• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ: ସର୍ବସମ୍ମୁଖରେ ବ୍ରିଟିଶ୍ ସାଂସଦଙ୍କୁ ଛୁରୀ ମାରି ହତ୍ୟା । ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ କନଜରଭେଟିଭ୍ ପାର୍ଟି ସାଂସଦ ଡେଭିଡ ଅମିସଙ୍କୁ ଛୁରୀ ଭୁଷି ହତ୍ୟା କରାଯାଇଛି । ପୂର୍ବ ଇଂଲଣ୍ଡର ଏକ ଚର୍ଚ୍ଚରେ ସହକର୍ମୀଙ୍କ ସହ ବୈଠକ କରୁଥିବା ସମୟରେ ସାଂସଦଙ୍କୁ ଆକ୍ରମଣ କରାଯାଇଥିଲା । ବର୍ତ୍ତମାନ ପୋଲିସ ୨୫ ବର୍ଷୀୟ ଆକ୍ରମଣକାରୀଙ୍କୁ ଗିରଫ କରିଛି ।

ଡେଭିଡ ଅମିସଙ୍କ ନିର୍ବାଚନୀ କ୍ଷେତ୍ରରେ ଏକ କାର୍ଯ୍ୟକ୍ରମ ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି । ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ କାଉନସିଲର ଜନ୍ ଲେମ୍ବ କହିଛନ୍ତି ଡେଭିଡଙ୍କୁ ଅନେକ ଥର ଛୁରୀରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ହେଲେ ଆକ୍ରମଣର ଦୁଇ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଖାନା ନିଆଯାଇପାରିଲା ନାହିଁ , ଫଳରେ ତାଙ୍କର ସ୍ଥିତି ଗୁରୁତର ହୋଇପଡ଼ିଥିଲା । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ପୋଲିସ ସୂଚନା ଅନୁସାରେ ଶୁକ୍ରବାର ଅପରାହ୍ନରେ ଲି-ଅନ୍-ସିରେ ଛୁରୀ ଆକ୍ରମଣ ସମ୍ପର୍କରେ ଖବର ମିଳିଥିଲା । ତେବେ ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ଏକ ଛୁରୀ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ଏହି ମାମଲାରେ ଅନ୍ୟ କାହାକୁ ସନ୍ଦହେ କରାଯାଉନାହିଁ । ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି । ଜନସାଧାରଣଙ୍କ ପାଇଁ କୌଣସି ବିପଦ ନଥିବା ଆଶ୍ୱାସନା ଦେଇଛି ପୋଲିସ୍ ।

୬୯ ବର୍ଷିୟ ଡେଭିଡ ମିସ୍ ୧୯୯୭ରୁ ସାଂସଦ ଅଛନ୍ତି । ଲି-ଅନ୍-ସି ଅଞ୍ଚଳ ତାଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି। ଅନ୍ୟପକ୍ଷରେ ଟୁଇଟ୍ କରି ଏହି ଘଟଣାରେ ଅନେକ ନେତା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଲେବର ପାର୍ଟିର ନେତା କିର ଷ୍ଟାରମର୍ ଟ୍ୱିଟ୍ କରି କହିଛନ୍ତି , ଏହା ଅତ୍ୟନ୍ତ ଭୟାନକ ଏବଂ ଆଶ୍ଚର୍ଯ୍ୟଜନକ ଖବର । ସର୍ବସମ୍ମୁଖରେ ଜଣେ ନେତାଙ୍କୁ ହତ୍ୟା କରିବା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ବୋଲି କହିଛନ୍ତି ।