• translate
Pramod Behera

ବିଶ୍ୱ ଦେଖୁଛି କରୋନାର କରାଳ ରୂପ। ଏତେ ଭୟଙ୍କର ପରିସ୍ଥିତି ଆଗାମୀ ପିଢ଼ିରେ ଆମ ପିଲାମାନେ ହୁଏତ ଆଉ ସାମ୍ନା କରି ନ ପାରନ୍ତି। କରୋନାର ଦ୍ୱିତୀୟ ଲହରର ସ୍ଥିତି ଏମିତି ହୋଇଥିଲା ଯେ ଶବ ପୋଡ଼ିବାକୁ କି ପୋତିବାକୁ ମଧ୍ୟ ସ୍ଥାନର ଅଭାବ ପଡ଼ିଲା। କରୋନା ମହାମାରୀ ସହିତ ଆମେ ପାଖାପାଖି ଦେଢ଼ ବର୍ଷରୁ ଅଧିକ ସମୟ ବିତାଇ ସାରିଲେଣି। କରୋନା ଧନୀ, ଗରିବ ଆଉ ମଧ୍ୟବିତ୍ତ ସମସ୍ତଙ୍କୁ କରିଛି କଲବଲ। ବିଷାଦ ଆଉ ଅବସାଦ ମଧ୍ୟରେ ପ୍ରାୟ ସମସ୍ତଙ୍କ ଦିନ ବିତୁଛି। ବିଗିଡିଯାଇଛି ମଧ୍ୟବିତ୍ତଙ୍କ ଜୀବନ ଶୈଳୀ।

କରୋନାର ଦ୍ୱିତୀୟ ଲହର ଯେ ପ୍ରକୃତରେ କେତେ ଭୟଙ୍କର ତାହା ଆମେ ପ୍ରତିଦିନ ଅଙ୍ଗେ ନିଭାଉଛୁ। ବେଳେବେଳେ ଏମିତି ଲାଗୁଛି ଏ ଭୂତାଣୁ ଆମ ସହିତ ଏମିତି ରହିବ। ଦେଇଚାଲିଥିବ ଏମିତି ଯନ୍ତ୍ରଣା। କରୋନାରୁ ସମ୍ପୂର୍ଣ୍ଣ ରୂପେ ଆମେ ମୁକ୍ତ ହେବା ସମ୍ଭାବନା ବହୁତ କମ। ପ୍ରଥମରୁ ହିଁ କରୋନା ତା’ର କରାଳ ରୂପ ଦେଖାଇ ଚାଲିଛି ଆଉ ମାନବ ସମାଜ ଯେତେ ଚେଷ୍ଟାକଲେ ବି କରୋନାର ପ୍ରତିହତ କରିବାକୁ ସମ୍ପୂର୍ଣ୍ଣ ସଫଳ ହେଉ ନାହିଁ।

କରୋନାର ପ୍ରଥମ ଲହର ଦ୍ୱିତୀୟ ବିଶ୍ୱଯୁଦ୍ଧ ପରି ମନେ ହେଉଥିଲା। ଲୋକେ ସଚେତନ ହେଲେ ଆଉ କରୋନା ଧୀରେ ଧୀରେ ଦୂରେଇ ଗଲା। ଧୀରେ ଧୀରେ ଜୀବନ ବି ସ୍ୱାଭାବିକ ହେଉଥିଲା। ଆଉ ଆମେ ଭାବିଲେ କରୋନା ପୂରା ଦୂରେଇ ଗଲା। କିନ୍ତୁ କରୋନା ଯେ ଆମ ଭିତରେ ରହିଥିଲା, ତାହା ଆମେ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ।

Article on Coronaକରୋନା : ବିଷାଦ ଓ ବିଭୀଷିକା

ଠିକ୍‍ ବର୍ଷକ ପରେ କରୋନା ପୁଣି ତା’ର କରାଳ ରୂପ ଦେଖାଇଲା। ସବୁ ଅମାନିଆ ହେଲେ। ସରକାରଙ୍କ କଟକଣାକୁ ବେଖାତିର କଲେ। ଆଉ ସେଥିପାଇଁ କରୋନା ବି ଦେଖାଇଲା ତା’ର କରାମତି। ପୋଛିଦେଲା ନବବିବାହିତା ମଥାରୁ ସିନ୍ଦୂର, ଫେରାଇ ଦିଆଗଲା ନିର୍ବନ୍ଧରେ ଦିଆଯାଇଥିବା ମୁଦି, କୋଳ ଶୂନ୍ୟ ହୋଇଗଲା ମାଆର କୋଳ ଆଉ ଏମିତି ବି କାହାର ପରିବାର ପୂରା ନିଶ୍ଚିହ୍ନ ହୋଇଗଲା।

ଅନେକ ଜୀବନ ନେଇଛି ମହାମାରୀ। କାଳ ସାଜିଛି ଭାଗ୍ୟ ଆଉ ମଥା ପିଟି କାନ୍ଦୁଛି ପତ୍ନୀ। ଆମେ କରୋନାର ଦ୍ୱିତୀୟ ଲହର ସହିତ ଲଢେଇ ଜାରି ରଖିଛେ। ଏହା କେତେ ଭୟଙ୍କର ଆମେ ସମସ୍ତେ ଜାଣିଛେ। ଦ୍ୱିତୀୟ ଲହରରେ ଦିନ ରାତି କେଉଁଠି ନା କେଉଁଠି ଜଳୁଥିଲା ଲୋକଙ୍କ ଚିତା। ପ୍ରତି ସେକେଣ୍ଡରେ କରୋନା ନେଉଥିଲା କାହାର ନା କାହାର ପ୍ରାଣ। ସ୍ଥିତି ଏପରି ହୋଇଥିଲା ଶବ ପୋଡ଼ିବାକୁ ମଧ୍ୟ ଜାଗା ନ ଥିଲା। ଏ ଯନ୍ତ୍ରଣାର ଶେଷ କେବେ ହେବ ତାହା ଆକଳନ କରିବା ଆଦୌ ସମ୍ଭବପର ନୁହେଁ। କରୋନା ଏମିତି ବିଷାଦ ଦେଇଛି, ଯାହା କେବେ ସରିବ ନାହିଁ। ଏ ବିଷାଦର କୌଣସି ମଲମ ବି ନାହିଁ।
ତୈଳ କମ୍ପାନୀମାନେ ରାତି ପାହିଲେ ମୂଲ୍ୟ ସୁଧାର କରିଦେଉଛନ୍ତି। ପେଟ୍ରୋଲ, ଡିଜେଲ ସାଙ୍ଗକୁ ରୋଷେଇ ଗ୍ୟାସ୍‌ ଦର ବଢିବଢି ଚାଲିଛି। କରୋନା କାଳରେ ଲୋକେ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଥିବାବେଳେ ଆୟ ମଧ୍ୟ ପ୍ରଭାବିତ ହୋଇଛି। ଏଥିରେ ଇନ୍ଧନ ମୂଲ୍ୟ ବୃଦ୍ଧି ସହ ତାଳଦେଇ ବଜାରରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅତ୍ୟାଧିକ ମୂଲ୍ୟବୃଦ୍ଧି ଲୋକଙ୍କ ଅଣ୍ଟା ନୁଆଁଇଦେଲାଣି।

Article on Coronaକରୋନା : ବିଷାଦ ଓ ବିଭୀଷିକା

ଏକ ଆକଳନରୁ ଏବେ ମଧ୍ୟମ ଆୟକାରୀ ବର୍ଗ ପରିବାରର ମାସିକ ଘର ଖର୍ଚ୍ଚ ଗତବର୍ଷ ଅପେକ୍ଷା ଏ ବର୍ଷ ପ୍ରାୟ ୨ ହଜାର ଟଙ୍କାରୁ ଅଧିକ ବଢିଥିବା ଜଣାପଡିଛି। ଏହାର କାରଣ ଏହା ହୋଇପାରେ, କରୋନାରେ ଘରେ ପରିବାରର ସମସ୍ତ ସଦସ୍ୟ ରହିଲେ, ରୋଜଗାର ନ ଥିବାକୁ ଖର୍ଚ୍ଚ ବଢ଼ିଛି।
ପେଟ୍ରୋଲ ଡିଜେଲ ଭଳି ଲୋକଙ୍କ ଘରର ଖର୍ଚ୍ଚ ବୃଦ୍ଧିରେ ଖାଦ୍ୟ ତେଲ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ମାତ୍ର ବର୍ଷକରେ ଲିଟର ପିଛା ଖାଇବା ତେଲ ଦର ଦୁଇଗୁଣା ହୋଇଯାଇଛି। ବଜାର ପରିସ୍ଥିତି ଏବେ ବଦଳି ଯାଇଛି। ଖାଇବା ତେଲ ପରେ ଡାଲି ମଧ୍ୟ ଲୋକଙ୍କ ଘରର ଖର୍ଚ୍ଚ ବିଗାଡି ଚାଲିଛି। ଡାଲି ଗତବର୍ଷ ଯେଉଁ ଦରରେ ବିକ୍ରି ହେଉଥିଲା ଚଳିତ ବର୍ଷ କେଜି ପିଛା ୩୦ରୁ ୩୫ ଟଙ୍କା ଅଧିକ ଦରରେ ବିକ୍ରି ହେଉଛି। ଯଦିଓ ଏହା ଖାଇବା ତେଲ ପରି ଦୁଇଗୁଣା ଦାମରେ ବିକ୍ରି ହେଉନି ତଥାପି ଲୋକଙ୍କ ଖର୍ଚ୍ଚ ବୃଦ୍ଧିରେ ସହାୟକ ହୋଇଥିବା ଦେଖାଯାଇଛି।

ତେବେ ବଜାରଦର ଓ ପାରିବାରିକ ଖର୍ଚ୍ଚରେ ଏବେ ଆକାଶ ପାତାଳ ଅନ୍ତର ଆସିଯାଇଛି। କରୋନା ଯୋଗୁଁ କାମଧନ୍ଦା ବନ୍ଦ ପଡିଥିବା ବେଳେ ଲୋକଙ୍କ ଆୟ ହ୍ରାସ ହୋଇଛି। ଅଭାବ କାଳରେ ଅତ୍ୟଧିକ ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକେ ଗୁରୁତର ସମସ୍ୟାରେ ପଡିଛନ୍ତି। ଗତବର୍ଷ ଏପ୍ରିଲ-ମେ ମାସରେ ଲୋକଙ୍କ ଘର ଖର୍ଚ୍ଚ ଯାହାଥିଲା ତାହା ଚଳିତ ବର୍ଷ ଏହି ସମୟ ବେଳକୁ ଦୁଇଗୁଣିତ ହୋଇଯିବା ବଜାର ଉପରୁ ସରକାର ନିୟନ୍ତ୍ରଣ ହରାଇଥିବା ପ୍ରମାଣିତ କରୁଛି। ହେଲେ କରୋନାରେ ତାଲାବନ୍ଦ ଓ ବିଭିନ୍ନ କଟକଣା ଯୋଗୁଁ ଲୋକଙ୍କ ସମସ୍ୟା ସେହି ଭିତରେ ସୀମିତ ରହିଯାଇଛି।

ଏବେ ଏପରି ପରିସ୍ଥିତି ହୋଇଛି ଯେ ଲୋକଙ୍କ ପୂର୍ବ ସଞ୍ଚୟ ମଧ୍ୟ ମହଙ୍ଗା ପରିସ୍ଥିତିରେ ସମାପ୍ତ ହେବାରେ ଲାଗିଲାଣି। ଲୋକଙ୍କ ଆୟ ହୁଏତ ହ୍ରାସ ହୋଇଛି ଅଥବା ସମତୁଲ ରହିଛି ହେଲେ ବୃଦ୍ଧି ହୋଇ ନ ଥିବା ବେଳେ ବଜାର ଦର ବୃଦ୍ଧି ସଞ୍ଚୟକୁ ପ୍ରଭାବିତ କରୁଛି। ଏଣୁ ଲୋକେ ଏବେ ଭିଡାଭିଡିରେ ଘର ଚଳାଇବାକୁ ବାଧ୍ୟ ହେଉଛନ୍ତି।

କରୋନା ମହାମାରୀ ପ୍ରଭାବରେ ବର୍ଷକ ଭିତରେ ୨୩ କୋଟି ଲୋକ ଦାରିଦ୍ର୍ୟ ମଧ୍ୟକୁ ଠେଲି ହୋଇଯାଇଛନ୍ତି ବୋଲି ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି। ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ସଂଖ୍ୟାରେ ୧୫% ଓ ସହରାଞ୍ଚଳରେ ତା’ଠାରୁ ଅଧିକ ଅର୍ଥାତ ୨୦% ବୃଦ୍ଧି ଘଟିଛି। ଗମନାଗମନରେ କଟକଣା ଲୋକମାନଙ୍କ ଆୟକୁ ପ୍ରଭାବିତ କରିଥାଏ। ଗମନାଗମନରେ ୧୦% ହ୍ରାସ ହେଲେ ଲୋକମାନଙ୍କ ଆୟ ୭.୫% କମିଥାଏ। ଲୋକମାନଙ୍କ ମାସିକ ପାରିବାରିକ ଆୟ ମଧ୍ୟ ୨୦୨୦ ଅକ୍ଟୋବର ବେଳକୁ ୪୯୭୯ ଟଙ୍କାକୁ ହ୍ରାସ ପାଇଥିଲା।

୨୦୨୦ ଜାନୁଆରୀରେ ତାହା ୫୯୮୯ ଟଙ୍କା ଥିଲା। ୨୦୨୦ ଶେଷ ସୁଦ୍ଧା ୧.୫ କୋଟି ଲୋକ ବେକାର ଥିଲେ। ମହାରାଷ୍ଟ୍ର, କେରଳ, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଦିଲ୍ଲୀ ଭଳି ରାଜ୍ୟ ଯେଉଁଠାରେ କୋଭିଡ୍‌ ମାମଲା ସଂଖ୍ୟା ଅଧିକ ଥିଲା ସେଠାରେ ବେକାରୀ ସମସ୍ୟା ମଧ୍ୟ ଅଧିକ ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ମହାମାରୀ ଯୋଗୁଁ ଅଧିକାଂଶ ଶ୍ରମିକଙ୍କ ଆୟ କମିଛି। ସରକାରୀସ୍ତରରେ ସେମାନଙ୍କୁ କିଛିମାସ ଅତିରିକ୍ତ ପଡ଼ି ସାମଗ୍ରୀ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି ହୋଇଛି।

ପ୍ରତ୍ୟେକ ଦିନ କାମ କଲେ ଏମାନଙ୍କ ତେଲଲୁଣର ସଂସାର ଚାଲେ। ଏବେ କରୋନା କାଳରେ ଦେଢ଼ବର୍ଷରୁ ଅଧିକ ହେବ ସେମାନେ ଅଭାବ ସହିତ ଯୁଝୁଛନ୍ତି। ଏପରି କି ଲୋକମାନେ ଖାଇବା କମ କରିବା ସହ ଋଣ କରିଛନ୍ତି ଓ ସମ୍ପତ୍ତି ବିକିଛନ୍ତି।
କରୋନା ମହାମାରୀ ସମୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। କେହି କେବେ କଳ୍ପନା କରି ନଥିଲେ ବର୍ଷ ବର୍ଷ ଧରି ଘରେ ଅନ୍‌ଲାଇନ୍‌ରେ ପାଠ ପଢ଼ିବାକୁ ହେବ। ବିନା ପରୀକ୍ଷାରେ ପାଶ୍ କରିବାକୁ ହେବ। ମେଧାବୀ ଛାତ୍ର/ଛାତ୍ରୀ ଭବିଷ୍ୟତକୁ କେମିତି ସଜାଇବେ ତାହା ବି ଏକ ବଡ଼ ପ୍ରଶ୍ନ। ଗରିବ ବାପାଟିଏ ଋଣ କରି ପିଲାଙ୍କୁ ଉଚ୍ଚଶିକ୍ଷା ଦିଏ। କରୋନାରେ ତା’ର ରୋଜଗାରର ସମସ୍ତ ଉତ୍ସ ପ୍ରାୟତଃ ବନ୍ଦ। ଅନେକ ମଧ୍ୟବିତ୍ତ ପରିବାରର ଆୟ କହିଲେ ଛୋଟ ଛୋଟ ଦୋକାନ। ବର୍ଷ ତମାମ ଦୋକାନଗୁଡିକ ବନ୍ଦ ରହିବା ଫଳରେ ସେମାନେ ଉଭୟ ମାନସିକ ଓ ଆର୍ଥିକ ଭାବେ ଦୁର୍ବଳ ହୋଇପଡ଼ିଛନ୍ତି।

ଗରିବ ଘରର ମେଧାବୀଛାତ୍ରଟିଏ ଉଚ୍ଚଶିକ୍ଷା ସ୍ୱପ୍ନ ବି ଦେଖିବାକୁ ସାହସ କରୁନି। ଆଖି ସାମ୍ନାରେ ସେ ଦେଖୁଛି କରୋନା କେମିତି ତା’ ବାପାଙ୍କର ରୋଜଗାର ଉତ୍ସକୁ ତାଲା ପକାଇ ରଖିଛି। ପ୍ରଥମ ଓ ଦ୍ୱିତୀୟ ଲହରରେ ଘର ଏବଂ କାର୍‌ ଋଣ ଅଧିକ କରିଥିବା ବେଳେ ପାଠ ପାଇଁ ଋଣ କମିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌(ଆର୍‌ବିଆଇ) ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ମାର୍ଚ୍ଚ ୨୦୨୦ରୁ ମେ ଓ ୨୦୨୧ ମଧ୍ୟରେ ବ୍ୟାଙ୍କ୍‌ ଋଣ ଖୁବ କମ୍‌ ହୋଇଛି। ଆର୍‌ବିଆଇ ରିପୋର୍ଟ ଅନୁସାରେ ଶିକ୍ଷା ଋଣ କ୍ଷେତ୍ରରେ ଉଭୟ ପ୍ରଥମ ଓ ଦ୍ୱିତୀୟ ଲହରରେ ଲଗାତାର ହ୍ରାସ ପରିଲକ୍ଷିତ ହୋଇଛି। କରୋନା ମହାମାରୀ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁଁ ବିଦେଶରେ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ମଧ୍ୟ ନିଜର ପାଠ୍ୟକ୍ରମ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛନ୍ତି। ଛୋଟ ଛୋଟ ପିଲାମାନେ ବି ଘରେ ଦୀର୍ଘ ସମୟ ବସି ବିଷାଦ ଆଡ଼କୁ ମୁହାଁଉଛନ୍ତି। ଦିନ ରାତି ସବୁବେଳେ ସେମାନେ ମୋବାଇଲ ସହିତ ସମୟ କାଟିବା ପରେ ବିରକ୍ତି ଭାବ ପ୍ରକାଶ କରୁଛନ୍ତି।

ଖାଲି ଛୋଟ ପିଲା ନୁହେଁ, ଯୁବପିଢ଼ି ମଧ୍ୟ ବିଷାଦର ଶିକାର ହୋଇଛି। କରୋନା ଛଡ଼େଇ ନେଇଛି ଚାକିରି। ପ୍ରତିଯୋଗିତା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷା ଦେଇପାରୁ ନାହାନ୍ତି। ପରୀକ୍ଷାର ତାରିଖ ଘୁଞ୍ଚି ଘୁଞ୍ଚି ଚାଲିଛି। ଏହା ଦ୍ୱାରା କେହି କେହି ବିଷାଦରେ ଶିକାର ହୋଇ ଆତ୍ମହତ୍ୟା ଶେଷ ରାସ୍ତା ବୋଲି ବାଛି ନେଉଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି କି କରୋନା ସମୟରେ ପାରିବାରିକ କଳହ ମଧ୍ୟ ବୃଦ୍ଧି ପାଇଛି। ଏପରି କି ଏହି ସମୟରେ ପତିପତ୍ନୀଙ୍କ ମଧ୍ୟରେ ଛୋଟ ଛୋଟ ପ୍ରସଙ୍ଗକୁ ନେଇ କଥା କଥାକଟି ହୋଇଛି। ଏହାର ମୁଖ୍ୟ କାରଣ କରୋନା ସମୟରେ ଘରେ ରହିବା ଦ୍ୱାରା ଯାବତୀୟ ପ୍ରସଙ୍ଗକୁ ନେଇ ଯୁକ୍ତି ତର୍କ ଚାଲେ। ଆଉ ତାହା ଉଭୟଙ୍କୁ ବିଷାଦ ଆଡ଼କୁ ମୁହାଁଇ ନିଏ।

ଏବେ ବି କମି ନାହିଁ କୋଭିଡ୍ ଭୟ। ଟିକାକରଣ ଜାରି ରହିଥିବା ବେଳେ ତଥାପି କରୋନା ଭୟ ଲୋକମାନଙ୍କୁ ବିବ୍ରତ କରିପକାଉନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ମାଙ୍ଗାଲୋରରେ। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇଥିବା ସ୍ୱାମୀ-ସ୍ତ୍ରୀ ଉଭୟ ରହୁଥିବା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ଏଇ କିଛି ଦିନ ତଳେ ବିଶେଷ ଖବର ହୋଇଥିଲା। ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ଏକ ସୁଇସାଇଡ୍‌ ନୋଟ୍ ସହିତ ଶେଷକୃତ୍ୟ ପାଇଁ ୧ ଲକ୍ଷ ଟଙ୍କା ରଖିଦେଇଥିଲେ। ସେମାନଙ୍କ ଶବଦାହ ପାଇଁ ଯେପରି କୌଣସି ସମସ୍ୟା ନ ହେବ ସେଥିପାଇଁ ସେ ଟଙ୍କା ଥୋଇଦେଇ ଯାଇଥିବା ସୁଇସାଇଡ୍ ନୋଟ୍‌ରେ ଲେଖିଥିଲେ।

Article on Coronaକରୋନା : ବିଷାଦ ଓ ବିଭୀଷିକା

ସେମାନେ ଉଭୟ କରୋନାରେ ସଂକ୍ରମିତ ହୋଇଥିଲେ। କରୋନାର କରାଳ ରୂପକୁ ନେଇ ସେମାନେ ବିଷାଦ ଦେଇ ଗତି କରୁଥିଲେ। କରୋନାର ଏଇ ସମୟରେ ସେମାନେ ଚିଡ଼୍‌ଚିଡ଼ା ସ୍ୱଭାବର ହୋଇଯାଇଥିବା ମନସ୍ତତ୍ତ୍ୱବିତ୍‌ମାନେ ମତପ୍ରକାଶ କରିଛନ୍ତି। କରୋନାକୁ ପ୍ରତିହତ କରିବାକୁ ଯଦିଓ ସରକାରଙ୍କ ବିଭିନ୍ନ ପ୍ରକାର ପଦକ୍ଷେପ, ଦେଶବ୍ୟାପୀ ମାଗଣା ଟିକାକରଣ, ତାଲାବାନ୍ଦ, ରାତ୍ରୀକାଳିନ କର୍ଫ୍ୟୁ କରିଛନ୍ତି, ଅର୍ଥନୀତିକୁ ସ୍ୱାଭାବିକ କରିବାକୁ ଏସବୁ ପଦକ୍ଷେପ ତଥାପି ଫଳପ୍ରଦ ଅଦ୍ୟାବଧି ହୋଇପାରିନି।
ମହାମାରୀ କରୋନା ସାରା ବିଶ୍ୱକୁ ତା’ର ଅକ୍ତିଆରରେ ନେଇସାରିଛି। ତୁଣ୍ଡି, ସାନିଟାଇଜର, ଦୂରତା ଅବଲମ୍ବନ କରିବା ଆମର ଅଭ୍ୟାସ ହୋଇଗଲାଣି। ଅଧିକାଂଶ ଚାକିରି ହରାଇଛନ୍ତି କେବଳ ଏହି ମହାମାରୀ କରୋନା ପାଇଁ। ଯଦି ଆମେ ଏ ସବୁକୁ ଦୃଷ୍ଟିରେ ରଖି ବିଚାର କରିବା, ସରକାର ଯେଉଁ ବିନା ପରୀକ୍ଷାରେ ପିଲାଙ୍କୁ ପାସ୍‌ କରାଉଛନ୍ତି, ଏହାର ପରିଣାମ ଆମ ପିଲାମାନେ ଆଗାମୀ ଦିନରେ ଭୋଗିବେ। ସେମାନଙ୍କ ଭବିଷ୍ୟତ ଯେ ଅନ୍ଧାରରେ ଏ କଥାକୁ ଅସ୍ୱୀକାର କରାଯାଇ ନ ପାରେ।

ଖାଲି ନିର୍ବାଚନରେ ମୁଣ୍ଡ ଖଟାଇଲେ ହେବନି, ପିଲାଙ୍କ ଭବିଷ୍ୟତ କଥା ବି ସମସ୍ତଙ୍କ ନଜରରେ ଆସିବା ଦରକାର କାରଣ ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ। ଯଦି ଅନ୍‌ଲାଇନ୍‌ରେ ଶିକ୍ଷାଦାନ ହୋଇପାରୁଛି ତେବେ ଅନ୍‌ଲାଇନ୍‌ରେ ଭୋଟ ଗ୍ରହଣ କାହିଁକି ନୁହେଁ। ଜଣେ ସାଧାରଣ ନାଗରିକର କର୍ତ୍ତବ୍ୟ ଆଗାମୀ କାଲିର ଭବିଷ୍ୟତମାନଙ୍କୁ ସୁରକ୍ଷିତ ରଖିବାକୁ ଏବଂ ସେମାନଙ୍କୁ ଉତ୍ତମ ଶିକ୍ଷାଦାନ ଦେବାକୁ। ଏ ସଙ୍କଟ ସମୟ ବହୁତ ତୀବ୍ରତାର ସହ ଗତି କରୁଛି। ତେଣୁ ଏହାକୁ ନ ଡରି ବିପଦର ସାମ୍ନାକରି ସମସ୍ତଙ୍କ ମଙ୍ଗଳ ଚିନ୍ତା କରିବା ଉଚିତ।

ଯଦି କରୋନା ପରିସ୍ଥିତି ଏମିତି ଲାଗି ରୁହେ ତେବେ ପିଲା କେବଳ ପାସ୍‌ ହୋଇ କ’ଣ କରିବେ! ଦେଶକୁ ଆଗେଇବାକୁ ହେଲେ ବୁଦ୍ଧି ବିକାଶର ଜ୍ଞାନ କୌଶଳ ନିହାତି ଆବଶ୍ୟକ। ପିଲାର ଉତ୍ତମ ଜ୍ଞାନ ହେଲେ ସେ ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ ହେଉ ଚାକିରି ପାଇପାରିବ ଏବଂ ଆମ ଦେଶରୁ କିଛି ମାତ୍ରାରେ ବେକାରୀ ସମସ୍ୟା ହଟି ପାରିବ।

ଲୋକମାନଙ୍କୁ କେବଳ ମାଗଣା ସାମଗ୍ରୀ ଦେଇ ଦେଶରୁ ଗରିବୀ ହଟାଯାଇପାରିବ, ଏ କଥା ଆଦୌ ଠିକ୍ ନୁହେଁ। ସେମାନଙ୍କର ବିକାଶ ପାଇଁ ସରକାର ଦୀର୍ଘସୂତ୍ରୀ ବ୍ୟବସ୍ଥା କରିବାର ସମୟ ଏବେ ଅବତୀର୍ଣ୍ଣ। ତଥାପି ଆମେ ସମସ୍ତେ ଆଶା ବାନ୍ଧି ବସିଛେ ଏ ଦୁର୍ଦ୍ଦିନ ଚାଲିଯିବ, ପୁଣି ଥରେ ସମସ୍ତଙ୍କ ମନରେ ବିଷାଦ ନୁହେଁ, ହସଖସିର ଫୁଲ ଫୁଟିବ। ବିଶ୍ୱ ହେବ କରୋନାମୁକ୍ତ।

(ଏହା ଲେଖକ / ଲେଖିକାଙ୍କ ନିଜସ୍ୱ ମତ)

Other Stories