• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଖଡିଆଳ (କୁନାଲ ଚରଣ ବେହେରା ) : ଖଟରେ ପଡ଼ି ପଡ଼ି ହାଡ଼ ଗଣି ହୋଇ ଗଲାଣି । ଉପରେ କେବଳ ଚର୍ମର ପରଦା ପଡ଼ିଛି । ନାହିଁନଥିବା ଯନ୍ତ୍ରଣା ଭୋଗୁଛନ୍ତି ମୁକୁନ୍ଦ ଭୋଇ । ପରିବାର ଚଳାଇବା ପାଇଁ ପର ଘରେ ମୂଲ ଲାଗୁଛି ଝିଅ । ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସରକାରୀ ସ୍ତରରେ ଅନେକ ପ୍ରକାର ବ୍ୟବସ୍ଥା କରାଯାଉଛି । କିନ୍ତୁ ସେ ଏହାର ସୁବିଧା ପାଇ ପାରୁନାହାନ୍ତି । ଫଳରେ ରୋଗକଷ୍ଟରେ ପଡ଼ି ହନ୍ତସନ୍ତ ହୋଇ ଜୀବନ କାଟୁଛନ୍ତି ।

୨୦୧୦ ମସିହାର କଥା । ଖଡିଆଳ ବ୍ଲକ ଦୋହେଲପଡା ପଞ୍ଚାୟତର ବହଲପଦର ଗ୍ରାମର ମୁକୁନ୍ଦ ଭୋଇ ସାଇକେଲରେ ଫେରୁଥାନ୍ତି । ହଟାତ ମୁଣ୍ଡ ବୁଲାଇ ହେବାରୁ ତଲେ ପଡିଗଲେ । ଅଚେତ ଅବସ୍ଥାରେ ତାଙ୍କୁ ଖଡିଆଳ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ହେଲେ ସେଠାରେ ସେ ଭଳ ହେବେ କ’ଣ, ପୁଣି ପକ୍ଷାଘାତ ରୋଗର ଶିକାର ହୋଇଗଲେ । ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ବୁର୍ଲା ନିଆଗଲା । ଧିରେ ଧିରେ ସ୍ୱାଭାବିକ ଅବସ୍ଥାକୁ ଫେରିଆସିଲେ ମୁକୁନ୍ଦ । ଚଲାବୁଲା କରିବା ଆରମ୍ଭ କଲେ । ହେଲେ ୨୦୧୫ ମସିହାରେ ପୁଣିଥରେ ପକ୍ଷାଘାତ ହେବାରୁ ଶଯ୍ୟାଶାୟୀ ହୋଇ ପଡ଼ି ରହିଛନ୍ତି ।

ପରିବାରର ସବୁ ଦାୟିତ୍ୱ ଏବେ ସ୍ତ୍ରୀ ଗୌରୀ ଓ ଝିଅ ଗୋମତୀଙ୍କ ମୁଣ୍ଡ ଉପରେ । ମୁକୁନ୍ଦ ଏବେ ଖଟରେ ପଡ଼ି ପଡ଼ି ଖାଇବା ସହ ଶୌଚ କରୁଥିବାରୁ ସ୍ତ୍ରୀ ଗୌରୀ ସବୁବେଳେ ସ୍ୱାମୀଙ୍କ ସେବାରେ ବ୍ୟସ୍ତ । ଝିଅ ଗୋମତୀ ପର ଘରେ ଖଟି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି, ସେଥିରେ ପରିବାର ଚଳୁଛି ।

ତେବେ ମୁକୁନ୍ଦଙ୍କୁ ମାସି ୫୦୦ ଟଙ୍କା ଭତ୍ତା ମିଳୁଥିବା ବେଳେ ଅନ୍ତୋର୍ଦୟ କାର୍ଡରେ ୩୫ କେଜି ଚାଉଳ ମିଳୁଛି । ସେପଟେ ଏନେଇ ଖଡିଆଳ ଉପଖଣ୍ଡ ଡାକ୍ତର ଇନଚାର୍ଜ ଡ. ଦୀନବନ୍ଧୁ ମହାନନ୍ଦଙ୍କୁ ପଚାରିବାରୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିବା ସହ ତାଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା କରାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।