• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାବୁଲ : ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବିଶ୍ୱ ସାମ୍ନାରେ ନିଜ ଭାବମୂର୍ତ୍ତିରେ ସୁଧାର ଆସିଥିବା ପ୍ରମାଣିତ କରିବାକୁ ପ୍ରୟାସ ଜାରି ରଖିଛି । କିନ୍ତୁ ଏହା ସତ୍ତ୍ୱେ ତାଲିବାନର ପ୍ରକୃତ ଚେହେରା ସମସ୍ତଙ୍କ ସାମ୍ନାକୁ ଆସୁଛି । ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ତାଲିବାନୀ ଆଦୌ ବଦଳି ନାହାନ୍ତି । ବୁଧବାର ଦିନ ଆଫଗାନିସ୍ତାନର ନାଞ୍ଜରଘର ପ୍ରଦେଶରେ ଗୁଳିମାଡ଼ କରିଛନ୍ତି ତାଲିବାନ । ଏହି ସମୟରେ ଜାଲାଲାବାଦରେ ସ୍ଥାନୀୟ ସାମ୍ବାଦିକଙ୍କୁ ମାଡ ମଧ୍ୟ ମାରିଛନ୍ତି ।

ଗତକାଲି ଜଲାଲବାଦ ସହରରେ ଅନେକ ଲୋକ ତାଲିବାନ ବିରୋଧରେ ରାସ୍ତାକୁ ଓହ୍ଲାଇଥିଲେ । ସେମାନେ ଜାତୀୟ ପତାକା ସରକାରୀ ଅଫିସଗୁଡ଼ିକରେ ଲଗାଇବା ପାଇଁ ଦାବି କରିଥିଲେ । ତେବେ ତାଲିବାନୀମାନେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ଼ କରିବାର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି । ସାମ୍ନାକୁ ଆସିଥିବା ଭିଡିଓରେ ଶତାଧିକ ଲୋକ ଆଫଗାନ ପତାକା ଧରି ରାସ୍ତାରେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି । ଏହି ସମୟରେ ହଠାତ୍‌ ଭିଡ଼ ଉପରକୁ ଗୁଳିମାଡ଼ କରିଥିଲା ତାଲିବାନୀ ସଂଗଠନ । ଗୁଳିମାଡ଼ ଯୋଗୁଁ ବିକ୍ଷୋଭକାରୀ ମାନେ ପ୍ରାଣ ବିକଳରେ ଏପଟେ ସେପଟେ ଦୌଡ଼ିବାକୁ ଲାଗିଥିଲେ । ଏବେ ଜଲାଲାବାଦରେ ସାମ୍ବାଦିକଙ୍କୁ ମଧ୍ୟ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଛି ।

ସେହିପରି ଗତକାଲି କାବୁଲ ବିମାନବନ୍ଦରରେ ମହିଳା ଓ ଶିଶୁଙ୍କ ଉପରେ ଆକ୍ରମଣ କରିଛନ୍ତି ତାଲିବାନୀ । ଦେଶ ଛାଡିବା ଉଦ୍ଦେଶ୍ୟରେ ବିମାନ ବନ୍ଦରକୁ ଆସୁଥିବା ମହିଳା ଓ ଶିଶୁମାନଙ୍କୁ ତାଲିବାନ ଆକ୍ରମଣ କରୁଥିବା କିଛି ଫଟୋ ଆସିଥିଲା । ବିମାନ ବନ୍ଦରରୁ ଜନତାଙ୍କୁ ଘଉଡ଼ାଇବା ପାଇଁ ତାଲିବାନୀ ଆତଙ୍କବାଦୀ ମାନେ ଗୁଳି ଚଳାଇଥିଲେ । ଲସ୍ ଆଞ୍ଜେଲସ୍ ଟାଇମ୍ସର ସାମ୍ବାଦିକ ମାର୍କସ୍ ୟାମ ଟ୍ୱିଟରରେ କିଛି ଫଟୋ ଟ୍ୱିଟ୍ କରିଥିଲେ ।

ଅନ୍ୟପଟେ ବର୍ତ୍ତମାନ ଆଫଗାନିସ୍ତାନରେ ବୁର୍ଖା ମୂଲ୍ୟ ବଢ଼ିଯାଇଛି । ତାଲିବାନ ଶାସନରେ ମହିଳାଙ୍କୁ ବୁର୍ଖା ପିନ୍ଧିବା ବାଧ୍ୟତାମୂଳକ । ଫଳରେ ବର୍ତ୍ତମାନ ତାଲିବାନ ଶାସନ ଫେରିବା ପରେ ମହିଳାମାନେ ବୁର୍ଖା କିଣିବା ପାଇଁ ଦୋକାନକୁ ଦଉଡ଼ୁଛନ୍ତି । ଆଫଗାନିସ୍ତାନରେ ବୁର୍ଖାର ମୂଲ୍ୟ ୧୦ ଗୁଣ ବୃଦ୍ଧି ପାଇଛି । ତେବେ ବର୍ତ୍ତମାନ ତାଲିବାନ୍ ଶାନ୍ତି ଓ ବିକାଶର ନାରା ଦେଉଥିଲେ ବି ଏହାକୁ ବିଶ୍ୱାସ କରିପାରୁନାହାନ୍ତି ଆଫଗାନିସ୍ତାନ ବାସୀ । ତାଲିବାନ ଫେରିବା ପରେ ମହିଳାମାନେ ବୁର୍ଖା ପିନ୍ଧିବା ଆରମ୍ଭ କରି ଦେଇଛନ୍ତି, ଯେଉଁ କାରଣରୁ କାବୁଲରେ ବୁର୍କାର ମୂଲ୍ୟ ଆକାଶଛୁଆଁ ହୋଇ ଯାଇଛି ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସାରା ଦେଶରେ ଖେଳିଯାଇଛି କୋକୁଆ ଭୟ । ଦେଶ ଛାଡ଼ି ପଳାଇ ଆସିବାକୁ ବିକଳ ହେଉଛନ୍ତି ଆଫଗାନବାସୀ । ସବୁଠାରୁ ଅଧିକ ଭୟଭୀତ ଅବସ୍ଥାନରେ ଅଛନ୍ତି ମହିଳା । ତାଲିବାନଙ୍କ ହାତରେ ଆଫଗାନିସ୍ଥାନ କ୍ଷମତା ଡୋରି ରହିବା ପରେ ସାରା ବିଶ୍ୱରେ ମଧ୍ୟ ଚିନ୍ତା ବଢିଯାଇଛି। ତେବେ ଗତକାଲି ତାଲିବାନ ନିଜ ଛବି ସୁଧାରିବାକୁ ମିଛ ପ୍ରୟାସ କରିଥିଲା । ମଙ୍ଗଳବାର ତାଲିବାନ ପକ୍ଷରୁ କୁହାଯାଇଥିଲା, ଇସ୍‌ଲାମ ନିୟମ ଅନୁସାରେ ମହିଳାମାନଙ୍କୁ ଅଧିକାର ଦେବା ଲାଗି ତାଲିବାନ ସମ୍ପୂର୍ଣ୍ଣ ପ୍ରସ୍ତୁତ । ହେଲେ ଏହାର ଗୋଟିଏ ଦିନ ପରେ ସ୍ଥିତି ବଦଳିଗଲା । ଏଇଠି ପ୍ରଶ୍ନ ଉଠୁଛି ସତରେ କ’ଣ ବଦଳିବେ ତାଲିବାନୀ ।