• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିବନି ତ ଆଫଗାନିସ୍ତାନ ?

  • ସାରା ବିଶ୍ୱପ୍ରତି ବିପଦ ସୃଷ୍ଟି କରିବେନି ତ ଆତଙ୍କୀ ?

  • ତାଲିବାନର ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିବା ବୃଥା ।

ତାଲିବାନ ରାଜୁତିରେ ଆତଙ୍କବାଦୀଙ୍କ ନିରାପଦ ଆଶ୍ରୟସ୍ଥଳ ପାଲଟିବନି ତ ଆଫଗାନିସ୍ତାନ ? ତାଲିବାନର ପୃଷ୍ଠପୋଷକତାରେ ସାରା ବିଶ୍ୱପ୍ରତି ବିପଦ ସୃଷ୍ଟି କରିବେନି ତ ଆତଙ୍କୀ ? ଯଦିଓ ଅନ୍ୟ କୌଣସି ଦେଶ ବିରୁଦ୍ଧରେ ଆଫଗାନିସ୍ତାନ ମାଟିକୁ ବ୍ୟବହାର ଲାଗି ଅନୁମତି ଦିଆଯିବନି ବୋଲି କହିଛି ତାଲିବାନ । ତେବେ ବର୍ବର ତାଲିବାନର ପ୍ରତିଶ୍ରୁତି ଉପରେ ବିଶ୍ୱାସ କରିବା ବୃଥା ।

ଏପଟେ କାବୁଲ କବ୍‌ଜା ପରେ ଆତଙ୍କୀ ସଂଗଠନଙ୍କ ଲାଗି ଆଦର୍ଶ ପାଲଟିଛି ତାଲିବାନ । ସୋଭିଏତ୍ ଋଷ ହେଉ କି ଆମେରିକା, ନିରନ୍ତର ସଂଘର୍ଷ ଦ୍ୱାରା ବୃହତ ଶକ୍ତିଙ୍କୁ ଚକ୍‌ମା ଦେଇ କ୍ଷମତା ହାସଲ ସମ୍ଭବ ବୋଲି ତାଲିବାନ ବିଶ୍ୱାସ ଜନ୍ମାଇ ପାରିଥିବା କହିଛନ୍ତି ବିଶେଷଜ୍ଞ । ଅଲ-କାଏଦା ସହ ତାଲିବାନର ଯୁଗଳବନ୍ଦୀ ବିଶ୍ୱ ପାଇଁ ପୁଣି ଘୋର ବିପଦ ସୃଷ୍ଟି କରିପାରେ । କାବୁଲ ବିଜୟ ପାଇଁ ତାଲିବାନକୁ ଶୁଭେଚ୍ଛା ଜଣାଇଛି ଆରବ ଭୁଖଣ୍ଡର ଅଲକାଏଦା ସଂଗଠନ । ସେହିପରି ତାଲିବାନକୁ ସିରିଆର ହାୟତ୍-ତାହାରିର୍-ଅଲ୍-ସାମ୍ ଓ ଚୀନର ତୁର୍କିସ୍ତାନ ଇସ୍ଲାମିକ୍ ପାର୍ଟି ଭଳି ଅନ୍ୟ  ମୌଲବାଦୀ ସଂଗଠନଙ୍କ ସମର୍ଥନ ଶୁଭ ସଂକେତ ନୁହେଁ ବୋଲି କୁହାଯାଉଛି ।

ଏପଟେ ତାଲିବାନର ପୁନଃ ଉତ୍ଥାନ ଭାରତର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତାଏବା ସହ ରହିଛି ତାଲିବାନର ନିବିଡ ସଂପର୍କ । କାଶ୍ନୀର ଦ୍ୱିକ୍ଷାକ୍ଷିକ ପ୍ରସଙ୍ଗ ଓ ତାଲିବାନ ଫୋକସରେ ଏହା ନଥିବା ଆତଙ୍କୀ ସଂଗଠନ ସ୍ପଷ୍ଟୀକରଣ ଦେଇଛି । ତେବେ ପାକିସ୍ତାନ ସେନା ଓ ଆଇଏସଆଇ ଦ୍ୱାରା ପରିଚାଳିତ ତାଲିବାନ ଉପରେ ଭରସା କରିବା ମୁର୍ଖାମୀ ବ୍ୟତିତ ଆଉ କିଛି ହୋଇନପାରେ ।

ତେଣେ ଆମେରିକା ଯିବା ପରେ ବଢିଛି ତାଲିବାନର ଶକ୍ତି । ଆମେରିକା ସୈନ୍ୟ ଛାଡି ଯାଇଥିବା ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ତାଲିବାନ ହାତରେ । ଆମେରିକା ଆଫଗାନିସ୍ତାନ ସେନାକୁ ଦେଇଥିବା ୨ ହଜାରରୁ ଅଧିକ ସାଞ୍ଜୁଆ ଗାଡ଼ି, ହେଲିକପଟର, ଡ୍ରୋନ, M-16 ସମେତ ୬ଲକ୍ଷରୁ ଅଧିକ ଅତ୍ୟାଧୁନିକ ବନ୍ଧୁକ, ଦେଢ ଲକ୍ଷରୁ ଅଧିକ ଯୋଗାଯୋଗ ଯନ୍ତ୍ରପାତି ଏବଂ ଲକ୍ଷେ ୬୦ ହଜାରରୁ ଅଧିକ ନାଇଟ୍-ଭିଜନ ଉପକରଣ ଏବେ ତାଲିବାନ କବ୍‌ଜାରେ । ଭାରତ ବିରୋଧୀ କାର୍ଯ୍ୟକଳାପରେ ତାଲିବାନ ସିଧାସଳଖ ସଂପୃକ୍ତ ନହେଲେ ମଧ୍ୟ ଏସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଲସ୍କର ଓ ଜୈସ ଆତଙ୍କବାଦୀଙ୍କ ହାତରେ ଲାଗିବା ଆଶଙ୍କାକୁ ଏଡାଇ ହେବନି । ଏହାହେଲେ ଭାରତୀୟ ସୁରକ୍ଷାକର୍ମୀଙ୍କ ପ୍ରତି ବଡ଼ ବିପଦ ସୃଷ୍ଟି ହେବ ।

ଆତଙ୍କୀ ସଂଗଠନ ତାଲିବାନ ଭାରତ ପ୍ରତି ସବୁବେଳେ ଶତ୍ରୁତା ପ୍ରଦର୍ଶନ କରିଆସିଛି । ୧୯୯୯ରେ ତାଲିବାନ କ୍ଷମତାରେ ଥିବା ବେଳେ ହିଁ ଆତଙ୍କବାଦୀ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି-୮୧୪ ଅପହରଣ କରି କାନ୍ଦାହାର ନେବା ସହ ମାସୁଦ୍ ଆଝାର ସମେତ ୩ କୁଖ୍ୟାତ ଆତଙ୍କୀଙ୍କୁ ଖସାଇ ନେବାରେ ସଫଳ ହୋଇଥିଲେ । ୨୦୦୮ରେ କାବୁଲ ସ୍ଥିତ ଭାରତୀୟ ଦୂତାବାସ ଉପରେ ଆତ୍ମଘାତୀ ଆକ୍ରମଣ ହେଉ କି ନିୟମିତ ଭାବେ ସେଠାରେ କାର୍ଯ୍ୟରତ ଭାରତୀୟ ନାଗରୀକଙ୍କୁ ଅପହରଣ ଓ ହତ୍ୟା । ତାଲିବାନ ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିବାରୁ ଆଗକୁ ଏଥିରେ ପରିବର୍ତ୍ତନ ସମ୍ଭାବନା କମ୍ ବୋଲି କୁହାଯାଉଛି ।