• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବେଜିଂଗ: ସ୍ୱାଧିନ ଗଣତାନ୍ତ୍ରିକ ରାଷ୍ଟ୍ର ତାଇଓ୍ୱାନ୍‌କୁ ମୂଳ ଭୁଖଣ୍ଡରେ ସାମିଲ ଲାଗି ପ୍ରସ୍ତୁତି ଆରମ୍ଭ କରିଛି କି ଚୀନ? ଏଥିପାଇଁ ତକଲାମାକନ୍ ମରୁଭୂମିରେ ଚଳାଇଛି କି ମକ୍ ଡ୍ରିଲ୍ ? ଆମେରିକା ନାଭାଲ ଇନଷ୍ଟିଚ୍ୟୁଟ୍ ଏସଂପର୍କରେ ରିପୋର୍ଟ ଛାପିବା ପରେ ବିଶ୍ୱବ୍ୟାପୀ ଉଦବେଗ୍ ବଢିଛି । କାରଣ ତାଇଓ୍ୱାନ୍ ପ୍ରସଙ୍ଗକୁ ନେଇ ଚୀନ୍ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗିଯିବାର ଆଶଙ୍କା ରହିଛି । ତାଇଓ୍ୱାନ୍‌ର ସର୍ବଭୌମତାକୁ ଯେକୌଣସି ପରିସ୍ଥିତିରେ ଅକ୍ଷୂର୍ଣ୍ଣ ରଖାଯିବ ବୋଲି ଶପଥ ନେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ତେବେ ତାଇଓ୍ୱାନ ଚୀନର ଅଂଶ ଓ ଏହାକୁ ମେନଲ୍ୟାଣ୍ତ ଚାଇନା ବା ଚୀନ୍ ମୂଳ ଭୁଖଣ୍ଡରେ ସାମିଲ କରାଯିବ । ଏଥିରେ ସାଲିସ୍ କରାଯିବାର ପ୍ରଶ୍ନ ଉଠୁନି ବୋଲି ଚୀନର ରାଷ୍ଟ୍ରପତି ସି. ଜିନପିଙ୍ଗ୍ କହିଛନ୍ତି ।

ମରୁଭୂମିରେ ଯୁଦ୍ଧ ଜାହାଜର ଭ୍ରମ । ତେବେ ଏହା ଭ୍ରମ ନୁହେଁ, ବାସ୍ତବରେ ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟରକୁ ଧ୍ୱଂସ କରିବା ଲାଗି ସିନଜିୟାନ୍ ପ୍ରଦେଶର ତକଲାମାକନ୍ ମରୁଭୂମିରେ ଚୀନ୍ ଚଳାଇଛି ମକ୍ ଡ୍ରିଲ୍ । ମରୁଭୂମିରେ ଏୟାର କ୍ରାଫ୍ଟ କ୍ୟାରିୟର ଓ ଅନ୍ୟ ଯୁଦ୍ଧପୋତର ଢାଞ୍ଚା ନିର୍ମାଣ କରି ଏହାକୁ ଧ୍ୱଂସ ଲାଗି ଚୀନ୍ ଟାର୍ଗେଟ୍ ପ୍ରାକ୍ଟିସ୍ କରୁଥିବାର ଶୁଣିବାକୁ ମିଳିଛି । ସେନା ପିଏଲ୍ଏ ସାଟେଲାଇଟ୍ ଫଟୋକୁ ଆଧାର କରି ଏହି ଖବର ଛପାଯାଇଛି ।

ଆମେରିକା ନାଭାଲ ଇନଷ୍ଟିଚ୍ୟୁଟ ଏୟାର କ୍ରାଫ୍ଟ କ୍ୟାରିୟର ବ୍ୟତିତ ଆର୍ଲେ ବୁର୍କ ଶ୍ରେଣୀର ବିଧ୍ୱଂସକାରୀ ଯୁଦ୍ଧ ଜାହାଜ ପ୍ରତିରୂପକୁ ବି ମକ୍ ଡ୍ରିଲ୍ରେ ଟାର୍ଗେଟ କରାଯାଇଛି । ଏଥିପାଇଁ ପିଏଲ୍ଏ DF-21D ଓ DF26R ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସମେତ ବହୁ ଅତି ଉଚ୍ଚକୋଟୀର ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ପିଏଲ୍ଏ ତେବେ ନିଜକୁ ସୁରକ୍ଷିତ ରଖିବା ଲାଗି ଏୟାରକ୍ରାଫ୍ଟ କ୍ୟାରିୟରରେ ଯେଉଁ ସବୁ ବ୍ୟବସ୍ଥା ଥାଏ, ଚୀନ୍ ଦ୍ୱାରା ନିର୍ମିତ ଢାଞ୍ଚାରେ ସେଭଳି ବ୍ୟବସ୍ଥା ନଥିବା କଥା କୁହାଯାଉଛି ।

ତାଇଓ୍ୱାନ୍ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି ବିଶ୍ୱର ଦୁଇ ସୁପରପାଓ୍ୱାର ରାଷ୍ଟ୍ର ଆମେରିକା ଓ ଚୀନ୍ । ତାଇୱାନ୍‌କୁ ମୂଳ ଭୂଖଣ୍ଡରେ ସାମିଲ ଲାଗି ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ପଣ କରିଥିବା ବେଳେ, ଏହି କ୍ଷୁଦ୍ର ଦ୍ୱୀପରାଷ୍ଟ୍ରର ସ୍ୱାଧୀନତା ବଜାୟ ରଖିବାକୁ ଶପଥ ନେଇଛି ଆମେରିକା । ଏହାକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ଯୁଦ୍ଧ ଲାଗିବାର ଆଶଙ୍କା ମଧ୍ୟ ରହିଛି । ଏହାସତ୍ତ୍ୱେ ଚୀନ୍ ଆମେରିକାକୁ ଉସୁକାଇବା ଭଳି ପଦକ୍ଷେପ ନେବାରେ ଲାଗିଛି ।

ମାସକ ତଳେ ଚୀନ୍‌ର ୫୬ଟି ଫାଇଟର ଜେଟ୍ ଓ ବମ୍ବର୍ ତାଇଓ୍ୱାନ୍ ବାୟୁସୀମା ଉଲ୍ଲଙ୍ଘନ କରିଥିଲା । ଏହାକୁ ନେଇ ତାଇଓ୍ୱାନ୍ କଡ଼ା ଆପତ୍ତି ଉଠାଇଥିଲେ ମଧ୍ୟ ଚୀନ୍ ଏହାର ଜବାବ ଦେଇ ନଥିଲା । ଅନ୍ୟପକ୍ଷରେ ଚୀନ୍ ଦ୍ୱାରା ଆମେରିକାର ସୁପରକ୍ଲାସ ଏୟାରକ୍ରାଫ୍ଟ କ୍ୟାରିୟରକୁ ଉଡାଇବା ଲାଗି କରାଯାଉଥିବା ମକ୍ ଡ୍ରିଲ୍ ଖବରକୁ ଖଣ୍ଡନ କରିଛନ୍ତି ବୈଦେଶିକ ବ୍ୟାପାର ମୁଖପାତ୍ର ଓ୍ୱାଙ୍ଗ୍ ୱେନବିନ୍ । ଏଭଳି ଖବର ସଂପର୍କରେ ସେ ଅବଗତ ନଥିବା ୱେନବିନ୍ କହିଛନ୍ତି । ତେବେ ଇଣ୍ଡୋ ପାସିଫିକ୍‌ରେ ଚୀନ୍‌ର ଉଗ୍ର ବ୍ୟବହାରକୁ ନେଇ ଆମେରିକା ପ୍ରତିରକ୍ଷା ବିଭାଗ ମୁଖପାତ୍ର ଜନ୍ କିର୍ବି ଉଦବେଗ୍ ପ୍ରକାଶ କରିଛନ୍ତି ।