• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ତାଲିବାନୀ ସଂଗଠନ ହାତରେ ଲାଗିଛି ଅତ୍ୟାଧୁନିକ ବ୍ଲାକହକ୍ ହେଲିକପ୍ଟର । ତାଲିବାନ କେବଳ ଆଫଗାନିସ୍ତାନ ଅକ୍ତିଆର କରିନି ବରଂ ସେମାନଙ୍କ ପାଖରେ ଅନେକ ଉନ୍ନତ ଅସ୍ତ୍ରଶସ୍ତ୍ର ଏବଂ ହେଲିକପ୍ଟର ମଧ୍ୟ ରହିଛି । ତାଲିବାନ ହାତରେ ଲାଗିଥିବା ଆମେରିକାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭବିଷ୍ୟତରେ ବିନାଶର କାରଣ ହୋଇପାରେ । ଆମେରିକୀୟ ସାଂସଦ ଜିମ ବ୍ୟାଙ୍କସ୍ ଆମେରିକାର ଏପ୍ରକାର ଚରମ ଅବହେଳା ପାଇଁ ଜୋ ବାଇଡେନ ପ୍ରଶାସନକୁ ସମାଲୋଚନା କରିଛନ୍ତି । ଜିମ ବ୍ୟାଙ୍କସ୍ ଅନେକ ଗୁଡିକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛି । ବର୍ତ୍ତମାନ ତାଲିବାନ ପାଖରେ ଯେତିକି ବ୍ଲାକହକ୍ ହେଲିକପ୍ଟର ଅଛି, ତାହା ବିଶ୍ୱର ୮୫ ପ୍ରତିଶତ ଦେଶରେ ନାହିଁ ବୋଲି ସେ କହିଛନ୍ତି ।

ଆମେରିକାର ସେନା ଏବଂ ନୌସେନା ଦ୍ୱାରା ବ୍ୟବହୃତ ବ୍ଲାକହକ୍ ଦୁନିଆର ସର୍ବୋତ୍ତମ ହେଲିକପ୍ଟର ମଧ୍ୟରୁ ଅନ୍ୟତମ । ସାଂସଦ ଜିମ ବ୍ୟାଙ୍କସ୍ କହିଛନ୍ତି ବର୍ତ୍ତମାନେ ଆମେରିକାର ସାମରିକ ଉପକରଣର ୮୫ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି 'ତାଲିବାନ ଅଧୀନରେ । ଏଥିମଧ୍ୟରେ ୭୫ ହଜାର ଯାନ, ୨୦୦ ରୁ ଅଧିକ ବିମାନ, ହେଲିକପ୍ଟର, ୬ ଲକ୍ଷ ଛୋଟ ଏବଂ ହାଲୁକା ଅସ୍ତ୍ରଶସ୍ତ୍ର ସାମିଲ ରହିଛି । ଏତକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ସେମାନଙ୍କ ପାଖରେ ନାଇଟ୍ ଭିଜନ୍ ଗଗଲ୍ ଓ ଡାକ୍ତରୀ ଉପକରଣ ମଧ୍ୟ ରହିଛି । ତାଲିବାନ୍ ହାତରେ ଏତେ ପ୍ରକାଶ ଅସ୍ତ୍ରଶସ୍ତ୍ର ରହିବା ଅତି ବିପଦପୂର୍ଣ୍ଣ ।

ତାଲିବାନ୍ ପାଖରେ ଏବେ ବାୟୋମେଟ୍ରିକ ଉପକରଣ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଜିମ ବ୍ୟାଙ୍କସ୍ । ଏଥିରେ ଫିଙ୍ଗରପ୍ରିଣ୍ଟ, ଆଇ ସ୍କାନ୍ ଏବଂ ବାୟୋଗ୍ରାଫିକାଲ୍ ସୂଚନା ଆଦି ଉପଲବ୍ଧ । ୨୦ ବର୍ଷ ପାଇଁ ଆମେରିକାକୁ ସାହାଯ୍ୟ କରିଥିବା ଆଫଗାନିସ୍ତାନ ଲୋକଙ୍କ ସମ୍ବନ୍ଧରେ ମଧ୍ୟ ସେଠାରେ ସୂଚନା ରହିଛି । ସବୁଠାରୁ ଚିନ୍ତାର ବିଷୟ ହେଉଛି, ଏହି ସମ୍ପତ୍ତି କିପରି ହାସଲ କରାଯିବ ସେନେଇ ବାଇଡେନ୍ ପ୍ରଶାସନ ପାଖରେ କୌଣସି ଯୋଜନା ନାହିଁ ।

ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାରିଆଡ଼ୁ ସମାଲୋଚନାର ଶିକାର ହେଉଛନ୍ତି । ନିଜ ଦେଶରେ ହିଁ ସେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି । ଗୁରୁବାର ଦିନ କାବୁଲର ବିମାନବନ୍ଦରରେ ୧୩ ଜଣ ଆମେରିକୀୟ ସୈନ୍ୟଙ୍କ ମୃତ୍ୟୁ ପରେ ଜୋ ବାଇଡେନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତେବେ ମାତ୍ର ୪୮ ଘଣ୍ଟା ମଧ୍ୟରେ ବଦ୍‌ଲା ନେଲା ଆମେରିକା । ଖୋଜି ଖୋଜି ଆତଙ୍କବାଦୀ ସଂଗଠନ ISISର ଆଡ୍ଡା ଉପରେ କଲା ବୋମା ମାଡ଼ । ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରି ISISଠାରୁ ବଦ୍‌ଲା ନେଇଛି ଆମେରିକା ।