଳିତ କୁଟୀର ଶିଳ୍ପ, ତାରକସୀ ଶିଳ୍ପ, ଚମଡ଼ା ଶିଳ୍ପ କେନ୍ଦ୍ରଗୁଡ଼ିକ ଦେଖି ଗାନ୍ଧିଜୀ ପ୍ରଭାବିତ ହୋଇଥିଲେ । କଟକରେ କୁଷ୍ଠାଶ୍ରମ ପ୍ରତିଷ୍ଠା, ହରିଜନ ମଙ୍ଗଳ କାର୍ଯ୍ୟ ଗାନ୍ଧିଜୀ ଆରମ୍ଭ କରିଥିଲେ । ରମାଦେବୀ ଛାଇ ପରି ତାଙ୍କ ସହ ରହି ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣର ଓଡ଼ିଆ ଅନୁବାଦ ସମସ୍ତଙ୍କୁ ଶୁଣାଉଥିଲେ । ବଡ଼ବାପା ମଧୁସୂଦନ ଓ ଗାନ୍ଧିଜୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଓ୍ୱାର୍ଦ୍ଧା ଆଶ୍ରମ ଶୈଳୀରେ ଗଢ଼ିଥିଲେ “ବରୀ ଆଶ୍ରମ’ । ରମାଦେବୀଙ୍କ ଏତାଦୃଶ କାର୍ଯ୍ୟ ଇଂରେଜ ସରକାରଙ୍କୁ ବିଚଳିତ କରିଦେଲା । ୧୯୩୦ ନଭେମ୍ବର ୮ ତାରିଖରେ ତାଙ୍କୁ ବନ୍ଦୀ କରି ଆଠ ମାସ ପାଇଁ କଟକ ଜେଲରେ ରଖାଗଲା । ୧୯୪୨ ଭାରତଛାଡ଼ ଆନ୍ଦୋଳନରେ ପ୍ରତ୍ୟକ୍ଷ ସମ୍ପୃକ୍ତି ହେତୁ ଇଂରେଜ ସରକାର ରମାଦେବୀ ଓ ସ୍ୱାମୀ ଗୋପବନ୍ଧୁ ଚୌଧୂରୀଙ୍କୁ ଦୁଇ ବର୍ଷ ପାଇଁ ଜେଲ ଦଣ୍ଡ ଦେଲେ । ୧୯୫୫ ମସିହା ବିନୋବାଜୀଙ୍କ ଭୂଦାନ ଯଜ୍ଞର ସଫଳତା ପଛରେ ରମାଦେବୀଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଥିଲା। ରମାଦେବୀ ଭାରତୀୟ ଗଣତନ୍ତ୍ରର ମାନ ରକ୍ଷା ଲାଗି ଜୟପ୍ରକାଶଜୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ଭୁବନେଶ୍ୱରରେ ଏକ ବିଶାଳ ସମାବେଶ କରାଇଥିଲେ। ୧୪୪ ଧାରା ଜାରି ସତ୍ତ୍ୱେ ସମାବେଶର ଅଗ୍ରଭାଗରେ ରମାଦେବୀଙ୍କୁ ଦେଖି ପ୍ରଶାସନ ପଛଘୁଞ୍ଚା ଦେଇଥିଲା। ବହୁ ଜନନାୟକ ଜେଲ୍ ଗଲେ, ମାତ୍ର ରମାଦେବୀଙ୍କୁ ଗିରଫ କରିବାକୁ କେହି ସାହସ କରି ନ ଥିଲେ ।

ସରଳା ଦେବୀ :

ସରଳା ଦେବୀ

ସରଳା ଦେବୀ ୧୯୦୪ ମସିହାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦା ଥାନା ଅନ୍ତର୍ଗତ ନରିଲୋ ଗ୍ରାମରେ ଜନ୍ମ ନେଇଥିଲେ। ସେ ପିଲାଟି ବେଳୁ ଶାନ୍ତ, ସରଳ, ଦୃଢମନା ଓ ସ୍ପଷ୍ଟବାଦୀ ଥିଲେ। ନିଜର ସାମାଜିକ ଚଳଣି, ଶିକ୍ଷା ଓ ସଂସ୍କାର ସହ କୌଣସି ପ୍ରକାର ଅବହେଳା କରୁ ନ ଥିଲେ।

୧୯୨୦ ମସିହା ଅଗଷ୍ଟ ପହିଲାରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଭାରତରେ ଅସହଯୋଗ ଆନ୍ଦୋଳନ ଆରମ୍ଭ ହେଲା। ସରକାରୀ କୋର୍ଟ କଚେରୀ ବର୍ଜନ ଏହି ଆନ୍ଦୋଳନରେ ଗୋଟିଏ କାର୍ଯ୍ୟକ୍ରମ ଥିଲା । ସରଳା ଦେବୀଙ୍କ ସ୍ୱାମୀ ଭାଗିରଥି ମହାପାତ୍ର ଅସହଯୋଗ ଆନ୍ଦୋଳନରେ ଯୋଗଦେବା ହେତୁ ଓକିଲାତି ଛାଡିଦେଲେ । ସରଳା ଦେବୀଙ୍କ ଉପରେ ଏହାର ପ୍ରଭାବ ପଡ଼ିଲା । ୧୯୨୧ ମସିହା ମାର୍ଚ୍ଚ ମାସରେ ଗାନ୍ଧୀ କଟକ ଆସିଲେ । କଟକ ବାଲୁବଜାର ପାଖରେ ସେ ଗୋଟିଏ ମହିଳା ସଭାରେ ନାରୀମାନଙ୍କୁ ସୂତା କାଟି ଖଦି ପିନ୍ଧିବାକୁ, ପରଦା ଛାଡିବାକୁ, ଛୁଆଁ ଅଛୁଆଁ ନ ମାନିବାକୁ ଉଦ୍‌ବୋଧନ ଦେଲେ। ସେହି ସଭାରେ ସରଳା ଦେବୀ ମଧ୍ୟ ଉପସ୍ଥିତ ଥିଲେ। ସେହିଠାରୁ ସେ ପରଦା ପ୍ରଥାକୁ ବର୍ଜନକଲେ ଓ ଗାନ୍ଧୀଙ୍କର ଅନ୍ୟ ସମସ୍ତ ନୀତିକୁ ମଧ୍ୟ ଅନୁସରଣ କଲେ । ତା ପରେ ସେ କଂଗ୍ରେସର ସଭ୍ୟା ହେଲେ । ସେତେବେଳେ ସଭ୍ୟପଦ ପାଇଁ ନିୟମ ଥିଲା ଯେ, କଂଗ୍ରେସକୁ ଚାରିଅଣା ପଇସା ଦେଇ ରସିଦ୍ ଖାତାରେ ଦସ୍ତଖତ କରିବାକୁ ପଡିବ । ଏହି ଦସ୍ତଖତ ବା ଟିପ ଚିହ୍ନ କଂଗ୍ରେସର ସଭ୍ୟ ଭାବରେ ଦେଶର ସ୍ୱାଧୀନତା ଆନ୍ଦୋଳନକୁ ସମର୍ଥନ କରୁଥିବାର ପ୍ରମାଣ ରୂପେ ଗ୍ରହଣ କରାଯାଉଥିଲା । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ଠିକ୍ ଭାବରେ ପରିଚାଳନା କରିବା ପାଇଁ ଗୋପବନ୍ଧୁ ଦାସ ଚାହୁଁଥିଲେ । ସେଥିପାଇଁ ସେ ଗାନ୍ଧୀଜୀଙ୍କୁ ଓଡ଼ିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ଏବଂ ସେହି ନିମନ୍ତ୍ରଣ ରକ୍ଷାକରି ଗାନ୍ଧିଜୀ ୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଓଡ଼ିଶା ଆସିଥିଲେ । କଟକ କାଠଯୋଡ଼ି ନଦୀ ପଠାରେ ଏକ ବିଶାଳ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଓଡ଼ିଶାର ମହିଳାମାନେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିଲେ । ହେଲେ ସେତେବେଳେ ଏଭଳି ହେବା ସମ୍ଭବ ନ ଥିଲା । ସରଳା ଦେବୀ କଟକ ସହରର ଗଳିକନ୍ଦି ବୁଲି ମହିଳାମାନଙ୍କୁ ଗାନ୍ଧିଜୀଙ୍କ ସଭାରେ ଯୋଗ ଦେବାପାଇଁ ବୁଝାଇଥିଲେ । ତାଙ୍କର ନିଷ୍ଠା ଓ ଉଦ୍ୟମ ସଫଳ ହୋଇଥିଲା ଓ ସେହି ସଭାରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ ।

୧୯୩୬ରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶଭାବେ ଘୋଷଣା ହେବାପରେ ସ୍ୱାୟତ୍ତ ଶାସନର ଚଳଣିରେ ଓଡ଼ିଶାରେ କଂଗ୍ରେସ ପକ୍ଷରୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଠିଆ କରାଯାଇଥିଲା। ସେ ସମୟରେ ସରଳା ଓଡ଼ିଶା ବିଧାନସଭା ନିର୍ବାଚନରେ ଭାଗ ନେଇ ବିଧାନ ସଭାକୁ ନିର୍ବାଚିତ ହେଇଥିଲେ। ସେ ଥିଲେ ଓଡ଼ିଶା ବିଧାନସଭାରେ ପ୍ରଥମ ମହିଳା ବିଧାୟିକା। ବିଧାନସଭାରେ ବାଲ୍ୟ ବିବାହ ଆଇନର ସଂଶୋଧନ ଓ ପୋଇଲି ପ୍ରଥାକୁ ଉଠାଇବା ପାଇଁ ସେ ବିଭିନ୍ନ ଆଇନ ପ୍ରଣୟନ କରିବାକୁ ବିଲ୍ ଆଗତ କରିଥିଲେ । ଓଡ଼ିଶାର ନାରୀମାନଙ୍କୁ ଏକାଠି କରିବାପାଇଁ ସରଳା ଦେବୀ "ଉତ୍କଳ ମହିଳା ସମ୍ମିଳନୀ" ନାମକ ସଂଗଠନ ଗଠନ କରିଥିଲେ । ଏହା ତାଙ୍କର ନାରୀଜାତିକୁ ଉନ୍ନତ କରିବାର ଆପ୍ରାଣ ଉଦ୍ୟମର ଏକ ଝଲକ ଥିଲା । ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଲବଣ ଆଇନ୍ ବିରୁଦ୍ଧରେ ସତ୍ୟାଗ୍ରହ କରିବା ପାଇଁ ଡାକରା ଦେଲେ । ସରଳା ଦେବୀ ସେତେବେଳେ ଗଞ୍ଜାମ ଜିଲ୍ଲାରେ "ଉଦ୍‌ଯୋଗ ମନ୍ଦିର" ନାମକ ସଂସ୍ଥା ସ୍ଥାପନ କରି ଗ୍ରାମାଞ୍ଚଳରେ ବୁଲି ସତ୍ୟାଗ୍ରହୀ ସଂଗ୍ରହ କରିବାରେ ଲାଗିପଡିଥିଲେ । ତାଙ୍କ ପ୍ରଚେଷ୍ଟାରେ ହେମଲତା ଦେବୀ, ଶୋଭାବତୀ ପଣ୍ଡା ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନରେ ଯୋଗ ଦେଇଥିଲେ । ବହୁ ପୁରୁଷ ସତ୍ୟାଗ୍ରହୀ ମଧ୍ୟ ଏଥିରେ ରହି ଦଳବଦ୍ଧ ହୋଇ ଲୁଣ ମାରି ଲବଣ ଆଇନ୍ ଭଙ୍ଗ କରିଥିଲେ ଓ ଗିରଫ ହୋଇ ଦଣ୍ଡ ଭୋଗୁଥିଲେ । ଯେତେବେଳେ ସରଳା ଦେବୀ ନିଜେ ଲବଣ ଆଇନ ଭାଙ୍ଗିବାର ଘୋଷଣା କଲେ, ସେତେବେଳେ ସରକାରଙ୍କ ଚେତନା ପଶିଲା । ୧୯୩୭ ମସିହା ମେ ମାସରେ ଡେଲାଙ୍ଗଠାରେ ଏକ ଚାଷୀସଭା ହୋଇଥିଲା । ଏହି ସଭାରେ ସରଳା ଦେବୀ ତତ୍କାଳୀନ ଜମିଦାରଙ୍କ ଅତ୍ୟାଚାର ବିରୁଦ୍ଧରେ ଲଢେଇ କରିବାକୁ ଲୋକଙ୍କୁ ଆହ୍ୱାନ କରିଥିଲେ । ବିଧାନସଭାରେ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କଠାରୁ ଖଜଣା ଆଦାୟ ବନ୍ଦ କରିବାକୁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ମାଳତୀ ଚୌଧୁରୀ :

ମାଳତୀ ଚୌଧୁରୀ

ମାଳତୀ ଚୌଧୁରୀ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ୨୬ ଜୁଲାଇ ୧୯୦୪ରେ ବିହାରର ଏକ ବ୍ରାହ୍ମଣ ପରିବାରରେ ବାପା ବାରିଷ୍ଟର କୁମୁଦ ନାଥ ସେନ ଓ ମାଆ ସ୍ନେହଲତା ସେନଙ୍କ ଠାରୁ ଜନ୍ମ ନେଇଥିଲେ । ବିଶ୍ୱକବି ରବିନ୍ଦ୍ରନାଥ ତାଙ୍କୁ ସ୍ନେହରେ ମିନୁ ଓ ଗାନ୍ଧୀଜୀ ତାଙ୍କୁ ତୁଫାନୀ ନାମରେ ଡାକୁଥିଲା ବେଳେ ସେ ଓଡ଼ିଶାବାସୀଙ୍କ ଆଦରଣୀୟ ନୂମା (ନୂଆ ମା) ଭାବେ ସେ ପରିଚିତ ଥିଲେ । ସ୍ୱାଧୀନତା ସଂଗ୍ରାମର ପ୍ରଜାମଣ୍ଡଳ ଆନ୍ଦୋଳନରେ ସେ ଏତେ ମାତ୍ରାରେ ଜଡ଼ିତ ଥିଲେ ଇଂରେଜ ସରକାର ତାଙ୍କୁ "ଜୋଆନ୍‌ ଅଫ୍‌ ଆର୍କ" ନାମରେ ସମ୍ବୋଧନ କରୁଥିଲେ।

ମାଳତୀଙ୍କର ବୈପ୍ଳବୀକ ଚିନ୍ତାଧାରାକୁ ଅଧିକ ପ୍ରେରିତ କରିଥିଲେ ତାଙ୍କ ସ୍ୱାମୀ ନବକୃଷ୍ଣ ଚୌଧୁରୀ। ବିବାହ ପରେ ସେ ଓ ତାଙ୍କ ସ୍ୱାମୀ ଜଗତସିଂହପୁର ଜିଲ୍ଲାର ତରିକୁନ୍ଦ ଗ୍ରାମରେ ରହୁଥିଲେ। ଜୀବିକା ନର୍ବାହ କରିବା ପାଇଁ ସେ କୃଷି ଓ ଗୋପାଳନ କରୁଥିଲେ। ଗ୍ରାମରେ ରହିବାବେଳେ ସେ ଘର ଘର ବୁଲି ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ସଚେତନ କରାଇବା ସହ ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସହଯୋଗ କରିବା ପାଇଁ ଅନୁରୋଧ କରୁଥିଲେ।

ବାହା ହେବାପରେ ସେ ଓଡ଼ିଶାରେ ବସବାସ କରୁଥିଲେ ଓ ଓଡ଼ିଶା ତାଙ୍କର କର୍ମଭୂମି ପାଲଟିଥିଲା । ଚୌଧୁରୀ ଦମ୍ପତି ଜଗତସିଂହପୁରର ଅଣଖିଆରେ ବାସ କରୁଥିଲେ। ନବକୃଷ୍ଣ ଚାଷବାସ କରୁଥିଲେ । ଚାଷ ଛଡ଼ା ଆଖପାଖ ଗାଁମାନଙ୍କ ସହ ସହଯୋଗ ବଢ଼ାଇବା ସେମାନଙ୍କ ମୂଳ ଉଦ୍ଦେଶ୍ୟ ଥିଲା । ସେ ଅନୁଗୋଳର ବାଜିରାଉତ ଛାତ୍ରାବାସ, ଉତ୍କଳ ନବଜୀବନ ମଣ୍ଡଳ ଓ ଚମ୍ପତିମୁଣ୍ଡାର ଜୀବନ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ସେ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ଯେ କିଶୋରୀ ବୟସରେ ସ୍ୱାଧୀନତା ସଂଗ୍ରାମରେ ଭାଗ ନେଇଥିଲେ। ୧୯୨୦ ମସିହା ଅସହଯୋଗ ଆନ୍ଦୋଳନରେ ସେ ଭାଗ ନେଇଥିଲେ। ନିଜର ପ୍ରେଚେଷ୍ଟାରୁ ସେ ଇଞ୍ଚୁଡ଼ି ଓ କୁଜଙ୍ଗରୁ ପ୍ରଥମେ ଶହେରୁ ଉର୍ଦ୍ଧ୍ୱ ମହିଳାଙ୍କୁ ଆଣି ଲବଣ ସତ୍ୟାଗ୍ରହରେ ଯୋଗ ଦେଇଥିଲେ। ନାରୀମାନଙ୍କ ନିରକ୍ଷରତା ହିଁ ତାଙ୍କୁ ଦୁର୍ବିସହ ଜୀବନ ବିତାଇବାକୁ ବାଧ୍ୟ କରୁଥିବା କଥା ସେ ଜାଣିଥିଲେ। ତେଣୁ ସେ ନିଜ ଗ୍ରାମରେ ଥିବାବେଳେ ରାତ୍ରି ପାଠଶାଳା ଆରମ୍ଭ କରିଥିଲେ।

Other Stories