• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବେଜିଂ : ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି ଚୀନ୍ । ଏହି କ୍ରମରେ ଦେଶକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ କରିବାରେ ଲାଗିଛି । ନିକଟ ଅତୀତରେ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟରେ ଏପରି ଖବର ପ୍ରକାଶ ପାଇବା ପରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଛି । ଚୀନ୍ ନୂତନ ମହାକାଶ କ୍ଷମତା ସହିତ ସଜ୍ଜିତ ହାଇପରସୋନିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଅଗଷ୍ଟରେ ଆଣବିକ କ୍ଷମତାଯୁକ୍ତ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଥିଲା ଚୀନ୍, ଯାହା ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ପୃଥିବୀ କକ୍ଷପଥରେ ପରିକ୍ରମା କରିଥିଲା । ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ର ୨୦ ମାଇଲ ଅର୍ଥାତ୍ ୩୨ କିଲୋମିଟର ପର୍ଯ୍ୟନ୍ତ ଟାର୍ଗେଟରୁ ଲକ୍ଷ୍ୟଚ୍ୟୁତ ହୋଇଥିଲା ।

ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଏକ ରକେଟ୍ ଦ୍ୱାରା ପରିବହନ କରାଇ ପରୀକ୍ଷା କରିଥିଲା ଚୀନ୍ । ତେବେ ପୂର୍ବରୁ କୌଣସି କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଘୋଷଣା କରେ ଡ୍ରାଗନ୍, କିନ୍ତୁ ଏଥର ଅଗଷ୍ଟରେ ହୋଇଥିବା ପରୀକ୍ଷାକୁ ଗୁପ୍ତ ରଖାଯାଇଥିଲା । ଚୀନ୍ ଦ୍ୱାରା ବିକଶିତ ହାଇପରସୋନିକ୍ ଅସ୍ତ୍ରକୁ ନେଇ ଆମେରିକା ମଧ୍ୟ ଆତଙ୍କିତ ଥିବା ରିପୋର୍ଟରେ କୁହାଯାଇଛି । ଚୀନ୍ ସହିତ ଆମେରିକା, ‌ଋଷ ଏବଂ ଅତି କମରେ ପାଞ୍ଚଟି ଦେଶ ହାଇପରସୋନିକ୍ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି ।

ହାଇପରସୋନିକ୍ କ୍ଷେପଣାସ୍ତ୍ର ପାରମ୍ପାରିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହିତ ସମାନ । ତେବେ ଏଗୁଡ଼ିକ ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ ଏବଂ ସେମାନେ ଧ୍ୱନୀର ବେଗ ଠାରୁ ପାଞ୍ଚ ଗୁଣରୁ ଅଧିକ ବେଗରେ ଲଂଚ କରିପାରିବେ । ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଗୁଡିକ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ମହାକାଶରେ ଉଚ୍ଚ ଉଡ଼ାଣ ଭରନ୍ତି । ଅନ୍ୟପଟେ ତୁଳନାତ୍ମକ ଭାବେ ହାଇପରସୋନିକ୍ କ୍ଷେପଣାସ୍ତ୍ର ବାୟୁମଣ୍ଡଳର ନିମ୍ନ ଭାଗକୁ ଯାଇ ଅଧିକ ବେଗରେ ଲକ୍ଷ୍ୟସ୍ଥଳରେ ପହଞ୍ଚିଥାଏ ।

 ଚୀନ୍ ହାଇପରସୋନିକ୍ ଏବଂ ଅନ୍ୟାନ୍ୟ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ବିକାଶ କରୁଥିବା ନେଇ ଚିନ୍ତା ପ୍ରକଟ କରିଛି ଆମେରିକାର କଂଗ୍ରେସନଲ୍ ଅନୁସନ୍ଧାନ ସଂସ୍ଥା । ଆମେରିକାର ଶକ୍ତି ପାଇଁ ଏହା ଏକ ପ୍ରକାର ଆହ୍ୱାନ । କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ଆହୁରି ବଢ଼ିଯାଇଛି । ଏଥି ସହିତ ବେଜିଂ ମଧ୍ୟ ତାଇୱାନ ନିକଟରେ ସାମରିକ କାର୍ଯ୍ୟକଳାପକୁ ତୀବ୍ର କରିବା ସହ ପୁନର୍ବାର ନିଜର ଦବଦବା ଜାହିର କରିବାକୁ ଚେଷ୍ଟା କରୁଛି ।