• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତାଲିବାନ ନେତୃତ୍ୱ ପାଇଁ ବଡ ପ୍ରତିବନ୍ଧକ । କ୍ଷମତା ଡୋର ଥିଲେ ସୁଦ୍ଧା କାଙ୍ଗାଳ ହୋଇ ରହିବ ତାଲିବାନ୍ । ଆଫଗାନିସ୍ତାନର ଶାସନ ଭାର ତାଲିବାନ ହାତକୁ ଚାଲିଯିବା ପରେ ଏବେ ତାଲିବାନ ପାଇଁ ଚାରିଆଡୁ ସଂକଟ ଘନେଇବାରେ ଲାଗିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ( ଆଇଏମଏଫ) ଆଫଗାନିସ୍ତାନକୁ ସମସ୍ତ ଆର୍ଥିକ ସହାୟତା ବନ୍ଦ ନେଇ ଘୋଷଣା କରିଛି ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ତାଲିବାନ ଦ୍ୱାରା ଆଫଗାନିସ୍ତାନର ସମ୍ବଳ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ଆଇଏମ୍ଏଫ୍ ମୁଖପାତ୍ର ଗ୍ୟାରି ରାଇସ୍ ଏ ବାବଦରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି, 'ସବୁଥର ପରି IMF ଆନ୍ତର୍ଜାତୀୟ ସମ୍ପ୍ରଦାୟର ଧାରଣା ଦ୍ୱାରା ପରିଚାଳିତ । ଆଫଗାନିସ୍ତାନ ସରକାରକୁ ନେଇ ଅନ୍ତର୍ଜାତୀୟ ସମ୍ପ୍ରଦାୟରେ ବର୍ତ୍ତମାନ ସ୍ପଷ୍ଟତାର ଅଭାବ ରହିଛି । ଫଳସ୍ୱରୂପ ଏହି ଦେଶ SDR କିମ୍ବା IMFର ଅନ୍ୟାନ୍ୟ ଉତ୍ସର ବ୍ୟବହାର କରିପାରିବ ନାହିଁ ।

ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଅନୁସାରେ, ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କରେ ଏପ୍ରିଲ୍ ସୁଦ୍ଧା ୯.୪ ଆରବ ଡ଼ଲାର୍ ରହିଥିଲା । ଏହା ଦେଶର ବାର୍ଷିକ ଆୟର ଏକ ତୃତୀୟାଂଶ ଅଟେ । ସମ୍ପତ୍ତିର ଏକ ବଡ଼ ଅଂଶ ଆଫଗାନିସ୍ତାନରେ ନାହିଁ । ଆଫଗାନିସ୍ତାନ ସରକାରଙ୍କ କୋଟି କୋଟି ଟଙ୍କା ଆମେରିକାରେ ରଖାଯାଇଛି ବୋଲି ୱାଶିଂଟନ୍ ପୋଷ୍ଟ ସୂତ୍ରରୁ ପ୍ରକାଶ ।

ଅନ୍ୟପକ୍ଷରେ ୱାଶିଂଟନ୍ ପୋଷ୍ଟ ରିପୋର୍ଟ ଅନୁସାରେ ବାଇଡେନ୍ ପ୍ରଶାସନ ଆମେରିକୀୟ ବ୍ୟାଙ୍କରେ ରଖାଯାଇଥିବା ଆଫଗାନିସ୍ତାନ ସରକାରଙ୍କ ସମସ୍ତ ସମ୍ପତ୍ତିକୁ ସୋମବାର ଫ୍ରିଜ୍ କରିଦେଇଛନ୍ତି । ଫଳରେ ଆମେରିକୀୟ ବ୍ୟାଙ୍କରୁ ଆଫଗାନିସ୍ତାନର ଖଜାନା ପାଇପାରିବ ନାହିଁ ତାଲିବାନ । କେବଳ ଏତିକି ନୁହେଁ, ଆଫଗାନିସ୍ତାନକୁ ନଗଦ ଟଙ୍କା ଯୋଗାଣ ଉପରେ ମଧ୍ୟ ଆମେରିକା ରୋକ୍‌ ଲଗାଇଛି ।

ଜଣେ ଆଫଗାନିସ୍ତାନ ଅଧିକାରୀଙ୍କ କହିବାନୁସାରେ, ଦେଶର କେନ୍ଦ୍ରୀୟ ବ୍ୟାଙ୍କ ’ଦ ଆଫଗାନିସ୍ତାନ ବ୍ୟାଙ୍’ (DAB) ରେ ବିଦେଶୀ ମୁଦ୍ରା, ସୁନା ଏବଂ ଅନ୍ୟାନ୍ୟ ଖଜାନା ରହିଛି । ସୂତ୍ରରୁ ଅନୁସାରେ ଅଧିକାଂଶ ସମ୍ପତ୍ତି ଆଫଗାନିସ୍ତାନ ବାହାରେ ରଖାଯାଇଛି, ଯାହା ତାଲିବାନଙ୍କ ପାଇଁ ହାସଲ କରିବା କଷ୍ଟକର ।

ସୂଚନାଯୋଗ୍ୟ ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହେବନି । ରୁଲିଂ କାଉନସିଲ ଦ୍ୱାରା ଚାଲିବ ଶାସନ । ଏକ ଭିଡ଼ିଓ ମାଧ୍ୟମରେ ସୂଚନା ଦେଲେ ତାଲିବାନ କମାଣ୍ଡର ୱାହିଦୁଲ୍ଲା ହାସିମ । ଆଫଗାନିସ୍ତାନରେ ତାଲିବାନ ନୂତନ ସରକାର ଗଠନ ନ କରିବା ପର୍ଯ୍ୟନ୍ତ ସମଗ୍ର ଦେଶ ରୁଲିଂ କାଉନସିଲମାଧ୍ୟମରେ ପରିଚାଳିତ ହେବ। ସର୍ବୋଚ୍ଚ ନେତା ହଇବତୁଲ୍ଲା ଅଖୁଣ୍ଡଜାଦା ହେବେ ସର୍ବେସର୍ବା । ଆଫଗାନିସ୍ତାନର ନେତା, ସେନା ଅଧିକାରୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି ତାଲିବାନୀ ଏବଂ ନୂତନ ସରକାରଙ୍କ ନୂତନ ରୂପରେଖ ଉପରେ କାମ କରାଯିବ।