• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମେରିକୀୟ ସୈନ୍ୟ କାବୁଲ ଛାଡିବା ପରେ ତାଲିବାନ୍‌କୁ ଅଲ-କାଏଦାର ଶୁଭେଚ୍ଛା । କାଶ୍ମୀର ସମେତ ସୋମାଲିଆ, ୟେମେନ୍ ଏବଂ ଲିଭେଣ୍ଟ ଅର୍ଥାତ୍ ପାଲେଷ୍ଟାଇନ, ଜୋର୍ଡାନ,ଲେବାନନ୍ ଓ ସିରିଆକୁ ଇସ୍ଲାମର ଶତ୍ରୁଙ୍କ କବଳରୁ ଉଦ୍ଧାର କରିବାକୁ ଆହ୍ୱାନ ଦେଇଛି ଅଲ-କାଏଦା । ପୂର୍ବରୁ ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର କାବୁଲ ଯାଇ ତାଲିବାନର ବରିଷ୍ଠ ନେତା ଅବଦ୍ଦୁଲ ଘନି ବରାଦରକୁ ଭେଟିଥିଲେ ।

କାଶ୍ମୀର ଲଢେଇ ଲାଗି ଅସ୍ତ୍ରଶସ୍ତ୍ର ଓ ଜିହାଦି ପଠାଇବାକୁ ସେ ତାଲିବାନ ନେତାଙ୍କୁ ଅନୁରୋଧ କରିଥିବା କୁହାଯାଉଛି । ତେବେ କଣ ହେବ ତାଲିବାନର ଆଭିମୁଖ୍ୟ ? ବିଶ୍ୱକୁ ଦେଇଥିବା ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କ ସହ ସଂପର୍କ ଛିନ୍ନ କରି ମୁଖ୍ୟଧାରାକୁ ଆସିବକି ଏହି ମୌଳବାଦୀ ସଂଗଠନ ? ନା ଯାହା ଆଶଙ୍କା କରାଯାଉଛି ତାଲିବାନର ଛତ୍ରଛାୟା ତଳେ ଆଫଗାନିସ୍ତାନ ପାଲଟିବ ଆତଙ୍କବାଦୀଙ୍କ ନିର୍ଭୟ ଆଶ୍ରୟସ୍ଥଳ ? ଆଫଗାନିସ୍ତାନ ମାଟିକୁ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରାଯିବାକୁ ଦିଆଯିବନି ବୋଲି ତାଲିବାନର ବରିଷ୍ଠ ନେତାମାନେ କହିଆସୁଛନ୍ତି । ତେବେ ତାଲିବାନର କଥା ଓ କାର୍ଯ୍ୟରେ କେତେ ସାମଞ୍ଜସ୍ୟ ରହୁଛି, ସରକାର ଗଢି ଶାସନ ଆରମ୍ଭ କରିବା ପରେ ହିଁ ସ୍ପଷ୍ଟ ହେବ ।

ଏପଟେ କାବୁଲ କବ୍‌ଜା ପରେ ଭାରତ ସହ ସଂପର୍କ ସୁଧାରିବା ନେଇ ଆଗ୍ରହ ପ୍ରକାଶ କରିଆସୁଛି ତାଲିବାନ । ଆମେରିକୀୟ ସେନାକୁ ସହଯୋଗ ସତ୍ତ୍ୱେ ଅତୀତକୁ ଭୁଲି ତାଲିବାନ, ଭାରତ ସହ ସଂପର୍କ ବଢାଇବାକୁ ଚାହେଁ ବୋଲି କହିଛନ୍ତି ସଂଗଠନର ଅନ୍ୟତମ ଅଂଶୀଦାରର ତଥା ହକାନି ନେଟଓ୍ୱର୍କର ନେତା ଆନସ୍ ହକାନି । ପୂର୍ବରୁ ସଂଗଠନର ମୁଖପାତ୍ର ସୁହେଲ ସହିନ୍ ଓ ଜୁବିହୁଲ୍ଲା ମୁଜାହିଦ୍ ମଧ୍ୟ ଆଫଗାନିସ୍ତାନ-ଭାରତ ସଂପର୍କ ଦୃଢ଼ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ଅନ୍ୟପକ୍ଷରେ ତାଲିବାନର ଆଗ୍ରହକ୍ରମେ ଗତକାଲି କାତାରର ଦୋହାରେ ସଂଗଠନର ବରିଷ୍ଠ ନେତା ଶେର ମହମ୍ମଦ ଆବ୍ବାସ ଷ୍ଟାନିକଜାଇ ଓ ସେଠାରେ ଭାରତର ରାଷ୍ଟ୍ରଦୂତ ଦୀପକ ମିତ୍ତଲଙ୍କ ମଧ୍ୟରେ ଆଲୋଚନା ହୋଇଛି । ଆଫଗାନିସ୍ତାନ ମାଟି ଯେଭଳି ଭାରତ ବିରୋଧୀ ଗତିବିଧି ଲାଗି ବ୍ୟବହାର ନହେବ ସେନେଇ ମିତ୍ତଲ ଗ୍ୟାରେଣ୍ଟି ମାଗିଥିବା କୁହାଯାଉଛି ।

ନିଜ ପ୍ରଥମ ପାଳି ଶାସନରେ କାନ୍ଦାହାର ବିମାନ ଅପହରଣ ହେଉ କି ମସୁଦ୍ ଆଝାର ଭଳି ଦୁର୍ଦ୍ଦଶ ଆତଙ୍କବାଦୀକୁ ପାକିସ୍ତାନ ଖସି ଚାଲିଯିବାରେ ସହଯୋଗ, ସବୁବେଳେ ଭାରତ ବିରୋଧୀ ଆଭିମୁଖ୍ୟ ରଖିଥିଲା ତାଲିବାନ । ଏପଟେ କାଶ୍ମୀରକୁ ଭାରତରୁ ଅଲଗା କରିବାକୁ ଛାହୁଁଥିବା ଜୈସ-ଏ-ମହମ୍ମଦ ଓ ଲସ୍କର-ଏ-ତାଏବା ଭଳି ଆତଙ୍କବାଦୀ ସଂଗଠନଙ୍କ ସହ ରହିଛି ତାଲିବାନର ନିବିଡ ସଂପର୍କ । ତେଣୁ ତାଲିବାନ, ଆତଙ୍କବାଦୀ ଗୋଷ୍ଠୀଙ୍କୁ ଛାଡି ଭାରତ ପଟକୁ ଆସୁଛି ନା ଚିରାଚରିତ ଢଙ୍ଗରେ ଏହାର କଥା ଓ କାମରେ ଫରକ ରହୁଛି ତାହା ଦେଖିବା କଥା ।