• translate
Satyendu Shekher Mishra

ଆଇନର ଶାସନ ଓ ଦଳୀୟ ଅମଲାତନ୍ତ୍ର । ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ପୃଷ୍ଟିଙ୍କ ସ୍ୱତନ୍ତ୍ର ଆଲେଖ୍ୟ ।

୨୦୨୧ ଅଗଷ୍ଟ ୨୬ ତାରିଖରେ ଗୋଟିଏ ମାମଲାର ଶୁଣାଣି କରି ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଓଡ଼ିଶା ସମେତ ଭାରତର ଅନ୍ୟ ସମସ୍ତ ପ୍ରଦେଶ ତଥା କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବର୍ଗର ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପ୍ରଣିଧାନଯୋଗ୍ୟ। ସରକାରୀ କର୍ମଚାରୀମାନେ ଶାସକ ଦଳ ପାଇଁ କାମ କରିବା କିପରି ସଂପୃକ୍ତ କର୍ମଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ସେଇ କଥା ମନେ ପକାଇ ଦେଇଛନ୍ତି ସୁପ୍ରିମ କୋର୍ଟ। ଏହା ମଧ୍ୟ ଭାରତର ସାମ୍ବିଧାନିକ ଗଣତନ୍ତ୍ର ପାଇଁ ଚିନ୍ତାଜନକ ବୋଲି କୋର୍ଟ ହୃଦବୋଧ କରିଛନ୍ତି।

ମାମଲାଟି ଦାଏର କରିଛନ୍ତି ଛତିଶଗଡ଼ର ଆଇପିଏସ ଅଫିସର ଗୁରଜିନ୍ଦର ପାଲ୍‌ ସିଂହ। ସେ ୧୯୯୪ ବ୍ୟାଚ୍‌ର ଜଣେ ଆଇପିଏସ। ତାଙ୍କ ବିରୋଧରେ ଛତିଶଗଡ଼ ସରକାର ସେଡିସନ୍‌ ବା ଦେଶଦ୍ରୋହ ଅଭିଯୋଗ ଆଣିଛନ୍ତି। ଏହା ବିରୋଧରେ ସେ ସୁପ୍ରିମ କୋର୍ଟ ଯାଇଛନ୍ତି। କଥା ହେଉଛି, ଛତିଶଗଡ଼ରେ ଏବେ କଂଗ୍ରେସ ଦଳର ସରକାର କାମ କରୁଛି। ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୂପେନ୍ଦ୍ର ସିଂହ ବାଘେଲ। ତାଙ୍କ ପୂର୍ବରୁ ଛତିଶଗଡ଼ରେ ବିଜେପି ସରକାର ଥିଲା। ଗୁରଜିନ୍ଦର ପାଲ ସିଂହ ବିଜେପି ସରକାରର ଘନିଷ୍ଟ ଥିଲେ। ସେ ସେହି ଦଳର ସରକାରଙ୍କ କଥା ମାନି ଅନେକ କାମ କରିଥିଲେ। ତେଣୁ ଏବେକାର କଂଗ୍ରେସ ସରକାର ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ଏପରିକି କଂଗ୍ରେସ ସରକାରଙ୍କୁ ଅପଦସ୍ତ କରିବା ପାଇଁ ସେ ଷଡ଼ଯନ୍ତ୍ର ରଚନା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ସେଇଥିପାଇଁ ତାଙ୍କ ବିରୋଧରେ ସେଡିସନ ଅଭିଯୋଗ ଦାଏର ହୋଇଛି। ସେଡିସନ୍‌କୁ ଦେଶଦ୍ରୋହ କୁହାଯାଉଛି ଯେତେବେଳେ କି ବାସ୍ତବରେ ଏପରି କାର୍ଯ୍ୟ ହେଉଛି ରାଜଦ୍ରୋହ। ରାଜା ଓ ଦେଶ ଏକା କଥା ନୁହେଁ। ସେ ଯାହା ବି ହେଉ, ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରମନ୍ନା ଓ ବିଚାରପତି ସୂର୍ଯ୍ୟକାନ୍ତ ଏହି ମାମଲାର ଶୁଣାଣି କରି ଏଭଳି ମାମଲା ଦେଶରେ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରିଛନ୍ତି। ସରକାରୀ କର୍ମଚାରୀମାନେ କିପରି ଶାସକ ଦଳ ପାଇଁ କାମ କରୁଛନ୍ତି ଓ ସରକାର ବଦଳିଗଲେ ଅନ୍ୟ ଦଳର ସରକାର ଦ୍ୱାରା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେ ସଂପର୍କରେ ବିଚାରପତି ଦ୍ୱୟ ମନ୍ତବ୍ୟ ଦେଇ ଅନ୍ୟମାନଙ୍କର ଆତ୍ମମନ୍ଥନ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି।

ଭାରତର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ଦେଶରେ ଆଇନର ଶାସନ ଚାଲିବା ଉଚିତ। ଆଇନର ଶାସନ ହିଁ ଗଣତନ୍ତ୍ର। ଦେଶର ଜନ ପ୍ରତିନିଧିମାନେ ସଂସଦ ବା ବିଧାନସଭାରେ ଆଇନ ପ୍ରଣୟନ କରିଥାନ୍ତି। ଏହି ଆଇନକୁ କାର୍ଯ୍ୟକାରୀ କରିଥାଏ ପ୍ରଶାସନ। ପ୍ରଶାସନରେ ଆଇଏଏସ, ଆଇପିଏସ, ଆଇଏଫଏସ ଆଦି ବର୍ଗର ସର୍ବଭାରତୀୟ ସ୍ତରୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟ ସ୍ତରୀୟ ପ୍ରାଶାସନିକ ଅଧିକାରୀ ଓ ଅନ୍ୟମାନେ ରହିଥାନ୍ତି। କହିବାକୁ ଗଲେ ସର୍ବନିମ୍ନ ସ୍ତରର କର୍ମଚାରୀଙ୍କଠାରୁ ଆରମ୍ଭ କରି ସର୍ବୋଚ୍ଚ ସ୍ତରୀୟ ଅଧିକାରୀଙ୍କୁ ନେଇ ଗଠିତ ଅମଲାତନ୍ତ୍ରକୁ ପ୍ରଶାସନ କୁହାଯାଏ। ଏହି ପ୍ରଶାସନ ବା ଅମଲାତନ୍ତ୍ର ଦେଶ ଓ ରାଜ୍ୟର ଆଇନକାନୁନ ଅନୁସାରେ ପ୍ରଶାସନ ପରିଚାଳନା କରିବା କଥା।

କିନ୍ତୁ ଅନେକ ସମୟରେ କ’ଣ ହୁଏ ନା ସରକାରୀ କର୍ମଚାରୀମାନେ ଶାସନରେ ଥିବା ଦଳର ନେତାମାନଙ୍କ କଥା ଅନୁସାରେ କାମ କରିଥାନ୍ତି। ସରକାରଙ୍କ କାର୍ଯ୍ୟନିର୍ବାହୀ କହିଲେ ସ୍ଥଳ ବିଶେଷରେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କୁ ବୁଝାଇଥାଏ। ସେମାନେ ଏକ ନିର୍ଦ୍ଦିଷ୍ଟ ଦଳ ବା ମେଣ୍ଟର ସଦସ୍ୟ ହୋଇଥାନ୍ତି। ସେମାନେ ହେଉଛନ୍ତି ପ୍ରତ୍ୟକ୍ଷ ଏବଂ/ବା ପରୋକ୍ଷରେ ଜନତାଙ୍କ ଦ୍ୱାରା ନିର୍ବାଚିତ ଜନ ପ୍ରତିନିଧି। ସେମାନେ ବ୍ୟବସ୍ଥାପକ ଭାବେ ହିଁ ସରକାରର କାର୍ଯ୍ୟନିର୍ବାହୀ। ତେବେ ସମସ୍ତ ବ୍ୟବସ୍ଥାପକ ବା ଜନ ପ୍ରତିନିଧି ସରକାରଙ୍କର କାର୍ଯ୍ୟନିର୍ବାହୀ ନୁହନ୍ତି। ସରକାରୀ କର୍ମଚାରୀମାନେ କାର୍ଯ୍ୟନିର୍ବାହୀଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ପ୍ରାୟତଃ ବାଧ୍ୟ। କାରଣ ତାହା ହିଁ ଗଣତନ୍ତ୍ର। ଗଣଙ୍କ ଦ୍ୱାରା ନିର୍ବାଚିତ ଜନ ପ୍ରତିନିଧିଙ୍କୁ ନେଇ ଗଠିତ କାର୍ଯ୍ୟନିର୍ବାହୀ ହିଁ ଶାସନ ମୁଖ୍ୟ। ତେଣୁ ସେମାନଙ୍କ ଆଦେଶ ପାଳନ କରିବା ଅମଲାତନ୍ତ୍ରର ଦାୟିତ୍ୱ ଓ କର୍ତ୍ତବ୍ୟ। ମାତ୍ର, ସେମାନେ ତାହା ପାଳନ କରିବା ସମୟରେ ଦେଶ ଓ ରାଜ୍ୟର ଆଇନକାନୁନ ପ୍ରତି ଆଖି ବୁଜିଦେବା ଅକର୍ତ୍ତବ୍ୟ ଓ ଦାୟିତ୍ୟହୀନତା। ମନ୍ତ୍ରୀମାନଙ୍କର କୌଣସି ମୌଖିକ ଆଦେଶ ମାନିବାକୁ ଅଧିକାରୀ ଓ କର୍ମଚାରୀମାନେ ବାଧ୍ୟ ନୁହନ୍ତି। ସେମାନେ ଲିଖିତ ଆଦେଶ ଦେଲେ ବି ତାହା ଯଦି ପ୍ରଚଳିତ ଆଇନ ଓ ନିୟମର ଉଲ୍ଲଙ୍ଘନ କରୁଥାଏ ତେବେ ସଂପୃକ୍ତ ଆଇନ ଓ ନିୟମ ଦର୍ଶାଇ ବିନମ୍ରତାର ସହିତ ସେଭଳି ଆଦେଶକୁ ପ୍ରତ୍ୟାଖ୍ୟାନ କରିବାକୁ ଅଧିକାରୀ ଓ କର୍ମଚାରୀମାନଙ୍କର ଅଧିକାରୀ ରହିଛି।

କାରଣ ଅମଲାତନ୍ତ୍ରର ସଦସ୍ୟମାନେ ମନ୍ତ୍ରୀ କିମ୍ବା କୌଣସି ଦଳୀୟ ନେତାଙ୍କର କର୍ମଚାରୀ ନୁହନ୍ତି। ସେମାନେ ଜନ ସାଧାରଣଙ୍କର ସେବକ ବା ପବ୍ଲିକ ସର୍ଭାଣ୍ଟ। ଜନ ସାଧାରଣଙ୍କ ଭୋଟ୍‌ରେ ସରକାର ଗଢ଼ାଯାଏ, ଜନ ସାଧାରଣଙ୍କ ନୋଟ୍‌ ବା ଟିକସ ଅର୍ଥରେ ସରକାର ଚାଲେ। ସେହି ଟିକସ ଅର୍ଥରୁ ଅମଲତନ୍ତ୍ରର ସଦସ୍ୟମାନେ ଦରମା ଓ ଭତ୍ତା ଆଦି ପାଇଥାନ୍ତି। ଏହି କାରଣରୁ ଦେଶର ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପିଅନ୍‌ଙ୍କ ଯାଏଁ ସମସ୍ତେ ହେଉଛନ୍ତି ଜନ ସାଧାରଣଙ୍କର ସେବକ। ଜନତାଙ୍କ ସେବକ ହିସାବରେ ସେମାନଙ୍କର ପରମ ଦାୟିତ୍ୱ ଓ କର୍ତ୍ତବ୍ୟ ହେଉଛି ଜନତାଙ୍କର ମଙ୍ଗଳ କରିବା ଓ ସେମାନଙ୍କର ସ୍ୱାର୍ଥ ସୁରକ୍ଷିତ ରଖିବା। ନେତା ଓ ଅମଲାମାନଙ୍କୁ ପୋଷିବାକୁ ବା କ୍ଷମତାସୀନ କରିବାକୁ ବା ସେମାନଙ୍କ ସମେତ ସେମାନଙ୍କର ନିଜ ଲୋକମାନଙ୍କୁ ଧନକୁବେର କରିବାକୁ ଲୋକମାନେ ଦେଶ ଓ ସରକାର ଗଠନ କରିନାହାନ୍ତି। ଦେଶ ଓ ସରକାର ଗଠିତ ହୋଇଛି ଜନ ସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ, ସେମାନଙ୍କର ହିତ ସାଧନ ପାଇଁ। ସେହି ଉଦ୍ଦେଶ୍ୟ ନେଇ ହିଁ ଦେଶ ଓ ରାଜ୍ୟର ସମସ୍ତ ଆଇନକାନୁନ ପ୍ରଣୀତ ହୋଇଥାଏ। ସାଧାରଣ ଜନତାଙ୍କର ଅମଙ୍ଗଳ କରିବା ଉଦ୍ଦେଶ୍ୟ ନେଇ କୌଣସି ଆଇନ ପ୍ରଣୀତ ହୋଇନଥାଏ।

ଗଣତନ୍ତ୍ରର ଏହି ମୂଲ୍ୟବୋଧକୁ ରାଷ୍ଟ୍ରମୁଖ୍ୟଙ୍କଠାରୁ ଆରମ୍ଭ କରି ପଞ୍ଚାୟତ ପିଅନ ସମସ୍ତେ ମାନି ଚଳିବା ଉଚିତ। ଯିଏ ଏହି ମୂଲ୍ୟବୋଧକୁ ଅନୁସରଣ କରୁନାହିଁ ସେ ହିଁ ପ୍ରକୃତ ଦେଶଦ୍ରୋହୀ। ସେଭଳି ଅଧିକାରୀ, କର୍ମଚାରୀ ଓ ମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଦାଏର ହେବା କଥା।

ତେବେ, ଅନେକ ସମୟରେ ଏଭଳି ଆଦର୍ଶ ସରକାର ଗଢ଼ା ହୋଇନଥାଏ କି ଏଭଳି ଆଦର୍ଶ ଅମଲାତନ୍ତ୍ର କାର୍ଯ୍ୟ କରେ ନାହିଁ। ଉଭୟର କାରଣ ଗୋଟିଏ- ବ୍ୟକ୍ତିଗତ ସ୍ୱାର୍ଥ ଓ କ୍ଷମତା। ମନ୍ତ୍ରୀମାନେ ଦଳୀୟ ବା ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ଭଳି ଅମଲାତନ୍ତ୍ରର ସଦସ୍ୟମାନେ ମଧ୍ୟ ସେଭଳି ସ୍ୱାର୍ଥ ଓ କ୍ଷମତାର ଲୋଭ ଓ ମୋହରୁ ଊର୍ଦ୍ଧ୍ୱକୁ ଉଠିପାରି ନଥାନ୍ତି। ଯେଉଁଥିପାଇଁ ସେମାନେ ଅନେକ ସମୟରେ ଦୁର୍ନୀତି, ଅନୀତି, ଅନ୍ୟାୟ ଆଦି କରିବାକୁ ପଛେଇ ନଥାନ୍ତି। ଏକଥା ସବୁ ମନ୍ତ୍ରୀ ଜାଣିଥାନ୍ତି ଯେ ଅମଲାତନ୍ତ୍ର ଯଦି ସ୍ୱଚ୍ଛ ଓ ନୀତିନିଷ୍ଠ ରହିବ ତେବେ ସେମାନେ କୌଣସି ପ୍ରକାଣ ଦୁର୍ନୀତି ଓ ପକ୍ଷପାତ କରିପାରିବେ ନାହିଁ। ଏକଥା ସବୁ ଅମଲା ମଧ୍ୟ ଜାଣିଥାନ୍ତି ଯେ ସେମାନଙ୍କ ବିନା ସହଯୋଗରେ କୌଣସି ମନ୍ତ୍ରୀ କୌଣସି ଭାବେ ଦୁର୍ନୀତି ଓ ପକ୍ଷପାତ କରିପାରିବେ ନାହିଁ। ଏହି ହେତୁରୁ କାର୍ଯ୍ୟନିର୍ବାହୀର ଏହି ସଦସ୍ୟମାନେ ପରସ୍ପରର ସ୍ୱାର୍ଥ ଓ କ୍ଷମତା ଲାଳସା ଚରିତାର୍ଥ କରିବାକୁ ଏକଜୁଟ୍‌ ହୋଇଥାନ୍ତି। ଅମଲାତନ୍ତ୍ରର ସଂପୃକ୍ତି ବିନା ଲକ୍ଷଲକ୍ଷ ଟଙ୍କାର ଖଣିଜ ପଦାର୍ଥ ଲୁଟ୍‌ ହୋଇପାରିବ ନାହିଁ। ଅମଲାତନ୍ତ୍ରର ବିନା ସହଯୋଗରେ ହଜାର ହଜାର କୋଟି ଟଙ୍କାର ଚିଟ୍‌ ଫଣ୍ଡ ଠକେଇ ହୋଇପାରିବ ନାହିଁ। ସରକାରରେ ଘଟୁଥିବା ସବୁ ଦୁର୍ନୀତି, ଲୁଟ୍‌, ଶୋଷଣ, ପକ୍ଷପାତ, ଠକେଇ ଆଦି ପାଇଁ କାର୍ଯ୍ୟନିର୍ବାହୀର ଏ ଦୁଇ ବର୍ଗର ସଦସ୍ୟମାନେ ମିଳିତ ଭାବେ ଦାୟୀ।

ତେବେ, ଆମ ବ୍ୟବସ୍ଥାରେ ଆଇନର ଶାସନକୁ ସୁଦୃଢ଼ କରିବା ପାଇଁ ଅର୍ଥାତ ଶାସନକଳକୁ ଜନ ସାଧାରଣଙ୍କ ମଙ୍ଗଳ ନିମନ୍ତେ ଉତ୍ସର୍ଗୀକୃତ ଭାବେ ପରିଚାଳିତ କରିବା ପାଇଁ ଅମଲାତନ୍ତ୍ରକୁ ସ୍ଥାୟୀ ଓ ନିର୍ବାଚିତ ସରକାରକୁ ଅସ୍ଥାୟୀ ବା ସମୟାବଦ୍ଧ କରାଯାଇଛି। ଅମଲାତନ୍ତ୍ରର ସଦସ୍ୟମାନେ ଅବସର ନେବା ଯାଏଁ କାର୍ଯ୍ୟ କରିଥାନ୍ତି ଓ ସେହି ଅନୁସାରେ ବାର୍ଷିକ ପଦୋନ୍ନତି, ବେତନୋନ୍ନତି, ମହଙ୍ଗା ଭତ୍ତା ଆଦି ସୁବିଧା ସହିତ ଅବସର ପରେ ଭତ୍ତା ପାଇଥାନ୍ତି। ସେମାନଙ୍କ କାର୍ଯ୍ୟକାଳ ୩୦ ବର୍ଷ ବା ସ୍ଥଳ ବିଶେଷରେ ୫୮ ବା ୬୦ ବର୍ଷ। ଅନ୍ୟପକ୍ଷରେ ମନ୍ତ୍ରୀ ଓ ବିଧାୟକ ବା ସାଂସଦଙ୍କର କାର୍ଯ୍ୟକାଳ ସର୍ବାଧିକ ୫ ବର୍ଷ। ଜନ ସାଧାରଣଙ୍କୁ ପ୍ରତି ୫ ବର୍ଷରେ ଥରେ ସରକାର ବଦଳାଇବାର ସୁଯୋଗ ମିଳେ। ସରକାର ଯଦି ଭଲ କାମ କରିଥାଏ ଲୋକେ ତାହାକୁ ଆଉ ଥରେ ନିର୍ବାଚିତ କରିପାରନ୍ତି। ସରକାର ଯଦି ଜନବିରୋଧୀ କାର୍ଯ୍ୟ କରିଥାଏ ତେବେ ସରକାର ବଦଳାଇବାକୁ ଜନ ସାଧାରଣଙ୍କର ସମସ୍ତ ଅଧିକାର ଓ ସ୍ୱାଧୀନତା ରହିଛି। କିନ୍ତୁ ଅମଲାତନ୍ତ୍ରକୁ ବଦଳାଇବାକୁ ବା ନିର୍ଦ୍ଦିଷ୍ଟ କୌଣସି ଅଧିକାରୀଙ୍କୁ ବଦଳାଇବାକୁ ଜନ ସାଧାରଣଙ୍କର କ୍ଷମତା ନଥାଏ। ସେଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦରକାର ହୋଇଥାଏ। ଏପରିକି ମନ୍ତ୍ରୀମାନେ ଚାହିଁଲେ ମଧ୍ୟ ନିଜ ମର୍ଜି ଅନୁସାରେ କୌଣସି ଅଧିକାରୀ ବା କର୍ମଚାରୀଙ୍କର ଚାକିରି ନେଇପାରିବେ ନାହିଁ। ମନ୍ତ୍ରୀଙ୍କ ଆଦେଶ ନମାନିବା ଅମଲାତାନ୍ତ୍ରିକ ଭାଷାରେ ଇନ୍‌ସବର୍ଡିନେସନ୍‌ ବା ଉପରିସ୍ଥ ଅଧିକାରୀଙ୍କ ଆଦେଶ ଉଲ୍ଲଙ୍ଘନ ହୋଇପାରେ, ମାତ୍ର ଯଦି ସେଭଳି ଆଦେଶ ଉଲ୍ଲଙ୍ଘନ ଦେଶ ବା ରାଜ୍ୟର ଆଇନ ଓ ନିୟମ ଅନୁସାରେ ହୋଇଥାଏ ତେବେ ତାହା ଆଇନ ପ୍ରତି ନିଷ୍ଠା ଭାବେ ମାନ୍ୟତା ଯୋଗ୍ୟ।

ଏଭଳି କ୍ଷେତ୍ରରେ ମନ୍ତ୍ରୀମାନେ ସଂପୃକ୍ତ ଅଧିକାରୀଙ୍କୁ ବରଖାସ୍ତ କରିବା ପାଇଁ ମଧ୍ୟ ବାଟ ବାହାର କରିପାରିବେ ନାହିଁ। ଅଧିକାରୀ ଯଦି ଦୁର୍ନୀତିମୁକ୍ତ, ସଚ୍ଚୋଟ ଓ ଆଇନ ଅନୁସାରେ କାର୍ଯ୍ୟ କରୁଥିବେ ତେବେ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ଭୟ କରିବେ। ମନ୍ତ୍ରୀମାନେ ରାଗିଲେ ଏଭଳି ଅଧିକାରୀଙ୍କୁ ଅଧିକରୁ ଅଧିକ ବଦଳି କରିପାରନ୍ତି। ଚାକିରି କଲେ ତ ବଦଳି ହେବାକୁ ପଡ଼ିବ। କିଛି କର୍ମଚାରୀ ଓ ଅଧିକାରୀ ବଦଳି ହେବାକୁ ପସନ୍ଦ କରନ୍ତି ନାହିଁ। ସେମାନେ ଭାବନ୍ତି ସରକାରୀ ଚାକିରି ଲୋକଙ୍କର ନୁହେଁ ସେମାନଙ୍କ ସ୍ୱାର୍ଥପୂରଣ ପାଇଁ ଉଦ୍ଦିଷ୍ଟ। ସେମାନେ ପାଠପଢ଼ି, ପରୀକ୍ଷା ଓ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରି ପାଇଛନ୍ତି ମାନେ ଏହା ତାଙ୍କର ମେଧା ଓ ଦକ୍ଷତାର ପୁରସ୍କାର, ଏଥିରେ ଦେଶ ଓ ଦେଶବାସୀଙ୍କର କୌଣସି ଅବଦାନ ନାହିଁ। ତେଣୁ ସେମାନେ ସେହି ଚାକିରିକୁ ନିଜର ସ୍ୱାର୍ଥ ଓ ଉଦ୍ଦେଶ୍ୟ ପୂରଣରେ ଭରପୂର ବ୍ୟବହାର କରିଥାନ୍ତି। ଏହି କାର୍ଯ୍ୟରେ ସେମାନେ ନିର୍ବାଚିତ ମନ୍ତ୍ରୀ ଓ ଜନ ପ୍ରତିନିଧିମାନଙ୍କର ସହଯୋଗୀ ହୋଇଥାନ୍ତି। ଅନେକ କ୍ଷେତ୍ରରେ ଏଭଳି ଅଧିକାରୀମାନେ ଗୋଟେ ଗୋଟେ ଦଳ ବା ଜଣେ ଜଣେ ମନ୍ତ୍ରୀଙ୍କର ଏତେ ଘନିଷ୍ଟ ହୋଇଯାଆନ୍ତି ଯେ ସେ କ୍ଷେତ୍ରରେ ଗଣତନ୍ତ୍ର ଓ ଅମଲାତନ୍ତ୍ର ମଧ୍ୟରେ ପାର୍ଥକ୍ୟ ଆଉ ରହେନାହିଁ। ଓଡ଼ିଶାରେ ଏବେ ଏହିଭଳି ଅମଲାତନ୍ତ୍ର ଓ ଗଣତନ୍ତ୍ର ମଧ୍ୟରେ କିଛି ଫରକ ନାହିଁ ବୋଲି ଅନେକ ସମୟରେ ବିଭିନ୍ନ ମହଲରୁ ଅଭିଯୋଗ ହୋଇଥାଏ। ଏଠି ଅମଲାତନ୍ତ୍ର ହିଁ ଗଣତନ୍ତ୍ରର ପରିଚାଳକ ହୋଇଯାଇଛି। ମନ୍ତ୍ରୀ ଓ ଅମଲାମାନେ ମିଳିମିଶି ସରକାର ଓ ନିର୍ବାଚନ ପରିଚାଳନା କରୁଛନ୍ତି। କେବଳ ଓଡ଼ିଶାରେ ନୁହେଁ, ଏପରି ଉଦାହରଣ ଅନେକ ରାଜ୍ୟରେ ଦେଖିବାକୁ ମିଳେ। ଏପରିକି କେନ୍ଦ୍ର ଶାସନରେ ମଧ୍ୟ ‘ଦଳୀୟ’ ସରକାର ଓ ‘ନିର୍ଦ୍ଦଳୀୟ’ ଅମଲାତନ୍ତ୍ର ମଧ୍ୟରେ ପାର୍ଥକ୍ୟ ବହୁ ବର୍ଷ ହେଲା କ୍ଷୀଣରୁ କ୍ଷୀଣତର ହେବାରେ ଲାଗିଛି। ଅବସର ପରେ ଅମଲାମାନେ ବିଭିନ୍ନ ରାଜନୀତିକ ଦଳରେ ଯୋଗଦେଇ ମନ୍ତ୍ରୀ ଭଳି ପଦପଦବୀ ପାଇଥିବା ବ୍ୟକ୍ତିଙ୍କର ସଂଖ୍ୟା ଭାରତରେ କମ୍‌ ନୁହେଁ।

ଯଦି କୌଣସି ସରକାରକୁ ଲୋକେ ପରବର୍ତ୍ତୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରନ୍ତି ତେବେ ଏହିଭଳି ଦଳ ବା ନେତାନୁଗତ ଅମଲାମାନେ ଚାକିରିରେ ଥିଲେ ଭିନ୍ନ ଦଳର ସରକାରଙ୍କର ଚକ୍ଷୁଶୀଳ ହେବା ସ୍ୱାଭାବିକ। ଏଭଳି ଅଧିକାରୀଙ୍କ ବିରୋଧରେ ଭିନ୍ନ ଦଳର ନେତା ଓ ମନ୍ତ୍ରୀମାନେ ପ୍ରତିଶୋଧ ପରାୟଣ ହୋଇ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ଆଇପିଏସ ଗୁରଜିନ୍ଦର ପାଲ ସିଂହଙ୍କ ମାମଲାରେ ସୁପ୍ରିମ କୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଓଡ଼ିଶା ସମେତ ଭାରତବର୍ଷର ଅମଲାତନ୍ତ୍ରର ସଦସ୍ୟମାନେ ଚେତିବା ଉଚିତ ଏବଂ ନିଜ ନିଜର କାର୍ଯ୍ୟ, କ୍ଷମତା ଓ ଅଧିକାରର ପରିସର ଭିତରେ ଥାଇ ବିନା ପକ୍ଷପାତରେ ଆଇନର ଶାସନ ପରିଚାଳିତ କରିବା ଉଚିତ। ନିର୍ବାଚିତ ସରକାର ଯଦି ଦେଶ ବିକିବାକୁ ଚାହାନ୍ତି, ତେବେ ତାହା କରିପାରନ୍ତି। ସେଥିପାଇଁ ସେମାନେ ସଂସଦ ଓ ବିଧାନସଭାରେ ଆଇନ ପ୍ରଣୟନ କରନ୍ତୁ ଓ ତାହାକୁ ଅମଲାମାନେ କାର୍ଯ୍ୟକାରୀ କରିବାରେ ଆଇନ ଉଲ୍ଲଙ୍ଘନ ହେବନାହିଁ।

Other Stories