• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ପଞ୍ଜଶୀରକୁ ଚାରିପଟୁ ଘେରି ରଖିଛନ୍ତି ତାଲିବାନ

  • ଯୋଗାଯୋଗର ସବୁ ବାଟ ବନ୍ଦ 

  • ତାଲିବାନୀ ସହ ବୁଝାମଣା ନେଇ ଆଶାବାଦୀ ମହମ୍ମଦ ମସୁଦ୍ 

କାବୁଲ୍: ପ୍ରତିରୋଧର ଶେଷ ଉପତ୍ୟକା ପଞ୍ଜଶିର ଦଖଲ ପାଇଁ ତାଲିବାନ ଜୋରଦାର ପ୍ରୟାସ କରୁଛି। ତାଲିବାନୀ ଆତଙ୍କୀ ଏବେ ପୁରା ପଞ୍ଜଶିର ପ୍ରଦେଶକୁ ଚାରି ଆଡୁ ଘେରି ଯୋଗଯୋଗର ସବୁ ବାଟ ବନ୍ଦ କରିଦେଇଛି। ଏଭଳି ସ୍ଥିତିରେ ଆଗକୁ ଆଫଗାନିସ୍ତାନର ଏଇ ଅପରାଜେୟ ଗଡ଼ ମଧ୍ୟ ତାଲିବାନୀ କବଜାକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି । ଅପରପକ୍ଷେ ଯୁଦ୍ଧଗ୍ରସ୍ତ କାବୁଲ୍‌ରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ଜୋରଦାର ହୋଇଛି । ଅପରେସନ୍ ଦେବୀଶକ୍ତି ବଳରେ ଏପଯର୍ୟନ୍ତ ଆଫଗାନିସ୍ତାନରୁ ୮ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି।

ତାଲିବାନର ଟାର୍ଗେଟ୍ ପଞ୍ଜଶିର ପ୍ରତିରୋଧର ଶେଷ ଉପତ୍ୟକାକୁ ଦଖଲରେ ନେବାକୁ ନର୍ଦ୍ଦନ ଆଲାଏନ୍ସ ସହ ତାଲିବାନୀ ଆତଙ୍କୀଙ୍କ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତେବେ ଦୁର୍ଗମ ପାହାଡ଼ ଓ ଅଗମ୍ୟ ଘାଟି ଦେଇ ପଞ୍ଜଶିର ପ୍ରବେଶ ସହଜ ନୁହେଁ ଜାଣି ତାଲିବାନୀ ଆତଙ୍କୀ ପୁରା ପ୍ରଦେଶକୁ ଚାରିପଟୁ ଘେରି ଯୋଗାଯୋଗର ସବୁ ବାଟ ବନ୍ଦ କରି ଦେଇଥିବା କୁହାଯାଉଛି । ନର୍ଦ୍ଦନ ଆଲାଏନ୍ସର କମାଣ୍ଡର ଅହମ୍ମଦ ମସୁଦ ସହ ମିଶି ତାଲିବାନୀ ବିରୋଧୀଙ୍କ ନେତୃତ୍ୱ ନେଉଥିବା ପୂର୍ବତନ ଆଫଗାନ୍‌ ଉପରାଷ୍ଟ୍ରପତି ଅମରୁଲାହ ସାଲେହ ମଧ୍ୟ ମାନିଛନ୍ତି ଯେ ପଞ୍ଜଶିରର ପ୍ରବେଶ ପଥକୁ ତାଲିବାନୀ ଘେରି ରହିଛନ୍ତି । ଫଳରେ ସପ୍ଲାଏ ଚେନ୍ ବନ୍ଦ ହୋଇଯିବାରୁ ଆଗକୁ ପଞ୍ଜଶିର ମଧ୍ୟ ତାଲିବାନ୍ କବ୍ଜାକୁ ଚାଲିଯିବାର ଆଶଙ୍କା ସୃଷ୍ଟି ହୋଇଛି ।

Also Read

ଏଭଳି ସ୍ଥିତିରେ ମହମ୍ମଦ ମସୁଦ୍ ମଧ୍ୟ ଗୋଟିଏ ପଟେ ତାଲିବାନୀ ସହ ବୁଝାମଣା ନେଇ ଆଶାବାଦୀ ଥିବା କହୁଥିଲା ବେଳେ ଯୁଦ୍ଧ ଲଢ଼ିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି । ତେବେ ଏଭିତରେ ନର୍ଦ୍ଦନ ଆଲାଏନ୍ସକୁ ସହଯୋଗ କରିବାକୁ ତାଜିକିସ୍ତାନରୁ ତିନିଟି ହେଲିକପ୍ଟର ପଞ୍ଜଶିର ପହଞ୍ଚିଥିବାରୁ ଲଢ଼େଇ ଲମ୍ବା ହେବା କୁହାଯାଉଛି।

ଏପଟେ ତାଲିବାନୀ ଆତଙ୍କ କବଳରୁ ବର୍ତ୍ତିବା ପାଇଁ କାବୁଲ୍ ଏୟାରପୋର୍ଟରେ ଆଫଗାନବାସୀଙ୍କ ବିକଳ ପ୍ରୟାସ ବି ଜାରି ରହିଛି।  ଏହା ଭିତରେ ଏକ ବିମାନକୁ ଅପହରଣ କରାଯାଇଥିବା ଖବର ଆସିଛି। ଲୋକଙ୍କୁ ଉଦ୍ଧାର ପାଇଁ କାବୁଲ୍ ବିମାନବନ୍ଦର ଆସିଥିବା ୟୁକ୍ରେନର ଏକ ବିମାନକୁ କିଛି ଅଜ୍ଞାତ ବ୍ୟକ୍ତି ଅପହରଣ କରି ନେଇଥିବା ୟୁକ୍ରେନ୍ ପକ୍ଷରୁ କୁହାଯାଇଛି । ବିମାନଟି କାବୁଲ୍ ଏୟାରପୋର୍ଟରୁ ଉଡ଼ାଣ ଭରିବାର କିଛି ସମୟ ପରେ ଏହାକୁ ହାଇଜାକ୍ କରି ଇରାନ୍ ନିଆଯାଇଥିବା କୁହାଯାଉଛି।

ଅପରପକ୍ଷେ ଯୁଦ୍ଧଗ୍ରସ୍ତ କାବୁଲରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ବି ଜୋରଦାର ହୋଇଛି । ଭାରତ ଏହାର ନାଁ ଦେଇଛି ଅପରେସନ୍ ଦେବୀ ଶକ୍ତି । ବିଦେଶମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୂଚନା ଅନୁଯାୟୀ ଅପରେସନ୍ ଦେବୀ ଶକ୍ତି ଜରିଆରେ କାବୁଲରୁ ତାଜିକିସ୍ତାନ ଦେଇ ୨୫ ଭାରତୀୟଙ୍କ ସହ ୭୮ ଜଣଙ୍କୁ ଉଦ୍ଧାର କରାଯାଇଛି। ଦେବୀଶକ୍ତି ଅପରେସନରେ ଏପର୍ଯ୍ୟନ୍ତ ତାଲିବାନ୍ କବଳିତ ଆଫଗାନିସ୍ତାନରୁ ୮ ଶହ ଜଣଙ୍କୁ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି । ସେ ଭିତରେ ଗତକାଲି ୭୫ ଜଣ ଶିଖଙ୍କୁ ଉଦ୍ଧାର କରାଯାଇଛି । ତେବେ ସବୁଠୁ ବଡ଼ କଥା ହେଉଛି ଅପରସେନ୍ ଦେବୀଶକ୍ତି ବଳରେ ଆଫଗାନିସ୍ତାନରୁ ଆସିଥିବା ଶିଖ୍ ଧର୍ମର ପବିତ୍ର ଗନ୍ଥ ଗୁରୁ ଗ୍ରନ୍ଥ ସାହିବର ତିନିଟି ଖଣ୍ଡକୁୁ ଭାରତ ଅଣାଯାଇଛି । ଏହାକୁ ସମ୍ମାନର ସହ ଗ୍ରହଣ କରିବା ସହ ମୁଣ୍ଡରେ ବୋହିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ।
 ଏପଟେ ପାକିସ୍ତାନ ଉପରେ ବର୍ଷିଛନ୍ତି ତାଲିବାନ୍ ପଞ୍ଝାରୁ ଦିଲ୍ଲୀ ଖସି ଆସିଥିବା ପ୍ରତିଷ୍ଠିତ ଆଫଗାନ୍‌ ପପ୍ ଗାୟିକା ଆର୍ୟାନା ସୟିଦ୍। ପାକିସ୍ତାନ ତାଲିବାନୀ ଆତଙ୍କୀଙ୍କୁ ସମସ୍ତ ସହାୟତା ଓ ପ୍ରଶିକ୍ଷଣ ଦେଇ ଆସୁଥିବା କହି ବିଶ୍ୱ ସମୂହ ପାକିସ୍ତାନକୁ ଆର୍ଥିକ ସହାୟତା ବନ୍ଦ କଲେ ଯାଇ ତାଲିବାନର ଆତଙ୍କୀ କାର୍ଯ୍ୟକଳାପ ଉପରେ ରୋକ୍ ଲାଗିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ବିପଦ ବେଳେ ସହାୟତା ପାଇଁ ସେ ଭାରତକୁ ଧନ୍ୟବାଦ ଜଣାଇଛନ୍ତି।
ସେପଟେ ଗତକାଲି ଆଫଗାନ ପ୍ରସଙ୍ଗରେ ଜର୍ମାନ୍ ଚାନ୍ସେଲର ଆଞ୍ଜେଲା ମର୍କେଲଙ୍କ ସହ କଥା ହେବା ପରେ  ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି କଥାବାର୍ତ୍ତା ହୋଇଥିଲା । ଏପରିକି ଜି-ସେଭେନ୍ ବୈଠକରେ ମଧ୍ୟ ତାଲିବାନ ପ୍ରସଙ୍ଗରେ ଆଲୋଚନା ହୋଇଛି।