• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଆମେରିକାର ଆଲାସ୍କାରେ ଭାରତୀୟ ସୈନ୍ୟଙ୍କ ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ । ଏହି ଅଭ୍ୟାସ ବେଳେ ଆଲାସ୍କାର ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକା ସୈନ୍ୟ ଓ ଭାରତ ସୈନ୍ୟଙ୍କ ମଧ୍ୟରେ କବାଡି ମ୍ୟାଚ୍‌ର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାରତୀୟ ସୈନ୍ୟଙ୍କ ଏହି ତାଲିମ ଅଭ୍ୟାସଟି ଆମେରିକାର ଆଲାସ୍କା ସୈନ୍ୟଙ୍କ ଦ୍ୱାରା ଆୟୋଜିତ କରାଯାଇଛି । ଏହି ଯୁଦ୍ଧଭିତ୍ତିକ ଅଭ୍ୟାସ ଅକ୍ଟୋବର ୧୫ ରୁ ୨୯ ପର୍ଯ୍ୟନ୍ତ ଜ୍ୱାଇଂଟ୍‌ ବେସ୍ ଏଲମେଣ୍ଡର୍କ ରିଚାର୍ଡସନ ଠାରେ ଚାଲିବ । ଦୁଇ ଦେଶ ମଧ୍ୟରେ ଏହା ହେଉଛି ୧୭ ତମ ଦ୍ୱିପାକ୍ଷିକ ତାଲିମ ଅଭ୍ୟାସ ।

ଦୁଇ ଦେଶ ମଧ୍ୟରେ ଚାଲିଥିବା ଏହି ଅଭ୍ୟାସରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ବନ୍ଧୁତା ଓ ଉତ୍ସାହ ଦେଖିବାକୁ ମିଳିଛି । ଭିନ୍ନ ଭିନ୍ନ ଟିମ୍ ହୋଇ ଦୁଇ ରାଷ୍ଟ୍ରର ଯବାନ ବରଫରେ ଏକ ଭିନ୍ନ ଅନୁଭୂତିର ମଜା ନେଉଛନ୍ତି । ଏହି ସମୟରେ ଉଭୟ ଦେଶର ଯବାନମାନେ କବାଡି, ଫୁଟବଲ, ଭଲିବଲ୍ ଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳୁଥିବାର ଚିତ୍ର ସାମ୍ନାକୁ ଆସିଛି । ଆଲାସ୍କା କ୍ୟାମ୍ପରେ ବରଫ ଆଚ୍ଛାଦିତ ଅଞ୍ଚଳରେ ଆମେରିକାନ୍ ଭଲିବଲ୍ ଖେଳିଥିଲେ ଦୁଇ ଦେଶର ଯବାନ । ଆମେରିକା ସେନା ପକ୍ଷରୁ ନିଜ ଦେଶର ଫୁଟବଲ ଓ ଭଲିବଲ ଟେକନିକ୍ ଭାରତୀୟ ଯବାନକୁ ସିଖାଇଥିଲେ । ସେହିଭଳି ଭାରତୀୟ ଯବାନ ଆମେରିକୀୟଙ୍କୁ କବାଡ଼ି ଶିଖାଇଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏହି ଖେଳ ଜରିଆରେ ଦୁଇ ଦେଶର ଯବାନ ପରସ୍ପରକୁ ଜାଣିବାକୁ ମଧ୍ୟ ସୁଯୋଗ ପାଇଥିଲେ ।

ଚଳିତ ବର୍ଷର ଯୁଦ୍ଧ ଅଭ୍ୟାସରେ ଭାରତୀୟ ସେନାର ମାଡ୍ରାସ ରେଜିମେଣ୍ଟର ସପ୍ତମ ବାଟାଲିୟନର ୩୫୦ ଯବାନ ଅଂଶଗ୍ରହଣ କରିଛନ୍ତି। ଏହି ଯବାନମାନେ ପ୍ରଥମ ସ୍କ୍ୱାଡ୍ରନର ପାରାଟ୍ରୁପ୍ସ , ୪୦୪ କେବଲରୀ ରେଜିମେଣ୍ଟ, ଚତୁର୍ଥ ଇନଫାନ୍ଟ୍ରି ବ୍ରିଗେଡ୍ କମ୍ବାଟ୍ ଟିମ୍, ୨୫ ତମ ଇନଫାନ୍ଟ୍ରି ଡିଭିଜନର ୩୦୦ ଯବାନଙ୍କ ସହିତ ସାମରିକ ଅଭ୍ୟାସ କରିବେ । ଏହି ଅଭ୍ୟାସରେ ଯୁଦ୍ଧଭିତ୍ତିକ ତାଲିମ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି ।

ଆମେରିକାରେ ଚାଲିଥିବା ଏହି ଅଭ୍ୟାସରେ ଦୁଇ ଦେଶର ଯବାନ ବେଶ ଆନନ୍ଦର ସହ ପରସ୍ପର ମଧ୍ୟରେ ଭିନ୍ନ ଭିନ୍ନ ଖେଳ ଖେଳୁଥିବାର ଚିତ୍ର ସାମ୍ନାକୁ ଆସୁଛି । ତେବେ ଏହି ଅଭ୍ୟାସ ଦୁଇ ଦେଶ ମଧ୍ୟରେ ଭଲ ସମ୍ପର୍କ ଗଠନରେ ସାହାର୍ଯ୍ୟ କରିବ ବୋଲି ଆଶା କରାଯାଉଛି ।