• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ କାର୍ଡ

  • ସହରାଞ୍ଚଳରୁ ନେଇ ପଞ୍ଚାୟତ ପର୍ଯ୍ୟନ୍ତ କମିଟି ଗଠନ କରିବେ ସରକାର

ଭୁବନେଶ୍ୱର : ଅଗଷ୍ଟ ୨୦ରୁ ୨୫ ଭିତରେ ବଣ୍ଟା ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ । ଏନେଇ ଏସଓପି ପ୍ରସ୍ତୁତ କରିସାରିଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ମିଳିବ ଏହି କାର୍ଡ । ଏଥିପାଇଁ ସହରାଞ୍ଚଳରୁ ନେଇ ପଞ୍ଚାୟତ ପର୍ଯ୍ୟନ୍ତ କମିଟି ଗଠନ କରିବେ ସରକାର । ତେବେ ଯୋଜନାର ବାସ୍ତବ ଚିତ୍ର ବଦଳିବ କି ନାହିଁ ତାକୁ ନେଇ ଚର୍ଚ୍ଚା । ଏହାରି ଭିତରେ ଯୋଜନାରେ ଅନ୍ତର୍ଗତ ବିଭିନ୍ନ ଚିକିତ୍ସା ପାଇଁ ସରକାରୀ ସହାୟତାକୁ ବଢାଇବାକୁ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ତାକୁ କାହିଁକି ବିଚାରକୁ ନିଆଯାଉନି ବୋଲି ପ୍ରଶ୍ନ ଉଠାଇଛି ଘରୋଇ ମେଡିକାଲ ମାଲିକ ସଂଘ ।

ଅଗଷ୍ଟ ୧୫ରେ ଘୋଷଣା ହେଲା, ୨୦ରେ ଲଞ୍ଚ୍ କରିବେ ମୁଖ୍ୟମନ୍ତ୍ରୀ । ୨୫ ତାରିଖ ସୁଦ୍ଧା ସମସ୍ତ ପଞ୍ଚାୟତରେ ବଣ୍ଟନ କାମ ସରିବାକୁ ଲକ୍ଷ୍ୟ । ଏଥିପାଇଁ ପଞ୍ଚାୟତଠୁ ବ୍ଲକ ସ୍ତରୀୟ କମିଟି ଏବଂ ପୌରାଞ୍ଚଳର ୱାର୍ଡ଼ ସ୍ତରରୁ ୟୁଏଲଟି କମିଟି ଗଠନ ହେବ । କମିଟି ଗୁଡ଼ିକରେ କିଏ କିଏ ରହିବେ ସେନେଇ ପ୍ରସ୍ତୁତ ହୋଇଛି ଏସ୍ଓପି । ଏହି କମିଟି ହିତାଧିକାରୀଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରି ଯୋଗ୍ୟଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିବେ । ନୂଅା ଗାଇଡଲାଇନ୍ ଅନୁସାରେ ରାଜ୍ୟର ସମସ୍ତ ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ବିପିଏଲ୍, ଅନ୍ତୋଦ୍ୟୟ, ଅନ୍ନପୂର୍ଣ୍ଣା ଓ ବିଜୁ କୃଷକ କଲ୍ୟାଣ ଯୋଜନାରେ ଥିବା ହିତାଧିକାରୀ ସେମାନଙ୍କ ପ୍ରମାଣପତ୍ର ଦେଖାଇ କାର୍ଡ ନେଇ ପାରିବେ । ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଏସ୍ଓପି ଅନୁସାରେ ଗ୍ରାମାଞ୍ଚଳରେ ବାର୍ଷିକ ଆୟ ୫୦ ହଜାରରୁ କମ୍ ଏବଂ ସହରାଞ୍ଚଳରରେ ୬୦ ହଜାରରୁ କମ୍ ଆୟ ଥିବା ବ୍ୟକ୍ତି ମଧ୍ୟ ପ୍ରମାଣପତ୍ର ଦେଖାଇ ଏହି କାର୍ଡ ନେଇପାରିବେ ।

ଏସ୍ଓପି ଅନୁସାରେ ସ୍ମାର୍ଟ କାର୍ଡ ପାଇବା ପରେ ହସ୍ପିଟାଲରେ ଅନ୍ୟ କୌଣସି ପ୍ରମାଣପତ୍ର ଦେଖାଇବା ଦରକାର ନାହିଁ । ୬୪ କେବିର ଏକ ଚିପ୍ ବେସଡ କାର୍ଡରେ ପରିବାର ପିଛା ୫ ଲକ୍ଷ ଏବଂ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏକ ୱାଲେଟ୍ ରହିବ, ଯାହାର ସମୟ ସୀମା ଏକ ବର୍ଷ ରହିବ । ସେପ୍ଟେମ୍ବରର ୧ରୁ ଲାଗୁ ହେବାକୁ ଥିବା ଏହି ଯୋଜନାରେ ଏହି ୱାଲେଟରେ ସମୟ ସୀମା ଅଗଷ୍ଟ ୩୧, ୨୦୨୨ ପର୍ଯ୍ୟନ୍ତ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଆପେ ଆପେ ରିନ୍ୟୁ ହୋଇଚାଲିବ । ତଥ୍ୟ ଅନୁସାରେ ଓଡିଶା ସମେତ ରାଜ୍ୟ ବାହାରର ୨୦୦ରୁ ଅଧିକ ବଡ ବଡ ହସ୍ପିଟାଲରେ ସ୍ୱାସ୍ଥ୍ୟ ସେବା ପାଇପାରିବ କାର୍ଡଧାରୀ ।

ଏନେଇ ରାଜ୍ୟ ଘରୋଇ ମେଡିକାଲ୍ ମାଲିକ ସଂଘର କହିବା କଥା ପୂର୍ବରୁ ଘରୋଇ ହସ୍ପିଟାଲଗୁଡିକରେ ଉପୁଜିଥିବା ବିଲ୍ ରିମ୍ବର୍ସମେଣ୍ଟ ସମସ୍ୟା ଅଧିକ ନ ରହିପାରେ । କାହିଁକି ନା ଘରୋଇ ମେଡିକାଲଗୁଡିକ ଚିକିତ୍ସା ବାବଦ ଅର୍ଥ ସିଧାସଳଖ ସରକାରଙ୍କଠାରୁ ପାଇବେ । ହେଲେ ସମସ୍ୟା ହେଉଛି ଯୋଜନାରେ ଥିବା ୧୫୮୯ ପ୍ରକାର ଚିକିତ୍ସା ବ୍ୟବସ୍ଥା, ଯେଉଁଥିରେ ଚିକିତ୍ସା ଖର୍ଚ୍ଚ ଠାରୁ ବହୁ କମ୍ ଟଙ୍କା ସ୍ଥିର କରାଯାଇଛି । ଏହି ସମସ୍ୟାର ସମାଧାନ ହେଲେ ହିଁ ହିତାଧିକାରୀମାନେ ଉପଯୁକ୍ତ ଚିକିତ୍ସା ପାଇପାରିବେ ବୋଲି ସଂଘ କହିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ନୂଆ ରୂପରେ ଲାଗୁ କରୁଛନ୍ତି ସରକାର । ରାଜ୍ୟର ପ୍ରାୟ ୯୬ ଲକ୍ଷ ପରିବାର , ସାଢେ ୩ କୋଟି ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିବେ ସରକାର । କାର୍ଡ ହେବା ପରେ ଯୋଜନାର ଚିତ୍ର କେତେ ବଦଳୁଛି ତାହା ଦେଖିବାର କଥା ।