• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଖସିପଡ଼ିଲେ, ମେରୁଦଣ୍ଡ ହାଡ଼ ଭାଙ୍ଗିଗଲା

  • ଏବେ ବିଭାଗ କହୁଛି, ସେ ଆମ କର୍ମଚାରୀ ନୁହଁ

  • ମନମୁଣ୍ଡା ବିଦ୍ୟୁତ ବିଭାଗରେ ଠିକା ଲାଇନମେନ ଭାବରେ କାମ କରୁଥିଲେ ମନୋଜ

  •  ଘରେ ଦୁଇ ବର୍ଷର ପୁଅ, କୁଲିମଜୁରୀ କରି ପରିବାର ଚଳାଉଛି ସ୍ତ୍ରୀ

କଣ୍ଟାମାଳ(ରବୀନ୍ଦ୍ର ହୋତା) : ଯେଉଁ ବୟସରେ ଘର ସଂସାର କରିବା କଥା, ସେହି ବୟସରେ ସେ ଏବେ ଶଯ୍ୟାଶାୟୀ । ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ସମୟରେ ଦୁର୍ଘଟଣାରେ ମେରୁଦଣ୍ଡ ହାଡ ଭାଙ୍ଗିଯିବା ପରେ ଚାଲିବୁଲି ପାରୁନାହାନ୍ତି । ବିଭିନ୍ନ ସ୍ଥାନରୁ ଚିକିତ୍ସା କଲେ ମଧ୍ୟ ଭଲ ନହେବାରୁ ଶେଷରେ ଘରେ ପଡ଼ି ରହିଛନ୍ତି । ଅର୍ଥ ଅଭାବରୁ ଚିକିତ୍ସା ହୋଇ ପାରୁନି । ଗୋଟିଏ ଛୋଟ ପୁଅ ଓ ସ୍ତ୍ରୀଙ୍କୁ ନେଇ ଦୁଃଖରେ ଜୀବନ ଜିଉଁଛନ୍ତି ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଖଟଖଟିଆ ପଂଚାୟତ ଶଙ୍କରପୁର ଗ୍ରାମର ମନୋଜ ପ୍ରଧାନ।

ବେଶ ହସଖୁସିରେ ଚାଲିଥିଲା ସଂସାର । ହେଲେ ଦୁର୍ଘଟଣା ବଦଳାଇ ଦେଲା ଜୀବନର ମୋଡ଼ । ମନମୁଣ୍ଡା ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବରେ ଲାଇନମେନ ଭାବରେ କାମ କରୁଥିଲେ ମନୋଜ । ହେଲେ ବିଦ୍ୟୁତ ଖୁଣ୍ଟରେ ଚଢି କାମ କରୁଥିବା ବେଳେ ଲାଇନ ଚାର୍ଜ ହୋଇଯିବାରୁ  ଖୁଣ୍ଟରୁ ପଡି ମେରୁଦଣ୍ଡ ହାଡ଼ ଭାଙ୍ଗିଗଲା । ବିଭିନ୍ନ ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କଲେ ହେଲେ ମଧ୍ୟ ଭଲ ହେଲାନାହିଁ ।

ଘରେ ଯାହା କିଛି ଟଙ୍କା ସୁନା ଜମିବାଡ଼ି ଥିଲା ବନ୍ଧକ ରଖି ଖର୍ଚ୍ଚ କଲେ । ହେଲେ ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ନପାରି ଏବେ ସେ ଶଯ୍ୟାଶାୟୀ । ସ୍ତ୍ରୀ ସୁପ୍ରିୟା ଏବେ ସ୍ୱାମୀଙ୍କ ସବୁ ସେବା କରୁଛନ୍ତି । ଖାଇବା ପିଇବା ଠାରୁ ଆରମ୍ଭ କରି ସବୁକିଛି । ହୁଇଲ ଚେୟାରରେ ଯିବାଆସିବା କରୁଛନ୍ତି ମନୋଜ୍ । ରୋଜାଗାରିଆ ସ୍ୱାମୀ ଏପରି ଅବସ୍ଥାରେ କିପରି ପରିବାର ଚଲାଇବେ ଘାଣ୍ଟି ହେଉଛନ୍ତି ସ୍ତ୍ରୀ । ଦୁଇ ବର୍ଷର ପୁଅକୁ କିପରି ବଡ଼ କରିବେ, ସେନେଇ ଚିନ୍ତାରେ ଅଛନ୍ତି ? ଭଗବାନ ମଣିଷକୁ ଏମିତି ଦୁଃଖ ନ ଦିଅନ୍ତୁ ।

ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ତାଙ୍କର ଏପରି ହୋଇଥିବା କହିଛନ୍ତି ମନୋଜ । ଯୁବା ବୟସରେ ଏପରି ବିଛଣାରେ ପଡ଼ିଥିବା ଯୋଗୁଁ ଏବେ ତାଙ୍କ ଲାଗି ଏକମାତ୍ର ଭରସା ହୁଇଲ ଚେୟାର । ସ୍ତ୍ରୀ ନିଜ ଛୁଆକୁ ଯତ୍ନ ସହ ସ୍ୱାମୀକୁ ଦେଖୁଛନ୍ତି । କୁଲିମଜୁରୀ କରି ପରିବାର ଚଳାଉଛନ୍ତି । ମନୋଜ ଯେଉଁ ବିଦ୍ୟୁତ ବିଭାଗରେ କାମ କରୁଥିଲା ସେହି ବିଭାଗ କିନ୍ତୁ କିଛି ସାହାଯ୍ୟ କରିନାହିଁ । ଫଳରେ ସେ ଭାଗ୍ୟକୁ ଆଦରି ପଡି ରହିଛନ୍ତି । ସରକାରଙ୍କ ପକ୍ଷରୁ ତାଙ୍କୁ କେବଳ ହୁଇଲ ଚେୟାର ଛଡା ଅନ୍ୟ କିଛି ସାହାଯ୍ୟ ମିଳିନାହିଁ। ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ସେ ଆମର କର୍ମଚାରୀ ନୁହଁନ୍ତି ବୋଲି କହିଛନ୍ତି । ତେଣୁ ସରକାରୀ ସହାୟତା ମିଳିପାରିବ ନାହିଁ ବୋଲି କହିଛନ୍ତି ।

ଯଦି କୌଣସି ବଦାନ୍ୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି। ତେବେ ଠିକଣା ହେଲା

ନାମ-ମନୋଜ ପ୍ରଧାନ

ପିତା-ଲଳିତ ପ୍ରଧାନ

ଗ୍ରାମ-ଶଙ୍କରପୁର

ପୋଷ୍ଟ-ଖଟଖଟିଆ

ଜିଲ୍ଲା- ବୌଦ୍ଧ, ପିନ- 762030

ମୋ ନଂ-8018186393

Account No- 38044930024

IFSC code-SBIN0017547