• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଇରାନ ମଡେଲରେ ତାଲିବାନ ସରକାର ଗଠନ ପାଇଁ ପ୍ରସ୍ତୁତି ଚାଲିଛି

  • ଜଣେ ସୁପ୍ରିମୋ ନେତା ରହିବ ଏବଂ ତାଙ୍କ ଅଧୀନରେ କାମ କରିବେ ରାଷ୍ଟ୍ରପତି

କାବୁଲ : ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ ପରେ ବର୍ତ୍ତମାନ ସରକାରୀ ଗଠନ ପାଇଁ ଫର୍ମୁଲା ମଧ୍ୟ ସ୍ଥିର ହୋଇସାରିଛି । ଆସନ୍ତା ତିନି ଦିନ ମଧ୍ୟରେ ନୂଆ ସରକାର ନେଇ ଘୋଷଣା ହେବ । ଟୋଲୋ ନ୍ୟୁଜ୍ ଅନୁସାରେ ଇରାନ ଫର୍ମୁଲାରେ ତାଲିବାନ ସରକାର ଗଠନ କରାଯିବ। ଆଫଗାନିସ୍ତାନରେ ଜଣେ ସୁପ୍ରିମୋ ଲିଡର ରହିବେ ଏବଂ ତାଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି କାର୍ଯ୍ୟ କରିବେ । ନୂତନ ଇସଲାମ ସରକାର ବିଶ୍ୱ ପାଇଁ ଏକ ମଡେଲ ହେବ ବୋଲି କହିଛନ୍ତି ତାଲିବାନ ସଂସ୍କୃତି ଆୟୋଗର ସଦସ୍ୟ ଅନାମୁଲ୍ଲା ସମନଗନୀ । ମୁଲ୍ଲା ହିବତୁଲ୍ଲାହ ଅଖୁନ୍ଦଜାଦା ଦେଶର ସର୍ବୋଚ୍ଚ ନେତା ହେବେ ଏବଂ ତାଙ୍କ ନେତୃତ୍ୱରେ ସମସ୍ତେ କାମ କରିବେ ବୋଲି ସ୍ପଷ୍ଟ କରାଯାଇଛି ।

ଇରାନରେ ଇସଲାମିକ ଗଭର୍ଣ୍ଣମେଣ୍ଟ୍ ମଡେଲ ଲାଗୁ ରହିଛି । ଇସଲାମିକ ମଡେଲରେ ଦେଶ ଚାଲିଛି ।  ଜଣେ ସୁପ୍ରିମୋ ନେତା ଅଛନ୍ତି ଏବଂ ତାଙ୍କ ଅଧୀନରେ ରାଷ୍ଟ୍ରପତି ସରକାର ଚଳାଉଛନ୍ତି । ଇରାନରେ ଏବେ ଆୟତୋଲ୍ଲା ଅଲି ଖାମେନେ ସର୍ବୋଚ୍ଚ ନେତା ହୋଇଥିବା ବେଳେ ଇବ୍ରାହିମ ରାଇସି ବର୍ତ୍ତମାନ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

ସରକାର ଗଠନର ସମ୍ଭାବନା ଭିତରେ କାବୁଲରେ ରାଷ୍ଟ୍ରପତି ଭବନରେ ଏକ ବିଶାଳ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି । ନୂତନ ତାଲିବାନ ସରକାର ଗଠନ ଅବସରରେ ଭାରତ ସମେତ ଅନେକ ଦେଶର ମୁଖ୍ୟଙ୍କ ନିକଟକୁ ନିମନ୍ତ୍ରଣ ପଠାଯିବ । ନୂତନ ସରକାରରେ ସମସ୍ତ ଜାତୀୟ ଆଫଗାନ୍ ଗୋଷ୍ଠୀ ପ୍ରତିନିଧିତ୍ୱ କରିବେ । ୨୦୦୧ରେ ଆମେରିକାର ଦଖଲ ପରେ ଯେଉଁମାନେ କ୍ୟାବିନେଟରେ କାର୍ଯ୍ୟ କରିଥିଲେ, ସେମାନଙ୍କୁ ନୂତନ ସରକାରରେ ସ୍ଥାନ ମିଳିବ ନାହିଁ ।

ନୂତନ ସରକାରରେ ମହିଳାଙ୍କୁ ସୁଯୋଗ ଦିଆଯିବ ବୋଲି କୁହାଯାଇଛି । ତେବେ ମନ୍ତ୍ରୀ ପଦ ପରି ଉଚ୍ଚ ପଦବୀରେ ମହିଳାମାନଙ୍କୁ ସ୍ଥାନ ଦିଆଯିବ କି ନାହିଁ ସେ ସ୍ପଷ୍ଟ ହୋଇନାହିଁ । ତାଲିବାନ ନେତା ଅନ୍ତର୍ଜାତୀୟ ସମୁଦାୟକୁ ନୂତନ ଆଫଗାନିସ୍ତାନ ସରକାରକୁ ସ୍ୱୀକୃତି ଦେବାକୁ ଆହ୍ୱାନ କରିଛନ୍ତି, କାରଣ ୪୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଦେଶରେ ଶାନ୍ତିପୂର୍ଣ୍ଣ ସରକାର ହେବ ।

ସେପଟେ ଆଫଗାନିସ୍ତାନର ପଞ୍ଜଶୀର ହେଉଛି ଏକମାତ୍ର ପ୍ରଦେଶ ଯାହାକି ତାଲିବାନ ନିୟନ୍ତ୍ରଣରୁ ମୁକ୍ତ ରହିଛି । ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବା ପାଇଁ ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି । ସେହିପରି ତାଲିବାନ୍ ବିରୋଧରେ ଲଢ଼େଇ ଜାରି ରହିବ ବୋଲି ଘୋଷଣା କରିଛି ପଞ୍ଜଶୀରରେ ଥିବା ତାଲିବାନ୍ ବିରୋଧୀ ବାହନୀ ।