• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ତାଲିବାନୀ ଶାସନ 2.0ରେ, କଣ ହେବ ମହିଳାଙ୍କ ଭବିଷ୍ୟତ ?

  • ପୁଣି ଅନ୍ଧାର ଭିତରେ ମିଳେଇ ଯିବନି ତ ହସ, ଖୁସି ।

  • ସେଦିନର କାହାଣୀ ଶୁଣିଥିବା ଯୁବତୀ ଓ କିଶୋରୀ ଏବେ କୋକୁଆ ଭୟରେ ।

ତାଲିବାନୀ ଶାସନ 2.0ରେ, କଣ ହେବ ମହିଳାଙ୍କ ଭବିଷ୍ୟତ ? ପୁଣି ଅନ୍ଧାର ଭିତରେ ମିଳେଇ ଯିବନି ତ ହସ, ଖୁସି ଏବଂ ଗତ ୨୦ ବର୍ଷରେ ହାସଲ କରିଥିବା ଶିକ୍ଷାଗତ ଓ ପେଶାଗତ ସଫଳତା ? ବିଗତ ଦିନରେ ତାଲିବାନୀ ବର୍ବରତାକୁ ଅଙ୍ଗେ ନିଭାଇଥିବା ମହିଳା ହୁଅନ୍ତୁ; ଅବା ମାଆ, ଜେଜେମା ମୁହଁରୁ ସେଦିନର କଳା କାହାଣୀ ଶୁଣିଥିବା ଯୁବତୀ ଓ କିଶୋରୀ । ସମସ୍ତେ ଏବେ କୋକୁଆ ଭୟରେ । ତାଲିବାନ ପକ୍ଷରୁ ମହିଳାଙ୍କ ଅଧିକାରକୁ ସମ୍ମାନ ଦିଆଯିବ ବୋଲି ଯେତେ ଜୋର୍ ଦେଇ କୁହାଗଲେ ବି, କାହାରି ଭରସା ପାଉନି । ଆତଙ୍କ ଓ ହତାଶାର ବାତାବରଣ ଭିତରେ, ବିଦ୍ରୋହର ସ୍ୱର ବି ଉଠୁଛି ।

ପୁଣି ସ୍ୱପ୍ନ ପାଲଟିବନି ତ ସ୍କୁଲ୍, ବହିଖାତା ଓ ଚାକିରି ? ପୁଣି ଘରକୋଣରେ ଗୁମୁରି କାନ୍ଦିବନି ତ ସ୍ୱର, ସ୍ୱାଧୀନତା ଓ ସ୍ୱାଧିକାର ? ବୁର୍ଖା ଭିତରେ ଲୁଚି ଲୁଚି, ଲୋପ ପାଇଯିବନି ତ ଆଫ୍‌ଗାନୀ ମହିଳାଙ୍କ ଅସ୍ତିତ୍ୱ ? ଦୀର୍ଘ ୨୦ ବର୍ଷ ପରେ ପୁଣି ତାଲିବାନ କ୍ଷମତା ହାତେଇବା ପରେ, ମହିଳାଙ୍କ ସ୍ୱପ୍ନ ଶୂନ୍ୟ ଆଖିରେ । ଏବେ ଦେଖିବାକୁ ମିଳୁଛି ଖାଲି ପୁଳା ପୁଳା ଆତଙ୍କ, ଅନିଶ୍ଚିତତା ଓ ଅସହାୟତା । କେବଳ ଦେଶରେ ନୁହେଁ, ଦେଶ ବାହାରେ ରହୁଥିବା ଆଫ୍‌ଗାନୀ ମହିଳାମାନେ ବି ତାଲିବାନ୍ ରାଜ୍‌କୁ ନେଇ ଭୟଭୀତ ।

ତାଲିବାନୀ ରାଜ୍‌ରେ ଲାଗୁ ହୁଏ କଠୋର ସରିୟା ନିୟମ । ଯେଉଁଥିରେ ମହିଳାଙ୍କୁ ସ୍କୁଲ୍ ମନା, ଚାକିରି ମନା । ବୁର୍ଖା ଓ ପୁରୁଷ ସାଥିଙ୍କ ବିନା ଘରୁ ଗୋଡ଼ କାଢ଼ିବା ବି ମନା । ପୁରୁଷଙ୍କ କାନରେ ଯେପରି ପାଦଶବ୍ଦ ନପଡ଼େ, ସେଥିପାଇଁ ହାଇ-ହିଲ୍ ଜୋତା ମନା । ଉଚ୍ଚାଗଳାରେ କଥା ହେବା ମନା । ଫଟୋ ଉଠାଇବା ମନା । ରେଡିଓ, ଟିଭି ବା ଖବରକାଗଜ ତ ଦୂରେ ଥାଉ, ଘର ବାଲ୍‌କୋନିକୁ ବି ବାହାରିବା ମନା । ନିୟମ ଭାଙ୍ଗିଲେ ସର୍ବସାଧାରଣ ସ୍ଥାନରେ ଚାବୁକ ମାଡ଼, ପଥର ମାଡ଼, ଏପରିକି ଗୁଳି କରି ମାରିଦିଆଯିବାର ନଜିର୍ ରହିଛି । କେବଳ ଏତିକି ନୁହେଁ, ୧୩-୧୪ ବର୍ଷରୁ ଅଧିକ ବୟସ୍କ ଝିଅ ଓ ବିଧବାଙ୍କୁ ତାଲିବାନ ଆତଙ୍କୀ ବିବାହ କରିବା ନାଁରେ ଜୋରଜବରଦସ୍ତ ଯୌନଦାସୀ ବନାଉଥିବା ଓ ବାହାରକୁ ଚାଲାଣ କରୁଥିବା ମଧ୍ୟ ଅଭିଯୋଗ ହୁଏ ।

ତାଲିବାନ କାବୁଲ ଦଖଲ କରିବା ପରେ, ଗୋଟିଏ ପଟେ ବିଭିନ୍ନ ସ୍ଥାନରେ ମହିଳାଙ୍କ ଫଟୋ ଥିବା ବିଜ୍ଞାପନକୁ ଢଙ୍କାଯାଉଛି । ଅନ୍ୟପଟେ କାବୁଲ ରାଜରାସ୍ତାକୁ ଓହ୍ଲାଇ ବନ୍ଧୁକଧାରୀ ଆତଙ୍କୀଙ୍କ ଆଗରେ ସାହସୀ ମହିଳାମାନେ ସାମାଜିକ ଓ ରାଜନୈତିକ ଅଧିକାର ମାଗିଛନ୍ତି । କିଛି ନିର୍ଭିକ ସାମ୍ବାଦିକା ବୁର୍ଖା ପିନ୍ଧି ପୁଣି କ୍ୟାମେରା ସାମ୍ନାକୁ ଫେରିଛନ୍ତି ।

ସେପଟେ ମହିଳାଙ୍କ ଅଧିକାରକୁ ସମ୍ମାନ ଦିଆଯିବ ଏବଂ ସ୍କୁଲ୍ ଓ ହସ୍ପିଟାଲରେ କାମ କରିବାକୁ ଅନୁମତି ଦିଆଯିବ ବୋଲି କହୁଥିବା ତାଲିବାନ, ମହିଳାଙ୍କ ନିର୍ବାଚନ ଲଢ଼ିବା କଥା ପଚାରିବାରୁ, ହସ ରୋକିନପାରି କ୍ୟାମେରା ବନ୍ଦ କରିବାକୁ କହୁଛନ୍ତି । ଏସବୁ ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ପାକିସ୍ତାନରେ ତେହେରିକି ତାଲିବାନର ଧମକ ଓ ଏପରିକି ଗୁଳିକୁ ଖାତିର ନକରି, ମହିଳାଙ୍କ ଅଧିକାର ପ୍ରସଙ୍ଗରେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲେ ନୋବେଲ୍ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସଫଜାଇ । ତେବେ ଆଫଗାନିସ୍ତାନରେ ନିଜ ଅଧିକାର ପାଇବା ପାଇଁ ପ୍ରତ୍ୟେକ ମହିଳାଙ୍କୁ ଜଣେ ଜଣେ ମଲାଲା ପାଲଟିବାକୁ ପଡ଼ିବ ବୋଲି କୁହାଯାଉଛି ।