• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ମହାସାଗରରେ ମାଲାବାର ନୌସମରାଭ୍ୟାସ ।

  • ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନ ଏକାଠି ।

  • ମହାସାଗରରେ ନୌବୀରଙ୍କ କଳାକୌଶଳ ପ୍ରଦର୍ଶନ ।

ନୂଆଦିଲ୍ଲୀ: ସାଉଥ୍ ଚାଇନା ସି ଭଳି ଭାରତ ମହାସାଗରରେ ଚଳିବନି ବେଜିଂର ଦାଦାଗିରି । ଚୀନ୍‌କୁ ସିଧାସଳଖ ବାର୍ତ୍ତା ଦେବାକୁ ଭାରତ ମହାସାଗରରେ ଆରମ୍ଭ ହୋଇଛି କ୍ୱାଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ନୌସମରାଭ୍ୟାସ । ଭାରତ ସମେତ ଅନ୍ୟ ୩ ସଦସ୍ୟ ରାଷ୍ଟ୍ର ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ଏଥିରେ ଅଂଶଗ୍ରହଣ କରିଛନ୍ତି ।

ମହାସାଗରରେ ନୌବୀରଙ୍କ କଳାକୌଶଳ ପ୍ରଦର୍ଶନ, ନୌସମରର ଅତି ଜଟିଳ ବ୍ୟବସ୍ଥାଗୁଡ଼ିକୁ ଡ୍ରିଲ ମାଧ୍ୟମରେ ପରଖି ନେଉଛନ୍ତି ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଙ୍କ ନୌସୈନିକ । କିଭଳି ସୁରକ୍ଷିତ ରହିବ ଜଳସୀମା, କିଭଳି ଶତ୍ରୁ ରାଷ୍ଟ୍ରକୁ ଦେଇ ହେବ ପରାଭାବ । ପ୍ରସ୍ତୁତି ସାଙ୍ଗକୁ ଦକ୍ଷତା ପ୍ରଦର୍ଶନ ଲାଗି ବଙ୍ଗୋପସାଗରରେ ଆରମ୍ଭ ହୋଇଛି ୩ ଦିନିଆ ମାଲାବାର ସମରାଭ୍ୟାସର ଦ୍ୱିତୀୟ ପର୍ଯ୍ୟାୟ ।

ଏଥିରେ ବିଧ୍ୱଂସକାରୀ ଯୁଦ୍ଧପୋତ ସମେତ ଛୋଟ ଛୋଟ ଆକ୍ରମଣକାରୀ ଜାହାଜ, ବୁଡ଼ାଜାହାଜ, ହେଲିକପ୍ଟର, ପାଟ୍ରୋଲିଂ ଏୟାରକ୍ରାଫ୍ଟକୁ ସାମିଲ କରାଯାଇଛି । ୟୁଏସ୍ ନେଭି ସିଲ୍ ଓ ଭାରତୀୟ ନୌସେନାର ମେରାଇନ୍ କମାଣ୍ଡୋଙ୍କ ତତ୍ତ୍ୱାବଧାନରେ ଏହି ସମରାଭ୍ୟାସ ଚାଲିଛି । ଭାରତୀୟ ନୌସେନାର ଆଇଏନ୍ଏସ୍ ରଣବିଜୟ, ଆଇଏନ୍ଏସ୍ ସାତପୁରା, ପି-୮ ଲଙ୍ଗରେଞ୍ଜ୍ ମେରିଟାଇମ୍ ପାଟ୍ରୋଲିଂ ଏୟାରକ୍ରାପଟ ସମରାଭ୍ୟାସରେ ଭାଗ ନେଉଥିବା ବେଳେ, ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର କାର୍ଲ ଭିନସନ୍, ଲେକ୍ ଚାମ୍ପଲେନ୍ ଓ ଷ୍ଟକ୍ଡେଲ୍, ଜାପାନାର  ଜେଏସ୍ କାଗା ଓ ଜେଏସ୍ମୁରାସେମ୍ ଏବଂ ଅଷ୍ଟ୍ରେଲିଆ ନୌସେନାର HMAS ବାଲାରାଟ୍ ଓ  HMAS ସିରିଅସ୍ ଏଥିରେ ସାମିଲ ହୋଇଛନ୍ତି ।

୧୯୯୨ ମସିହାରେ ଭାରତ-ଆମେରିକା ମଧ୍ୟରେ ମାଲାବାର ସିରିଜ୍‌ର ଦ୍ୱିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଥିଲା । ୨୦୦୫ରେ ଉଭୟ ଦେଶର ଏୟାରକ୍ରାଫ୍ଟ କ୍ୟାରିୟର ଏଥିରେ ସାମିଲ ହୋଇଥିଲେ । ୨୦୧୪ରେ ଜାପାନର ମେରିଟାଇମ ସେଲ୍ଫ ଡିଫେନ୍ସ ଫୋର୍ସ ମାଲାବାର ସମରାଭ୍ୟାସର ସ୍ଥାୟୀ ସଦସ୍ୟ ହୋଇଥିଲା । ସେହିପରି ଗତବର୍ଷ ସ୍ଥାୟୀ ଅଂଶଗ୍ରହଣକାରୀ ଭାବେ ଯୋଗ ଦେଇଥିଲା ଅଷ୍ଟ୍ରେଲିଆ । ଗତବର୍ଷ ନଭେମ୍ବରରେ କ୍ୱାଡ୍‌ର ୪ ସଦସ୍ୟ ରାଷ୍ଟ୍ର ଆରବ ସାଗର ଓ ବଙ୍ଗୋପସାଗରରେ ଆୟୋଜିତ ମାଲାବାର୍ ପ୍ରଥମ ପର୍ଯ୍ୟାୟ ସମରାଭ୍ୟାସରେ ଯୋଗ ଦେଇଥିଲେ । ସାଉଥ୍ ଚାଇନା ସି’ରେ ଚୀନ୍ ଦାଦାଗିରି ଚଳାଇଥିବାରୁ ଭାରତ ମହାସାଗରରେ ଏହାର ପ୍ରଭାବକୁ ପ୍ରତିହତ କରିବା ଲାଗି ୪ ସହଯୋଗୀ ରାଷ୍ଟ୍ର ଅଣ୍ଟା ଭିଡିଛନ୍ତି । ତେବେ କ୍ୱାଡ୍‌ର ଏଭଳି ସମରାଭ୍ୟାସକୁ ଚୀନ୍ ସନ୍ଦେହ ଚକ୍ଷୁରେ ଦେଖିଆସୁଛି ।