• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନର ଦୋମୁହାଁ ନୀତି । କଥା ଗୋଟିଏ କାମ ଆଉ ଗୋଟିଏ ।

  • ପଦାରେ ପଡ଼ିଛି ତାଲିବାନର ଅସଲ ରୂପ ।

ତାଲିବାନର ଦୋମୁହାଁ ନୀତି । କଥା ଗୋଟିଏ କାମ ଆଉ ଗୋଟିଏ । ଆଫଗାନିସ୍ତାନ ଦଖଲ ପରେ ବିଶ୍ୱବାସୀଙ୍କୁ ଭୁତାଇବାକୁ ଦୁଇ ଦିନ ତଳେ ସଂଗଠନର ମୁଖପାତ୍ର ଜବିବୁଲ୍ଲା ମୁଜାହିଦ୍ କହିଥିଲେ, କାହା ପ୍ରତି ଏ ସଂଗଠନ ପ୍ରତିଶୋଧ ପରାୟଣ ହେବନି । ସମସ୍ତଙ୍କୁ କ୍ଷମା କରି ଦିଆଯାଇଛି । ହେଲେ ବର୍ତ୍ତମାନ ଦେଖିବାକୁ ମିଳିଛି ତାଲିବାନର ଅସଲ ରୂପ । ଆଫଗାନିସ୍ତାନ ସେନା ପାଇଁ କାର୍ଯ୍ୟ କରୁଥିବା ତିନି ଜଣ କମାଣ୍ଡରଙ୍କୁ ତାଲିବାନ ସର୍ବସମ୍ମୁଖରେ ଫାଶି ଦେଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ସେହିପରି ବାଦ୍‌ଗି ପ୍ରଦେଶ ପୋଲିସ ମୁଖ୍ୟଙ୍କ ହାତଗୋଡ଼ ବାନ୍ଧି ଆଖିରେ ପଟି ଦେଇ ତାଙ୍କୁ ଗୁଳି କରି ହତ୍ୟା କରିଛି ଏହି ସଂଗଠନ ।

କେବଳ ଏତିକି ନୁହେଁ, ଘରକୁ ଘର ବୁଲି ଆମେରିକା, ନାଟୋ ଏବଂ ଆଫଗାନିସ୍ତାନର ଗୁଇନ୍ଦା ସଂସ୍ଥା NDS ପାଇଁ କାର୍ଯ୍ୟ କରୁଥିବା ଲୋକଙ୍କୁ ଚିହ୍ନଟ କରୁଛନ୍ତି ତାଲିବାନ ଆତଙ୍କବାଦୀ । ଗଣମାଧ୍ୟମକୁ ବି ନିସ୍ତାର ନାହିଁ ।ଜର୍ମାନୀର ଡଚେ ୱେଲି ନ୍ୟୁଜ୍ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ଖୋଜି କରି ନ ପାଇବାରୁ ତାଙ୍କ ପରିବାରର ଜଣକୁ ଗୁଳି କରି ହତ୍ୟା କରିଛି ତାଲିବାନ ।

ସେପଟେ କିନ୍ତୁ ତାଲିବାନର ଦମନଲୀଳାକୁ ଆଦୌ ନ ଡରି ଆଫଗାନିସ୍ତାନରେ ଲୋକଙ୍କ ବିରୋଧ ଜାରି ରହିଛି । ଗୁଳିକୁ ଖାତିର ନ କରି ସେମାନେ କାବୁଲ ସମେତ ବିଭିନ୍ନ ସହରରେ ବିକ୍ଷୋଭ କରିଛନ୍ତି । ବଡ଼ ବଡ଼ ଶୋଭାଯାତ୍ରା ମଧ୍ୟ ଦେଖିବାକୁ ମିଳିଛି । ଲୋକେ ଅଭିଯୋଗ କରିଛନ୍ତି, ଆଫଗାନିସ୍ତାନକୁ ଧ୍ୱଂସ କରିଦେଇଛି ତାଲିବାନ । ସାମ୍ନାରେ ବନ୍ଧୁକଧାରୀ ଆତଙ୍କବାଦୀ ଦେଖି ମଧ୍ୟ ସାଧାରଣ ଲୋକେ ଦେଶର ଜାତୀୟ ପତାକା ଉଡ଼ାଇବାର ସାହାସ ଦେଖାଇଛନ୍ତି । ଏଥିପାଇଁ ଅବଶ୍ୟ ସେମାନେ ଆକ୍ରୋଶର ଶିକାର ହୋଇଛନ୍ତି । ବନ୍ଧୁକ ବଟ୍‌ର ମାଡ଼ ଖାଇଛନ୍ତି ।

ଅନ୍ୟପଟେ ଏବେ ବି କାବୁଲ ଏୟାରପୋର୍ଟ ଜରିଆରେ ଲୋକଙ୍କ ପଳାୟନ ଜାରି ରହିଛି । ଗୁଳି ବର୍ଷଣ ସତ୍ତ୍ୱେ ଜୀବନକୁ ପାଣି ଛଡ଼ାଇ କେତେକ ଲୋକ ଏୟାରପୋର୍ଟରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଛାତିକୁ ପଥର କରି ଜଣେ ବ୍ୟକ୍ତି ଡାଇପର୍ ପିନ୍ଧା ନିଜ ଛୁଆକୁ ଆମେରିକୀୟ ସୈନ୍ୟଙ୍କ ହାତରେ ଟେକିଦେବାର କରୁଣ ଦୃଶ୍ୟ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି ।

କାନ୍ଦାହାର ଓ ହେରାତରେ ଥିବା ଭାରତୀୟ ବାଣିଜ୍ୟିକ ଦୂତାବାସରେ ବି ତାଲିବାନ ଆତଙ୍କୀ ଭଙ୍ଗାରୁଜା କରିଛନ୍ତି । ଆଗରୁ ସୂଚନା ମିଳିଥିଲା ଯେ, ଭାରତ ପ୍ରତି ଏହାର ନରମ ମନୋଭାବ ଅଛି । କାବୁଲ ଦୂତାବାସ ଭାରତ ବନ୍ଦ ନ କରୁ ବୋଲି ଚାହୁଁଥିଲା ତାଲିବାନ । ଭାରତୀୟଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ବି ଦେଇଥିଲା । କିନ୍ତୁ କାନ୍ଦାହାର ଓ ହେରାତ କନ୍‌ସୁଲେଟ୍‌ରେ ଭଙ୍ଗାରୁଜା, କାଗଜପତ୍ର ଓ ଗାଡ଼ି ନେଇଯିବା ଦର୍ଶାଉଛି, ତାଲିବାନକୁ ବିଶ୍ୱାସ କରିବା ମୁର୍ଖାମି ଛଡ଼ା କିଛି ନୁହେଁ । ଏହି ଦୁଇଟି କନ୍‌ସୁଲେଟକୁ ବନ୍ଦ କରି ସବୁ କର୍ମଚାରୀଙ୍କୁ ଆଗରୁ ଦେଶକୁ ଫେରାଇ ଆଣିଛି ଭାରତ ।