• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଲିବାନ୍ ଆକ୍ରମଣ ପୂର୍ବରୁ ମିଳିଥିଲା କି ଆଭାଷ ? ଆତଙ୍କବାଦୀ ସଂଗଠନ ତାଲିବାନ ଚଳିତ ବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନ କବଜା କରିଥିଲା । ଏହାର ୨୩ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୨୩ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନିଙ୍କ ମଧ୍ୟରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା । ୨୩ ଜୁଲାଇରେ ବାଇଡେନ ଏବଂ ଘନି ମଧ୍ୟରେ ଶେଷ ଫୋନ୍ କଲର କିଛି ଅଂଶ ଜାରି କରିଛି ରୟଟର୍ସ । ବାଇଡେନ ଏବଂ ଅଶରଫ୍ ଘନିଙ୍କ ମଧ୍ୟରେ ଆଲୋଚନା ପ୍ରାୟ ୧୪ ମିନିଟ ଧରି ଚାଲିଥିଲା । ସେମାନେ ସାମରିକ ସହାୟତା, ରାଜନୈତିକ ରଣନୀତି ଇତ୍ୟାଦି ଉପରେ ଚର୍ଚ୍ଚା କରିଥିଲେ ଉଭୟ ନେତା । କିନ୍ତୁ ଆଫଗାନିସ୍ତାନ ଉପରେ ତାଲିବାନ କବଜା ସମ୍ଭାବନା ସମ୍ପର୍କରେ ଆଲୋଚନା ହୋଇନଥିଲା ।

ରଏଟର୍ସ ରିପୋର୍ଟ ଅନୁସାରେ ବାଇଡେନ ଚାହୁଁଥିଲେ ଆଶରଫ ଘନି ଦେଶରେ ଏପରି ପରିବେଶ ସୃଷ୍ଟି କରନ୍ତୁ, ଯେପରି ତାଲିବାନର କୌଣସି ପ୍ରଭାବ ନରହୁ । ଆଫଗାନିସ୍ତାନରେ ଏବଂ ସାରା ବିଶ୍ୱର ତାଲିବାନ ବିରୋଧୀ ଲଢ଼େଇ ସବୁ କିଛି ଠିକ୍ ଚାଲିନାହିଁ ବୋଲି ପୂର୍ବରୁ ସତର୍କ କରାଇଥିଲେ ବାଇଡେନ୍ । ଏଥିପାଇଁ ଏକ ଭିନ୍ନ ଚିତ୍ର ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ ଆମେରିକା ରାଷ୍ଟ୍ରପତି ।

ଅଶରଫ ଘନିଙ୍କ ପକ୍ଷରୁ ତାଲିବାନ ସହିତ ଲଢ଼େଇ କରିବାର ଦାୟିତ୍ୱ ଜେନେରାଲ ବିସମିଲ୍ଲା ଖାନଙ୍କୁ ଦିଆଯାଉ ବୋଲି ଚାହୁଁଥିଲେ ବାଇଡେନ୍ । ବିସମିଲ୍ଲା ଖାନ ସେତେବେଳେ ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ତୁଲାଉଥିଲେ । ଏହାସହ ଆମେରିକାର ସୈନ୍ୟବାହିନୀଙ୍କ ଠାରୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇ ପ୍ରସ୍ତୁତ ଥିବା ତିନି ଲକ୍ଷ ଆଫଗାନିସ୍ତାନ ସେନା ୭୦ରୁ ୮୦ ହଜାର ତାଲିବାନୀଙ୍କୁ ପ୍ରତିରୋଧ କରିବାରେ ସମ୍ପୂର୍ଣ୍ଣ ସକ୍ଷମ ବୋଲି ଅଶରଫ୍ ଘନିଙ୍କୁ ଆଶ୍ୱାସନା ଦେଇଥିଲେ ବାଇଡେନ୍ ।

ଆଫଗାନିସ୍ତାନରେ ସର୍ବୋତ୍ତମ ସେନା ଅଛି । ତାଲିବାନଙ୍କ ୭୦ରୁ ୮୦ ହଜାର ତାଲିବାନଙ୍କ ତୁଳନାରେ ତିନି ଲକ୍ଷ ସଶସ୍ତ୍ର ବାହିନୀ ଅଛନ୍ତି ଏବଂ ସେମାନେ ଯୁଦ୍ଧ କରିବାରେ ସକ୍ଷମ ଅଟନ୍ତି ବୋଲି ବାଇଡେନ୍ କହିଥିଲେ । ହେଲେ ଏହାରି ଭିତରେ ଗୋଟିଚାଳନା କରିସାରିଥିଲେ ତାଲିବାନ୍ । ଅଗଷ୍ଟ ସୁଦ୍ଧା ଦେଶ ଅକ୍ତିଆର କରିନେବେ ବୋଲି କେହି ଚିନ୍ତା ବି କରିନଥିଲେ ।

ଅନ୍ୟପଟେ ଘନି ବାଇଡେନଙ୍କୁ କହିଥିଲେ ପାକିସ୍ତାନ ତାଲିବାନକୁ କିପରି ସମ୍ପୂର୍ଣ୍ଣ ସମର୍ଥନ କରୁଛି । ଭବିଷ୍ୟତରେ ବଡ଼ ଆକ୍ରମଣର ଆଶଙ୍କା କରିଥିଲେ ଘନି । ପାଖାପାଖି ୧୦ରୁ ୧୫ ହଜାର ଅନ୍ତର୍ଜାତୀୟ ଆତଙ୍କବାଦୀ ମୁଖ୍ୟତଃ ପାକିସ୍ତାନୀ ଅଟନ୍ତି ବୋଲି ବାଇଡେନଙ୍କୁ କହିଥିଲେ ଘନି । ତାଲିବାନ ସହ ଆଲୋଚନା କରିବାକୁ ମଧ୍ୟ ଚେଷ୍ଟା କରାଯାଉଛି ବୋଲି ମଧ୍ୟ ଘନି କହିଥିଲେ । ହେଲେ ସ୍ୱଭାବତଃ ତାଲିବାନ ସହ ଆଲୋଚନା ହୋଇପାରିନଥିବା ସ୍ପଷ୍ଟ ହେଉଛି ।