• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ପଞ୍ଜଶିର ଦଖଲ କଲା ତାଲିବାନ୍ । ପ୍ରତିରୋଧର ଶେଷଗଡ଼କୁ ସଂପୂର୍ଣ୍ଣ କବଜା କରିଥିବା ଦାବି କରି ଗତକାଲି ପଞ୍ଜଶିର ଗଭର୍ଣ୍ଣର ହାଉସରେ ପତାକା ଉଡ଼ାଇଛି ତାଲିବାନ୍ । ତଥାପି ଶେଷ ହୋଇନି ଯୁଦ୍ଧ । ପଞ୍ଜଶୀର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଗତକାଲି ତାଲିବାନର ଦାବିକୁ ଅଗ୍ରାହ୍ୟ କରିଛି ନର୍ଦ୍ଦନ ଆଲାଏନ୍ସ । ପଞ୍ଜଶିର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ଟୁଇଟ୍ କରି କହିଥିଲା ।

ହାର ମାନିନି ନର୍ଦ୍ଦନ ଆଲାଏନ୍ସ

ପଞ୍ଜଶିର ହେଉଛି ଆଫଗାନିସ୍ତାନର ଶେଷ ଗଡ଼, ଯାହା ତାଲିବାନ ସମ୍ପୁର୍ଣ୍ଣ ଦଖଲ କରିପାରି ନାହାନ୍ତି । ତେବେ ଗତକାଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍, ପଞ୍ଜଶୀର ବର୍ତ୍ତମାନ ତାଲିବାନ ଅଧୀନରେ ବୋଲି କହିଥିଲେ । ଅନ୍ୟପଟେ କେତେ ଜଣ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି । ହଜାର ହଜାର ତାଲିବାନୀ ରାତାରାତି ପଞ୍ଜଶିରର ଆଠଟି ଜିଲ୍ଲାକୁ କବଜା କରିନେଇଥିବା କହିଥିଲେ ।

ପଞ୍ଜୀରରେ ନର୍ଦ୍ଦନ ଆଲାଇନ୍ସ ତାଲିବାନୀ ସଂଗଠନକୁ ନାକେଦମ୍ କରିସାରିଲାଣି । ପଞ୍ଜଶିରର ପାହାଡ଼ିଆ ଅଞ୍ଚଳରେ ରହି ଗରିଲା ଯୁଦ୍ଧ ମାଧ୍ୟମରେ ତାଲିବାନକୁ ଚ୍ୟାଲେଞ୍ଜ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ହାର ମାନି ନାହାଁନ୍ତି । ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏବଂ ତାଲିବାନ ବିରୋଧୀ ନେତା ଅହମ୍ମଦ ଶାହ ମାସୁଦଙ୍କ ପୁଅ କର ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ଚାଲିଛି ଲଢ଼େଇ ।

ପଞ୍ଜଶିରରେ ତାଲିବାନ୍ କବଜା ଦାବି ପରେ ଅହମ୍ମଦ ମାସୁଦଙ୍କ ବୟାନ୍ ମଧ୍ୟ ଆସିଛି । ନର୍ଦ୍ଦନ ଆଲାଏନ୍ସ ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲଢ଼ିବ ବୋଲି ସେ କହିଥିଲେ । ଏହାସହ ପଞ୍ଜଶିର ଯୋଦ୍ଧାମାନେ ଏକ ପାକିସ୍ତାନୀ ଜେଟକୁ ଗୁଳି କରି ଖସାଇ ଦେଇଥିବା ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ପୂରା ଆଫଗାନିସ୍ତାନରେ ଅଖଣ୍ଡ କ୍ଷମତା ହାତେଇବା ରାସ୍ତାରେ ପ୍ରତିବନ୍ଧକ ସାଜିଥିବା ଅଜେୟ ଉପତ୍ୟକାକୁ ଶେଷରେ ସଂପୂର୍ଣ୍ଣ ଭାବେ ନିଜ କବଜାକୁ ନେଇଥିବା ନେଇ ଗତକାଲି ଦାବି କରିଥିଲା ତାଲିବାନ । ଗଭର୍ଣ୍ଣର ହାଉସରେ ପତାକା ଉଡ଼ାଇ ଖୁସି ମନାଇଥିଲେ ତାଲିବାନୀ ଲଡାକୁ । ତାଲିବାନି କମାଣ୍ଡୋଙ୍କ ସହ କିଛି ବରିଷ୍ଠ ନେତା ଏହି ପତାକା ଧରିଥିବା ଦେଖିବାକୁ ମିଳିଥିଲା । ଏଥିସହ ତାଲିବାନ ମୁଖ୍ୟ ମୁଖପାତ୍ର ଜବିହୁଲା ମୁଜାହିଦ୍ କହିଥିଲ, ଏହି ବିଜୟ ସହ ଯୁଦ୍ଧର ଘନଘଟାରୁ ଆଫଗାନିସ୍ତାନ ସଂପୂର୍ଣ୍ଣ ବାହାରି ଆସିଛି ।