• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅନ୍ତରୀଣ ସରକାରରେ ଉପମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଇଛି ତାଲିବାନ

  • ବିଶ୍ୱବ୍ୟାପୀ ଦାବିସତ୍ତ୍ୱେ ଏଥିରେ ବି କୌଣସି ମହିଳାଙ୍କୁ ସାମିଲ କରାଯାଇନି

  • ଦେଶରେ ଆଇପିଏଲ୍ ପ୍ରସାରଣକୁ ବି ତାଲିବାନୀ ବ୍ୟାନ୍

କାବୁଲ୍ : ତାଲିବାନର ପୁଣି ମହିଳା ମାରଣନୀତି । ମୁଲ୍ଲା ଅଖୁନ୍ଦ ନେତୃତ୍ୱାଧୀନ ଅନ୍ତରୀଣ ସରକାରରେ ଉପମନ୍ତ୍ରୀମାନଙ୍କୁ ନିଯୁକ୍ତି ଦେଇଛି ତାଲିବାନ । ତେବେ ବିଶ୍ୱବ୍ୟାପୀ ଦାବିସତ୍ତ୍ୱେ ଏଥିରେ ବି କୌଣସି ମହିଳାଙ୍କୁ ସାମିଲ କରାଯାଇନି । କିଛି ଦିନ ଆଗରୁ କାମକୁ ନଯାଇ ଘରେ ରହିବାକୁ ମହିଳାଙ୍କୁ ଆଦେଶ ଦେଇଥିଲା ତାଲିବାନ । ଏଥିରୁ ଆତଙ୍କୀ ସଂଗଠନର ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଯାଇଥିଲା । ସେହିପରି ଗତ ସପ୍ତାହରେ ତାଲିବାନ ମହିଳା ବ୍ୟାପାର ମନ୍ତ୍ରଣାଳୟକୁ ଉଚ୍ଛେଦ କରିବା ସହ ତାସ୍ଥାନରେ ବ୍ୟଭିଚାରୀଙ୍କୁ ଦଣ୍ଡ ବିଧାନଲାଗି ପାପ-ପୂଣ୍ୟ ମନ୍ତ୍ରଣାଳୟ ଆରମ୍ଭ କରିଥିଲା ।

ଅସଲ ଚରିତ୍ର ଦେଖାଇଲା ତାଲିବାନ । ଏତେ ବିକ୍ଷୋଭ ଓ ଆନ୍ଦେଳନ ସତ୍ତ୍ୱେ ମନ୍ତ୍ରିମଣ୍ଡଳରେ ମିଳିଲାନି ଜଣେ ବି ମହିଳାଙ୍କୁ ସ୍ଥାନ । ବାହାରେ କାମ କରିବାକୁ ବି ମହିଳାଙ୍କୁ ମନା କରିଛି ଆତଙ୍କୀ ସଂଗଠନ । ତାଲିବାନ ନେତୃତ୍ୱାଧୀନ ଆଫଗାନିସ୍ତାନର ଅନ୍ତରୀଣ ସରକାରକୁ ଇନକ୍ଲୁସିଭ୍ କରିବାକୁ ସବୁ ମହଲରେ ଦାବି ଉଠିଥିଲା । ତେଣେ ମହିଳା ଓ ସଂଖ୍ୟାଲଘୁଙ୍କୁ ସରକାରରେ ସାମିଲ କରାଯିବା ନେଇ ବି ଆଶା କରାଯାଉଥିଲା । ତେବେ ବିଶ୍ୱବାସୀଙ୍କ ଆସ୍ଥା ଜିତିବାରେ ପୁଣି ଫେଲ୍ ମାରିଛି ତାଲିବାନ । ଅନ୍ତରୀଣ ସରକାରରେ ଉପମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଏଥିରେ ଜଣେ ହେଲେ ବି ମହିଳାଙ୍କୁ ସାମିଲ କରାଯାଇନି । ତେବେ ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ନିଷ୍ପତ୍ତିକୁ ଉଚିତ୍ ଦର୍ଶାଇଛନ୍ତି । ଯୋଗ୍ୟତା ଭିତ୍ତିରେ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରାଯାଇଥିବା ସେ କହିଛନ୍ତି ।

ପୂର୍ବରୁ ଗତ ସପ୍ତାହରେ ମହିଳାମାନେ ବାହାରେ କାମ କରିବା ଉପରେ ପ୍ରତିବନ୍ଧକ ଲଗାଇଥିଲା ତାଲିବାନ । ତେବେ ଏଥିପାଇଁ ଅଜବ ଯୁକ୍ତି ବି ଦେଇଥିଲା । ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ଏହା କରାଯାଇଛି ମହିଳା ଓ ପୁପୁଷ ପୃଥକଭାବେ ବସି କାମ କରିବାର ବ୍ୟବସ୍ଥା କରାଯାଉଛି । ଖୁବ୍ ଶୀଘ୍ର ସେମାନଙ୍କୁ କର୍ମକ୍ଷେତ୍ରକୁ ଅନୁମତି ଦିଆଯିବ ବୋଲି ଆତଙ୍କୀ ସଂଗଠନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ନିଜ ସରକାରରେ ଜଣେ ମାତ୍ର ମହିଳାଙ୍କୁ ସ୍ଥାନ ଦେଇନଥିବା ତାଲିବାନ, ଆଗକୁ ନିଜର ଏହି ପ୍ରତିଶ୍ରୁତି ରକ୍ଷା କରିବା ନେଇ ସନ୍ଦେହ ଦେଖା ଦେଇଛି ।

ପୂର୍ବରୁ ତାଲିବାନ ଆଫଗାନିସ୍ତାନ ସରକାରଙ୍କ ମହିଳା ବ୍ୟାପାର ମନ୍ତ୍ରଣାଳୟକୁ ଉଠାଇ ଦେଇଥିଲା । ତାସ୍ଥାନରେ ଆରମ୍ଭ କରିଥିଲା ପାପ-ପୂଣ୍ୟ ମନ୍ତ୍ରଣାଳୟ । ଏହା ଅନ୍ତର୍ଗତ ବ୍ୟଭିଚାରୀ ଅର୍ଥାତ୍ ଅନୈତିକ ଶାରିରୀକ ସଂପର୍କ ରଖିଲେ ମହିଳାଙ୍କୁ ପଥରମାଡ କରି ମୃତ୍ୟୁ ଦଣ୍ଡ ଦିଆଯିବା ଭଳି କଠୋର ନିୟମ ରହିଛି । ଅନ୍ୟପକ୍ଷରେ ସ୍କୁଲ ଓ ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ଲାଗି କଟକଣା ଲଗାଇଥିବା ତାଲିବାନ, ଆଗାମୀ ଦିନରେ କି ଆଭିମୁଖ୍ୟ ଗ୍ରହଣ କରୁଛି ତା ଉପରେ ବି ନଜର ରହିଛି ।

ଏଭିତରେ ୟୁଏଇରେ ଚାଲିଥିବା ଆଇପିଏଲ ମ୍ୟାଚ ପ୍ରସାରଣ ନକରିବାକୁ ଆଫଗାନୀ ବ୍ରଡକାଷ୍ଟର ମାନଙ୍କୁ ଚେତାବନୀ ଦେଇଛି ତାଲିବାନ୍ । ଷ୍ଟାଡିୟମରେ ମହିଳା ଦର୍ଶକ ଥିବା ଦର୍ଶାଇ ଆତଙ୍କୀ ସଂଗଠନ ପକ୍ଷରୁ ଏହି କଟକଣା ଲଗାଯାଇଥିବା ସାମ୍ବାଦିକ ଫାଓ୍ୱଦ୍ ଅମନ୍ ଟୁଇଟ୍ କରି ଜଣାଇଛନ୍ତି ।