• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • ପ୍ଲେନ୍‌ ସହ ହେଲିକପ୍ଟର ମୁହାଁମୁହିଁ ଧକ୍କା

  • ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

ୱାଶିଂଟନ୍: ପ୍ଲେନ୍‌ ସହ ମୁହାଁମୁହିଁ ଧକ୍କା ହେଲା ହେଲିକପ୍ଟର । ଆମେରିକାରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା । ଆମେରିକାର ଆରିଜୋନା ବିମାନବନ୍ଦରର ନିକଟସ୍ଥ ଆକାଶମାର୍ଗରେ ଏକ ବିମାନ ଏବଂ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଛି ।ଏହି ଦୁର୍ଘଟଣା ଫଳରେରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହେଲିକପ୍ଟରଟି ଛିଟ୍‌କି ଏକ ପଡିଆରେ ପଡିଯାଇଥିଲା । ହେଲେ ଧକ୍କା ହେବା ପରେ ସିଙ୍ଗଲ୍ ଇଞ୍ଜିନ୍ ଥିବା ଛୋଟ ପ୍ଲେନ୍‌ଟି ସୁରକ୍ଷିତ ଭାବରେ ଅବତରଣ କରିଛି । ଯାହା ପରେ ପ୍ଲେନ୍‌ରେ ଥିବା ପାଇଲଟ୍‌ ଓ ଆସିଷ୍ଟାଣ୍ଡ ପାଇଲଟ ଉଭୟ ନିରାପଦ ଭାବରେ ପ୍ଲେନ୍‌ରୁ ବାହାରକୁ ଆସିଥିଲେ ।

ଚାନ୍ଦୋଲର ପୋଲିସ ସାର୍ଜେଣ୍ଟ ଜେସନ ମ୍ୟାକଲେମନ୍ସଙ୍କ କହିବା ଅନୁସାରେ, ଆମେରିକାର ଚାନ୍ଦଲର୍‌ ସହରରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ କେହି ଆହତ ହୋଇ ନାହାଁନ୍ତି, ହେଲେ ଅନେକ ଘଣ୍ଟା ଧରି ବିମାନ ବନ୍ଦରଟି ବନ୍ଦ ରହିଥିଲା । ଦୁର୍ଘଟଣା ସମ୍ପର୍କରେ ରାତି ପ୍ରାୟ ୮ଟାରେ ଚାନ୍ଦଲର୍‌ ସହରର ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା । ଏନେଇ ଅଗ୍ନିଶମ ଅଧିକାରୀ କହିଛନ୍ତି, ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା, ହେଲେ ଏହାକୁ ଶୀଘ୍ର ନିୟନ୍ତ୍ରଣ କରିଦିଆଯାଇଥିଲା ।

ପୋଡା ହେଲିକପ୍ଟରରୁ ଦୁଇଟି ମୃତଦେହ ଉଦ୍ଧାର

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିବା ସହ ଜଳିଯାଇଥିବା ହେଲିକପ୍ଟରର ଅଶଂବିଶେଷରୁ ଦୁଇଟି ମୃତ ଦେହକୁ ଉଦ୍ଧାର କରିଥିଲା । ମିଳିଥିବା ଦୁଇଟି ମୃତଦେହ ଚିହ୍ନଟ ପାଇଁ ଉଭୟକୁ ମାରିକୋପା କାଉଣ୍ଟିର ଚିକିତ୍ସା ବିଭାଗ ପଠାଯାଇଛି । ଚାନ୍ଦୋଲର ପୋଲିସର ମ୍ୟାକଲେମନ୍ସଙ୍କ ଅନୁଯାୟୀ, ହେଲିକପ୍ଟରଟିକ୍ୱାଣ୍ଟମ୍ ହେଲିକପ୍ଟର ଦ୍ୱାରା ଏବଂ ବିମାନଟି 'ଫ୍ଲାଇଟ୍ ଅପରେସନ୍ ଏକାଡେମୀ' ଦ୍ୱାରା ପରିଚାଳିତ ହୋଇଥିଲା । ଉଭୟ ଫ୍ଲାଇଟ୍ ଟ୍ରେନିଂ ସ୍କୁଲ୍‌ର ଅଟେ । ଫ୍ଲାଇଟ୍ ଅପରେସନ୍ ଏକାଡେମୀର ମାଲିକ ରିଚାର୍ଡ ବେଙ୍ଗୋଆ କହିଛନ୍ତି, ଏହି ଚାରି ସିଟ୍‌ ବିଶିଷ୍ଟ ପ୍ଲେନ୍‌କୁ କେବଳ ପ୍ରଶିକ୍ଷଣ ପାଇଁ ବ୍ୟବହାର କରାଯାଇଥାଏ । ହେଲେ ଦୁର୍ଘଟଣା ସମୟରେ ବିମାନରେ କେବଳ ଦୁଇଜଣ ଥିଲେ । ତେବେ ଜାତୀୟ ପରିବହନ ସୁରକ୍ଷା ବୋର୍ଡ ପକ୍ଷରୁ ଦୁର୍ଘଟଣାର ତଦନ୍ତ ଜାରି ରହିଛି ।