• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନସଂଗଠନ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର ଅବସାନ ଘଟିଛି ।

  • ବରିଷ୍ଠ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ତାଲିବାନ ସରକାରର ମୁଖ୍ୟ ହେବେ ।

  • ମୁଖ୍ୟ ସହଯୋଗୀ ଭାବେ ଅବଦୁଲ ଘନି ବରଦର ରହିବେ ।

ତାଲିବାନ ସରକାରର ମୁଖିଆ ଚୟନ ନେଇ ସଂଗଠନ ଭିତରେ ଚାଲିଥିବା ଶୀତଳ ଯୁଦ୍ଧର ଅବସାନ ଘଟିଛି । ରାତି ପାହିଲେ ସରକାର ଗଠନ କରିବ ତାଲିବାନ । ହିବାତୁଲ୍ଲା ଧରିବେ ଦେଶ ମଙ୍ଗ । ତାଙ୍କ ନିର୍ଦେଶରେ ଦେଶକୁ ଶାସନ କରିବ ତାଲିବନ । ସଂଗଠନର ଅନ୍ୟତମ ବରିଷ୍ଠ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ତାଲିବାନ ସରକାରର ମୁଖ୍ୟ ହେବେ ବୋଲି ବିଧିବଦ୍ଧ ନିଷ୍ପତ୍ତି ହୋଇଛି । ଏହାସହ ହିବାତୁଲ୍ଲାଙ୍କ ପାଖରେ ଜଣେ ମୁଖ୍ୟ ସହଯୋଗୀ ଭାବେ ଅବଦୁଲ ଘନି ବରଦର ରହିବେ ବୋଲି ସ୍ଥିର ହୋଇଛି । ହିବାତୁଲ୍ଲା ମୁଖ୍ୟ ହେଲେ ବି ବରଦର ଦୈନନ୍ଦିନ କାର୍ଯ୍ୟକଳାପ ସମ୍ଭାଳିବେ ବୋଲି କୁହାଯାଉଛି ।

ତାଲିବାନ ସରକାର ଗଠନ ନେଇ ସଂଗଠନର ଅନ୍ୟତମ ନେତା ବିଲାଲ କରିମି କହିଛନ୍ତି ଯେ, ସମସ୍ତଙ୍କ ସହଯୋଗରେ ଗୋଟିଏ ପୂର୍ଣ୍ଣକାଳୀନ ଇସଲାମିକ ଏମିରେଟ୍ସ ସରକାର ଗଠନ ହେବ । ସଂଗଠନ ଓ ପୂର୍ବତନ ସରକାରର ସହଯୋଗୀଙ୍କୁ ମଧ୍ୟ ଏଥିରେ ଗ୍ରହଣ କରାଯିବ । ତା’ସହିତ ଦେଶର ପ୍ରଭାବଶାଳୀ ଲୋକଙ୍କୁ ସରକାରରେ ସାମିଲ କରାଯିବ । କେବଳ ଏତିକି ନୁହେଁ, ତାଲିବାନ କ୍ୟାବିନେଟର ରୂପରେଖ ସଂପର୍କରେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । 

ସରକାର ଗଠନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହେବା ପରେ ହିବାତୁଲ୍ଲା ଓ ମୁଲା ବରଦର କାବୁଲ ଗସ୍ତରେ ଅଛନ୍ତି । ଦୁହେଁ କାବୁଲରେ ପହଞ୍ଚିବା ପରେ ନୂଆ ସରକାରରେ ଦାୟିତ୍ୱ ଗ୍ରହଣ କରିବେ । ଯଦିଓ ମୁଲା ବରଦର ଅନେକ ଦିନ ହେଲା ଲୋକ ସଂପର୍କରେ ଆସୁଥିଲେ କିନ୍ତୁ ହିବାତୁଲ୍ଲା ନିଜକୁ କାନ୍ଦାହାର ଭିତରେ ଆବଦ୍ଧ କରି ରଖିଥିଲେ । ହିବାତୁଲ୍ଲା ସାଧାରଣତ ବାହାରକୁ ଆସନ୍ତି ନାହିଁ । କାନ୍ଦାହରରେ ରହି ସଂଗଠନ ପାଇଁ ରଣନୀତି ପ୍ରସ୍ତୁତ କରିଥାନ୍ତି ।

ତାଲିବାନର ପୂର୍ବତନ ମୁଖ୍ୟ ମୁଲ୍ଲା ଓମାରଙ୍କ ଭଳି ହିବାତୁଲ୍ଲା ସାଧାରଣତ ଲୋକଲୋଚନକୁ ଆସନ୍ତି ନାହିଁ । ଏଣୁ ତାଲିବାନ ପକ୍ଷରୁ ତାଙ୍କର ମାତ୍ର ଅଳ୍ପ କେତୋଟି ଫଟୋ ଛଡ଼ାଯାଇଛି । ହିବାତୁଲ୍ଲା ଜନମାନସରୁ ଦୂରରେ ରହୁଥିଲେ ବି ତାଙ୍କର ପ୍ରତ୍ୟେକ କଥା ତାଲିବାନ ପାଇଁ ସର୍ବମାନ୍ୟ ହୋଇଥାଏ । ଏଣୁ ସେ ତାଲିବାନର ମୁଖ୍ୟାଳୟ କାନ୍ଦାହାରରେ ରହି ସଂଗଠନର ରଣନୀତି କରିଥାନ୍ତି । 

ତାଲିବାନ ସଂଗଠନ ଭିତରେ ହିବାତୁଲ୍ଲା ଜଣେ ଧର୍ମଗୁରୁ ଓ ଇସଲାମ ପ୍ରଚାରକ ଥିବାରୁ ସବୁ କ୍ଷେତ୍ରରେ ତାଙ୍କର ପରାମର୍ଶ ନିଆଯାଇଥାଏ । ଏପରିକି ପୂର୍ବତନ ତାଲିବାନ ମୁଖ୍ୟ ମୁଲ୍ଲା ଓମାର ଓ ମୁଲ୍ଲା ମନସୁର ମଧ୍ୟ ହିବାତୁଲ୍ଲାଙ୍କ ପରାମର୍ଶ ଗ୍ରହଣ କରୁଥିଲେ । ଦୁହିଁଙ୍କ ମୃତ୍ୟୁ ପରେ ହିବାତୁଲ୍ଲା ତାଲିବାନର ମୁଖ୍ୟ କର୍ଣ୍ଣଦାର ସାଜିଛନ୍ତି । ଏଣୁ ତାଲିବାନର ସମସ୍ତ ମୁଖ୍ୟ କମାଣ୍ଡର ତାଙ୍କୁ ଶୁଣିଥାନ୍ତି ।