• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ଗ୍ରୀନ୍‌ଲ୍ୟାଣ୍ଡ ଉପରେ ଗ୍ଲୋବାଲ୍ ଓ୍ୱାର୍ମିଂର କୋପ ।


  • ଅହରହ ତରଳୁଛି କୋଟି କୋଟି ଟନ୍ ବରଫ ।

  • ଗତ ଦଶନ୍ଧିରେ ସାଢ଼େ ୩ ଲକ୍ଷ କୋଟି ଟନ୍ ବରଫ ସ୍ୱାହା ।

ଗ୍ରୀନ୍‌ଲ୍ୟାଣ୍ଡ ସାମ୍ନାକୁ ଆସିଛି ଏକ ଗମ୍ଭୀର ସମସ୍ୟା । ବିଶ୍ୱକୁ କିଭଳି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ତାପନ ବା ଗ୍ଲୋବାଲ୍ ଓ୍ୱାର୍ମିଂ ଗ୍ରାସ କରୁଛି, ତାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଏହି ବରଫାବୃତ ଦେଶରେ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ, ସେଠାରେ ଗତ ୧୦ ବର୍ଷ ଭିତରେ ତରଳି ସାରିଲାଣି ସାଢ଼େ ୩ ଲକ୍ଷ କୋଟି ଟନ୍ ବରଫ । ଯାହାକି ସାରାବିଶ୍ୱରେ ସମୁଦ୍ରର ଜଳସ୍ତର ୧ ସେଣ୍ଟିମିଟର ବଢ଼ାଇବାକୁ ଯଥେଷ୍ଟ । କେବଳ ଏତିକି ନୁହେଁ, ଏହା ଦ୍ୱାରା ବିଶ୍ୱସ୍ତରରେ ବନ୍ୟା ବିପଦ ବଢ଼ିଥିବା ଓ ତଟବର୍ତ୍ତୀ ସହର ଗୁଡ଼ିକ ସବୁଠୁ ବେଶି ବିପଦସଂକୁଳ ସ୍ଥିତିରେ ଥିବା ଆଶଙ୍କା କରାଯାଉଛି ।

ପୃଥିବୀର ଉତ୍ତରମେରୁ ନିକଟରେ ଥିବା ବିଶ୍ୱର ସର୍ବବୃହତ୍ ଦ୍ୱୀପଦେଶ ହେଉଛି ଗ୍ରୀନ୍‌ଲ୍ୟାଣ୍ଡ । ସେଠାରେ ଏତେ ପରିମାଣର ଜଳ ବରଫ ରୂପରେ ଜମି ରହିଛି ଯେ, ତାହା ତରଳିଲେ ବିଶ୍ୱବ୍ୟାପୀ ସମୁଦ୍ର ଜଳ ସ୍ତର ୬ ମିଟର ବଢ଼ିଯିବ । ସେଠାରେ ଗତ ୪୦ ବର୍ଷ ହେଲା ବରଫ ଅତିମାତ୍ରାରେ ତରଳିବାରେ ଲାଗିଛି । ଗତ ୪ ଦଶନ୍ଧି ଭିତରେ ବରଫ ତରଳିବା ମାତ୍ରା ୨୧ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନେଚର୍ କମ୍ୟୁନିକେସନ୍ ଜର୍ଣ୍ଣାଲ୍‌ରେ ପ୍ରକାଶ ପାଇଛି । ତେବେ ୨୦୧୧ ଠାରୁ ସେଠାରେ ୩.୫ ଟ୍ରିଲିଅନ୍ ବା ସାଢ଼େ ୩ ଲକ୍ଷ କୋଟି ଟନ୍ ବରଫ ତରଳିଥିବା ନିଜ ସାଟେଲାଇଟ୍ ତଥ୍ୟରୁ ଜଣାପଡ଼ିଛି ବୋଲି ୟୁରୋପୀୟ ମହାକାଶ ସଂସ୍ଥା ଦାବି କହିଛି ।

୪୦ ବର୍ଷ ହେଲା ଗ୍ରୀନ୍‌ଲ୍ୟାଣ୍ଡ ବରଫ ତରଳିବା ମାତ୍ରା ବଢ଼ିଥିଲେ ବି, ଗତ ୧୦ ବର୍ଷ ଭିତରେ ୩ ଭାଗରୁ ୧ ଭାଗ ବରଫ ତରଳିଛି । ୨୦୧୨ ଓ ୨୦୧୯ ଗ୍ରୀଷ୍ମ ଋତୁରେ ସବୁଠୁ ଅଧିକ ସଂକଟାପନ୍ନ ସ୍ଥିତିକୁ ଚାଲିଯାଇଥିଲା । ୨୦୧୨ରେ ବାୟୁମଣ୍ଡଳରେ ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଥିଲା ଏବଂ ଗ୍ରୀନ୍‌ଲ୍ୟାଣ୍ଡର ବରଫ ଚାଦର ଉପରେ ଏକାଧିକ ସପ୍ତାହ ଧରି ଗରମ ବାୟୁ ଅଟକି ରହିବା ଫଳରେ ୫୨୭ ବିଲିୟନ୍ ବରଫ ତରଳିଯାଇଥିଲା । ଦିନକୁ ଦିନ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଉଥିବା ବେଳେ, ଭବିଷ୍ୟତରେ ବରଫ ତରଳିବା ହାର ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସମୁଦ୍ର ଜଳର ତାପମାତ୍ରା ବଢ଼ିବା ଫଳରେ ଏହା ମଧ୍ୟ ଫୁଲିବାରେ ଲାଗିଛି । ଏକ ଆକଳନ ଅନୁସାରେ, ୨୧୦୦ ମସିହା ବେଳକୁ କେବଳ ଗ୍ରୀନ୍‌ଲ୍ୟାଣ୍ଡ ବରଫ ତରଳି ସମୁଦ୍ରର ଜଳସ୍ତର ୩ରୁ ୨୩ ସେଣ୍ଟିମିଟର ଯାଏଁ ବୃଦ୍ଧି ପାଇଥିବ ।