• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆଫଗାନିସ୍ତାନର ନୂଆ ସରକାରଙ୍କୁ ସାହାଯ୍ୟ କରିବ ଚୀନ୍

  • ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ସମେତ ଔଷଧ ମଧ୍ୟ ଯୋଗାଇବ

ବେଜିଂ : ମୁକ୍ତହସ୍ତରେ ତାଲିବାନ୍ ସରକାରଙ୍କୁ ସାହାଯ୍ୟ କରୁଛି ଚୀନ୍ । ଆଫଗାନିସ୍ତାନରେ ସରକାର ଗଠନର୨୪ ଘଣ୍ଟା ମଧ୍ୟରେ ତାଲିବାନୀଙ୍କ ପାଇଁ ଚୀନ୍ ନିଜର ରାଜକୋଷ ଖୋଲି ଦେଇଛି । ତାଲିବାନୀ ଯେପରି ସୁରୁଖୁରୁରେ ସରକାର ଚଳାଇବା ପାରବେ, ସେଥିପାଇଁ ୩୧୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି ଚୀନ୍ । ଏହା ସହିତ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଇଛି ଚୀନ୍ । ଅରାଜକତାକୁ ଶେଷ କରିବା ତଥା ଦେଶରେ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଏହି ସହାୟତା ଆବଶ୍ୟକ ବୋଲି କହିଛି ଚୀନ୍ ।

ଆଫଗାନିସ୍ତାନର ସ୍ଥିତିକୁ ଦୃଷ୍ଟିରେ ରଖି ପଡ଼ୋଶୀ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପାକିସ୍ତାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଇରାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ । ତେବେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କୁରେଶିଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଋଷ ଭାଗ ନେଇନଥିଲା । ତେବେ ଏହି ବୈଠକରେ ଚୀନ୍‌ର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଚୀନ୍ ଆଫଗାନିସ୍ତାନକୁ ଖାଦ୍ୟ ଶସ୍ୟ, ଶୀତକାଳୀନ ସାମଗ୍ରୀ, କରୋନା ଟିକା ସମେତ ୨୦୦ ମିଲିୟନ୍ ୟୁଆନ୍ (୩୧ ମିଲିୟନ୍ ଆମେରିକୀ ଡଲାର୍) ସହାୟତା ପ୍ରଦାନ କରିବ । ଏହାସହ ଆବଶ୍ୟକତା ଅନୁସାରେ ଔଷଧ ମଧ୍ୟ ପ୍ରଦାନ କରାଯିବ ।

ଆଫଗାନିସ୍ତାନ ଦଖଲ ପରେ ତାଲିବାନ ସହିତ ମିଳିତ ଭାବେ କାମ କରିବା ପାଇଁ ଚୀନ୍ ପୂର୍ବରୁ ଅପିଲ୍ କରିଥିଲା । ଆଫଗାନିସ୍ତାନର ନୂଆ ତାଲିବାନ୍ ସରକାରକୁ ଆର୍ଥିକ ସହାୟତା ଯୋଗାଇବା ଆବଶ୍ୟକ ବୋଲି ଚୀନ୍ ପକ୍ଷରୁ କୁହାଯାଇଥିଲା । ଏହି କ୍ରମରେ ତାଲିବାନ୍ ସରକାରଙ୍କୁ ବର୍ତ୍ତମାନ ସାହାଯ୍ୟ କରୁଛି ଜନିପିଙ୍ଗ୍ ପ୍ରଶାସନ । ଆଫଗାନିସ୍ତାନର ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଏପରି ପଦକ୍ଷେପ ଜରୁରୀ ବୋଲି କହିଛି ଚୀନ୍ ।

ସେପଟେ ଗତ ସପ୍ତାହରେ ଚୀନକୁ ପ୍ରଶଂସାରେ ପୋତି ପକାଇଥିଲା ତାଲିବାନୀ ସଂଗଠନ । ଚୀନ୍ ଏକ ଅର୍ଥନୈତିକ ଶକ୍ତି, ତେଣୁ ଚୀନକୁ ନିଜର ବଡ଼ ସାଥୀ ବୋଲି କହିଥିଲା । ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଏକ ଇଟାଲୀ ଖବରକାଗଜକୁ କହିଥିଲେ, ତାଙ୍କ ଗୋଷ୍ଠୀ ମୁଖ୍ୟତ ଚୀନ୍‌ର ଆର୍ଥିକ ସହାୟତା ଉପରେ ନିର୍ଭରଶୀଳ। ନିକଟ ଅତୀତରେ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଆଫଗାନିସ୍ତାନକୁ ଆର୍ଥିକ ସହାୟତାକୁ ସୀମିତ ରଖିଛନ୍ତି । ଫଳରେ ସରକାର ଚଳାଇବା ପାଇଁ ତାଲିବାନୀମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଭଳି ପରିସ୍ଥିତିରେ ଚୀନ୍ ଏକ ସାହାଯ୍ୟ ହାତ ବଢ଼ାଇଛି, ଯାହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ।