• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାଜପୁର(ସଂଜୀବ୍ ନାୟକ) : ମୋ ଶଙ୍ଖା ସିନ୍ଦୂରକୁ ବଞ୍ଚେଇ ଦିଅ । ମୋ ସ୍ୱାମୀଙ୍କୁ ଯେଉଁ ରୋଗ ହୋଇଛି, ମୁଁ ଭଲ କରିପାରିବି ନାହିଁ । ଭୁବନେଶ୍ୱର, କଟକ ବୁଲି ବୁଲି ନିରାଶ ହୋଇଗଲିଣି । ଦୟାକରି ମୋତେ ସରକାର ସାହାଯ୍ୟ କରନ୍ତୁ କହି ଗୁହାରୀ କରୁଛନ୍ତି କ୍ୟାନସର ପୀଡ଼ିତ ସ୍ୱାମୀର ଅଭାଗିନୀ ସ୍ତ୍ରୀ ।

କ୍ୟାନସର୍‌ ରୋଗ ପାଇଁ ପୂରା ପରିବାର କଲବଲ ହେଉଛି । ଘରେ ଚୁଲି ଜଳୁନି । ରୋଜଗାରିଆ ମଣିଷଟି ବିଛଣାରେ ପଡ଼ି ପଡ଼ି ମୃତ୍ୟୁକୁ ଅପେକ୍ଷା କରିଛି । ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା ପାନକ୍ରିଆଜ୍ କ୍ୟାନସରରେ ପୀଡିତ । ଗରିବ ଓ ଦିନ ମଜୁରିଆ ଭାବେ କାମ କରୁଥିବା ମଣିଷ ଜଣକ ଅର୍ଥ ଅଭାବରୁ ଚିକିତ୍ସିତ ହୋପାରୁନାହାନ୍ତି । ଆଉ ଘର କୋଣରେ ପଡ଼ି ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗ୍ରାମବାସୀ ଓ ସହୃଦୟ ବ୍ୟକ୍ତି ଯାହା ଦାନ କରୁଛନ୍ତି ସେଥିରେ ମନ ବୁଝିବାକୁ ହିଁ ଚିକିତ୍ସା ହେଉଛି । ଅପରେସନ ଲାଗି ଅର୍ଥ ଯୋଗାଡ ହୋଇ ନପାରିବାରୁ କିପରି ସୁସ୍ଥ ହେବେ ଚାନ୍ଦମଣି ଚିନ୍ତାରେ ପରିବାର ।

ବିଝାଂରପୁର ବ୍ଲକ ଚିକ୍କଣା ପଂଚାୟତ ଲେଙ୍କା ସାହିର ଚାନ୍ଦମଣି ଜେନା । ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ତାଙ୍କ ପରିବାର । ସେ ସାଇକେଲ ରିପ୍ୟାରିଂ ଦୋକାନ କରିବା ସହ ଦିନ ମଜୁରିଆ ଭାବେ ଖଟୁଥିଲେ । ସେଥିରେ ଯାହା ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ଦୁଃଖେ ସୁଖେ ପରିବାର ଚଳୁଥିଲା । ହେଲେ ସୁଖର ସଂସାରରେ କଳାବାଦଲ ଘୋଟିଦେଲା ମାରାତ୍ମକ ରୋଗ । ଚାନ୍ଦମଣିଙ୍କ ଦେହ ହଠାତ୍ ଖରାପ ହୋଇଗଲା ।

ପ୍ରଥମେ ଯାଜପୁର ପରେ କଟକ ନେବା ପରେ ଜଣା ପଡିଥିଲା ତାଙ୍କୁ ପାନକ୍ରିୟାସ କ୍ୟାନସର ହୋଇଛି । ତାପରେ ତାଙ୍କୁ ଏମସରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅପରେସନ ଲାଗି ତାରିଖ ଧାର୍ଯ୍ୟ କରିଥିଲେ ବି ଅର୍ଥ ବାଧକ ସାଜିଥିବାରୁ ଅପରେସନ ଅଟକି ଯାଇଛି । ସ୍ପଳ୍ପ ସମ୍ବଳରେ କଟକ, ଭୁବନେଶ୍ୱର ଦୌଡ଼ି ଦୌଡ଼ି ପରିବାର ଲୋକ ଥକି ଗଲେଣି । ଆଉ ଡାକ୍ତରଖାନା କରି ତାଙ୍କୁ ଭଲ କରି ଆଣିବାକୁ ଆଉ ପାଖରେ ପଇସା ନାହିଁ । ୩ ମାସ ହେବ ଅସୁସ୍ଥ ହୋଇ ଚାନ୍ଦମଣି ବିଛଣାରେ ପଡିଛନ୍ତି ।

ବାପାଙ୍କୁ କ୍ୟାନସର୍ ହେବା ପରେ ଏକ ମାତ୍ର ପୁଅର ପାଠପଢା ଡୋରି ବନ୍ଧାହେଲା । ସେ ଏବେ ପରିବାରକୁ ସାହାଯ୍ୟ କରିବା ପାଇଁ ବାହାରକୁ କାମ କରିବାକୁ ଯାଇଛି । ପରିବାର ଲୋକେ ଆର୍ଥିକ ସହାୟତା ଲାଗି ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେବି କିଛି ସୁଫଳ ମିଳିନଥିବା କହିଛନ୍ତି । ଚାନ୍ଦମଣିଙ୍କ ଦେହ ଖରାପ ହେବା ପରେ ଗ୍ରାମବାସୀ ଓ ସହୃଦୟ ବ୍ୟକ୍ତି ଯାହା ଅର୍ଥ ସହାଯ୍ୟ କରିଥିଲେ ପରିବାର ଲୋକେ । ହେଲେ ସେତିକିରେ ଚିକିତ୍ସା କରିବା ସମ୍ଭବ ନୁହେଁ ।

ସେପଟେ ଓଟିଭି ଟିମ ଏହି ଖବର ସଂଗ୍ରହ କରୁଥିବା ଖବର ପାଇ ପହଞ୍ଚିଥିଲେ କିଛି ବଦାନ୍ୟ ବ୍ୟକ୍ତି । ତତକ୍ଷଣାତ ୧୦ ହଜାର ଟଙ୍କା ସହାୟତା କରିଛନ୍ତି ବରୁଣେଶ୍ୱର କଲେଜ ଅଧ୍ୟାପକ ରାଜା ସାର । ଆଉ ସେ ବି ଜିଲ୍ଲା ପ୍ରସାସନ ଓ ସରକାରଙ୍କୁ ନିବେଦନ କରିଛନ୍ତି ଚାନ୍ଦମଣିକୁ ସହାୟତା କରିବା । ଏହି ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେବା ସହ ବିଝାଂରପୁର ବିଡିଓଙ୍କୁ ଯାଜପୁର ଅତିରିକ୍ତ ଜିଲ୍ଲାପାଳ । ତେବେ ସରକାରୀ ସାହାଯ୍ୟ ଓ ଜିଲ୍ଲାପ୍ରଶାସନ ଦେଇଥିବା ପ୍ରତିଶୃତି ରଖିଲେ ଚାନ୍ଦମଣି ସୁସ୍ଥ ହେବା ସହ ମୀନତିଙ୍କ ପରିବାର ସଜାଡ଼ି ହୋଇଯାଆନ୍ତା ।