• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅଡ଼ୁଆରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ । କାରଣ ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟପାର ଗତ କିଛି ଦିନ ହେବ ଠିକ୍‌ ନଥିବା ଦେଖାଯାଉଛି । ବାହାରୁ ପାକିସ୍ତାନର ଇମ୍ରାନ୍‌ ସରକାର ଯଦିଓ ସବୁ କିଛି ଠିକ୍‌ ଥିବା ଦେଖେଇ ହେଉଛନ୍ତି କିନ୍ତୁ ସେଠାରେ ସ୍ଥିତି ଭଲ ନଥିବା ଖବର ଏବେ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ପରିସ୍ଥିତି ଏମିତି ଯେ ପାକିସ୍ତାନ ଗୃହମନ୍ତ୍ରୀ ଶେଖ ରସିଦ୍‌ ଭାରତ-ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌ ଦେଖିବାକୁ ୟୁଏଇ ଯାଇଥିବା ବେଳେ ଇମ୍ରାନ୍‌ ଖାନ୍‌ ତାଙ୍କୁ ତୁରନ୍ତ ପାକିସ୍ତାନ ଫେରିବାକୁ କହିଛନ୍ତି । କାରଣ ସ୍ଥିତି ସମ୍ଭାଳିବା ପାଇଁ ଗୃହମନ୍ତ୍ରୀ ଶେଖ ରସିଦ୍‌ ପାକିସ୍ତାନରେ ରହିବା ନିହାତି ଜରୁରୀ ହୋଇପଡ଼ିଛି । ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥା ଜିଓ ନ୍ୟୁଜ୍‌ ପକ୍ଷରୁ ଏନେଇ ଖବର ପ୍ରକାଶ ପାଇଛି । ଖବର ଅନୁଯାୟୀ ଶେଖ୍‌ ରାସିଦ୍‌ ମ୍ୟାଚ୍‌ ଦେଖିବାକୁ ଯାଇଥିବା ବେଳେ ଇମ୍ରାନ୍‌ ଖାନ୍‌ଙ୍କ ନିର୍ଦେଶ ପରେ ତାଙ୍କୁ ତୁରନ୍ତ ପାକିସ୍ତାନ ଫେରିବାକୁ ପଡ଼ିଛି ।

ମିଳିଥିବା ଖବର ଅନୁଯାୟୀ, ପ୍ରତିବନ୍ଧିତ କଟ୍ଟରପନ୍ଥୀ ଇସ୍ଲାମୀ ସମୁହ ତହରିକ-ଏ-ଲବ୍ବୈକ୍‌ ପାକିସ୍ତାନ ପକ୍ଷରୁ ପୂର୍ବରୂ ଘୋଷଣା କରାଯାଇଛି ଯେ, ସଂଗଠନ ମୁଖ୍ୟ ହାଫିଜ୍‌ ସାଦ୍‌ ହୁସୈନ୍‌ ରିଜବୀଙ୍କୁ ନଜରବନ୍ଦୀ କରି ରଖାଯିବା ବିରୋଧରେ ଶୁକ୍ରବାର ଇସ୍‌ଲାମବାଦରେ ବଡ଼ ଆକାରରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବ । ତେବେ ଗୃହମନ୍ତ୍ରୀ ଶେଖ୍‌ ରସିଦ୍‌ ୟୁଏଇ ଯାଇ ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କଠାରୁ ଆରାମ୍ଭରୁ ଅନୁମତି ନେଇଥିଲେ, କିନ୍ତୁ ପାକିସ୍ତାନରେ ଯେଉଁ ସ୍ପିଡ୍‌ରେ ସ୍ଥିତି ବିଗିଡ଼ିବାରେ ଲାଗିଛି ତାକୁ ସହଜରେ ଏଡ଼ାଇ ଦିଆଯାଇ ନପାରେ । ତେଣୁ ତାଙ୍କୁ ତୁରନ୍ତ ପାକିସ୍ତାନ ଫେରିବାକୁ କୁହାଗଲା ।

ଅନ୍ୟପଟେ ଇମ୍ରାନ୍‌ ଖାନ୍‌ ସରକାର ଟିଏଲ୍‌ପିର ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଭିନ୍ନ ପ୍ରକାର ବନ୍ଦୋବସ୍ତ କରିଛି । ଏମିତିକି ଆନ୍ଦୋଳନକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଶନିବାର ପାକିସ୍ତାନର ଅର୍ଦ୍ଧସାମରିକ ବଳର ୫୦୦ରୁ ଅଧିକ କର୍ମୀ ଓ ୧୦୦୦ ସୀମା ସୁରକ୍ଷା ବଳଙ୍କୁ ନିୟୋଜିତ କରାଯାଇଛି । କୁହାଯାଉଛି ଯେ, ଟିଏଲ୍‌ପି ମୁଖ୍ୟାଳୟରୁ ତେହରିକ୍‌-ଏ-ଲବ୍ବୈକ, ପାକିସ୍ତାନର ଇସ୍ଲାମାବାଦ ଆଡ଼କୁ ଶାନ୍ତିପୂର୍ଣ୍ଣ ନମୁସ-ଏ-ରିସାଲତ ଶୋଭାଯାତ୍ରା ଜୁମେ ନମାଜ ପରେ ଆରମ୍ଭ ହେବ ।

ଟିଏଲ୍‌ପିର ଶତାଧିକ କାର୍ଯ୍ୟକର୍ତ୍ତା ଏବେ ବି ଲାହୋରରେ ଧାରଣାରତ ଅଛନ୍ତି । ତାଙ୍କର ଦାବି ରହିଛି କି ସଂଗଠନ ସଂସ୍ଥାପକ ଖାଦିମ ରିଜବୀଙ୍କ ପୁଅ ହାଫିଜ୍‌ ସାଦ୍ ହୁସେନ୍‌ ରିଜବୀଙ୍କୁ ନଜରବନ୍ଦୀରୁ ମୁକ୍ତ କରାଯାଉ । ପଞ୍ଜାବ ସରକାର ଉପରେ ଚାପ ପକାଇବା ପାଇଁ ସଂଗଠନ ପକ୍ଷରୁ ଏଭଳି ଅହରହ ଆନ୍ଦୋଳନ କରାଯାଉଛି । ହାଫିଜ୍‌ ସାଦ୍‌ ହୁସେନ ରିଜବୀଙ୍କୁ ପଞ୍ଜାବ ସରକାର ୧୨ ଏପ୍ରିଲ୍‌ରୁ ନଜରବନ୍ଦୀ କରି ରଖିଛନ୍ତି ।